Tue. Jan 28th, 2025

ଡକାୟତି ଯୋଜନା ପଣ୍ଡ: ୪ ଡକାୟତ ଗିରଫ, ଜଣେ ଫେରାର୍: ବନ୍ଧୁକ, ଖଣ୍ଡା, ପ୍ଲେଜର ଜବତ

rklsanchar@gmail.com' By J.N. Pradhan Jul 23, 2018 #Featured
621 Views

ରାଉରକେଲା, ୨୨/୭ : ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଚଢ଼ଉ କରି ୪ ଜଣ ଡକାୟତଙ୍କୁ ଗିରଫ କରିଛି । ଅନ୍ୟ ଜଣେ ଡକାୟତ ଫେରାର ହୋଇଯାଇଛି । ଗିରଫ ଡକାୟତଙ୍କ ଠାରୁ ଗୋଟିଏ ବନ୍ଧୁକ, ୩ଟି ଖଣ୍ଡା ପୁଲିସ  ଜବତ କରିଛି । ଏମାନଙ୍କ ବିରୋଧରେ ରାଉରକେଲା, ରାଜଗାଙ୍ଗପୁର, କୁଅାଁରମୁଣ୍ଡା ଓ ବିଳାସପୁର ଆଦି ସ୍ଥାନରେ ଡକାୟତି ମାମଲା ରହିଥିବା ଜଣାପଡିଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଡିଏସ୍ପି ପି.କେ. ମିଶ୍ରଙ୍କ ସୂଚନା ଅନୁଯାୟୀ  ପାୱାର ହାଉସ୍ ରୋଡ଼ ନିକଟ ପାର୍କିଂ ଅଞ୍ଚଳରେ ଏହି ଦଳ ଡକାୟତି ପାଇଁ ଯୋଜନା କରୁଥିଲେ ।

ଏସ୍ପି ଡ. ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶରେ ପୁଲିସ ସେଠାରେ ସଦଳବଳେ ଚଢ଼ଉ କରି ରାଜଗାଙ୍ଗପୁର ବାସିନ୍ଦା ଏମ୍ଡି ଜଲିଲ, ଏମ୍ଡି ଚାନ୍ଦ, ଏମ୍ଡି ରାଜା ଓ ଗୋପବନ୍ଧୁପାଲିର ଏମ୍ଡି ଅଫତାବକୁ ଗିରଫ ହୋଇଥିଲା । ଏହି ଡକାୟତ ଦଳ ରାଉରକେଲାର ସିଭିଲ ଟାଉନସିପ୍ରେ ୨ଟି, ପାନପୋଷରେ ଗୋଟିଏ, ସେକ୍ଟର-୯ର ଜଣେ ଡିଜିଏମ୍ଙ୍କ ଘରେ, ସେକ୍ଟର-୧ର ବାବୁଲି ନାୟକଙ୍କ ଘରେ, ରାଜଗାଙ୍ଗପୁରରେ ୨ଟି ଓ କୁଅାଁରମୁଣ୍ଡା ଡାଏରୀ ଫାର୍ମ ଡକାୟତି ଘଟଣା ସମେତ ବିଳାସପୁରରେ ସଂଗଠିତ ଏକ ଡକାୟତି ଘଟଣାରେ ଜଡ଼ିତ ଥିବା ଡିଏସ୍ପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

କୁଅାଁରମୁଣ୍ଡା ଡାଏରୀ ଫାର୍ମରେ ଜଣେ ପଶୁ ଡାକ୍ତରଙ୍କ ଘରେ ଜଲିଲ ଓ ତା’ର ଗ୍ୟାଙ୍ଗ ଡକାୟତି କରିଥିଲେ । ପଶୁ ଡାକ୍ତର ବାଧା ଦେବାରୁ ଜଲିଲ ଓ ଅନ୍ୟ ଡକାୟତ ତାଙ୍କୁ ଭୁଜାଲିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଫେରାର ଥିବା ଜଲିଲ ବିଭିନ୍ନ ସମୟରେ ସୁରଟ, ରାଞ୍ଚି, ଖଡ଼ଗପୁର ଓ ବିଳାସପୁରରେ ରହୁଥିଲା । ତା’ର କିଛି ପୁରୁଣା ସହଯୋଗୀ ଏବେ ବିଭିନ୍ନ ଜେଲ୍ରେ ଅଛନ୍ତି । ତେଣୁ ମଝିରେ ମଝିରେ ସେ ରାଜଗାଙ୍ଗପୁର ଓ ରାଉରକେଲା ଆସି ଟ୍ରେନ ଲୁଟିଆଙ୍କୁ ନେଇ ପୁଣି ନୂଆ ଗ୍ୟାଙ୍ଗ ତିଆରି କରିଥିଲା ।

ପୁଲିସର ସ୍ପେଶାଲ ସ୍କ୍ୱାର୍ଡ଼ ତା’ ଉପରେ ନଜର ରଖିଥିଲା । ଗତକାଲି ରାଉରକେଲା ଆସିଥିବା ଖବର ପାଇଁ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଚଢ଼ଉ କରି ଗିରଫ କରିଛି । ସେହିପରି ଅନ୍ୟମାନଙ୍କ ନାଁରେ ହତ୍ୟା, ଲୁଣ୍ଠନ ଭଳି ବହୁ ସଙ୍ଗୀନ ଅପରାଧର ଅଭିଯୋଗ ଥିବା ଜଣାପଡିଛି ।

Related Post