Sun. Mar 8th, 2026

ଡକାୟତି କରିବାକୁ ଏକାଠି ହେଉଥିଲେ, ପୁଲିସ୍‌ ଚଳାଇଲା ଗୁଳି

187 Views

ସମ୍ୱଲପୁର  : ସମ୍ବଲପୁର  ଜିଲ୍ଲା  କୁଲୁଥକାନି-ଧନକଉଡ଼ା ରାସ୍ତାରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍‌ ଆହତ ହୋଇଛି। ତାର ବାମ ଗୋଡ଼ର ଆଣ୍ଠୁ ପାଖରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍‌ ଓ ତାର ସହଯୋଗୀମାନେ କୁଲୁଥକାନି-ଧନକଉଡ଼ା ରାସ୍ତାରେ ଡକାୟତି କରିବାକୁ ଏକାଠି ହେଉଥିବା ଖବର ପାଇ ଆଜି ଭୋର ପ୍ରାୟ ସାଢେ ୫ଟା ବେଳେ ଧନୁପାଲ୍ଲୀ ପୁଲିସ୍‌ ଓ ସ୍ପେଶାଲ୍ ସ୍କ୍ୱାଡ୍ ସେଠାରେ ଚଢ଼ଉ କରିଥିଲା। ଏହି ସମୟରେ ସେମାନେ ଅତର୍କିତ ଭାବେ ପୁଲିସ୍‌ ଉପରକୁ ଏକ ରାଉଣ୍ଡ ଗୁଳି ଚଳାଇଥିଲେ। ଏହାପରେ ପୁଲିସ୍‌ ପାଲଟା ଜବାବରେ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ଏଥିରେ ତ୍ରିଦେବର ବାମ ଗୋଡର ଆଣ୍ଠୁ ପାଖରେ ଗୁଳି ବାଜିଥିଲା।

ଅନ୍ୟପକ୍ଷରେ ତ୍ରିଦେବର ଜଣେ ସହଯୋଗୀ ଦୀପକ ମଣ୍ଡଳକୁ ପୁଲିସ୍‌ ଗିରଫ କରିଛି। ତେବେ ତାର ଆଉ ଜଣେ ସହଯୋଗୀ ନାବାଳକ ଥିବାରୁ ପୁଲିସ୍ ତାକୁ ଅଟକ ରଖିଛି। ତ୍ରିଦେବ ନିକଟରୁ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ଗୁଳି, ଟଙ୍କା, ୩ଟି ସୁନା ଚେନ୍ ଜବତ କରାଯାଇଛି। ତ୍ରିଦେବ ନାଁରେ ସମ୍ୱଲପୁର ଜିଲ୍ଲାରେ ୮ରୁ ଅଧିକ ଅପରାଧିକ ମାମଲା ରହିଛି। ଏଥିସହ ଦେବଗଡ଼ ଜିଲ୍ଲାରେ ମଧ୍ୟ ତା’ ନାଁରେ ଅପରାଧିକ ମାମଲା ରହିଛି। ଏହି ଏନ୍‌କାଉଣ୍ଟର ସମୟରେ ଜଣେ ପୁଲିସ୍‌ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ଯୋଗ୍ୟ, ଚଳିତ ମାସ ୨ ତାରିଖରେ ସମ୍ବଲପୁର ସହରସ୍ଥିତ ସିଟି ଷ୍ଟେସନ୍‌ ନିକଟରେ ଏକ ଏନ୍‌କାଉଣ୍ଟର୍ ହୋଇଥିଲା। ଏଥିରେ କୁଖ୍ୟାତ ଅପରାଧୀ ମୁସିମ୍ ଅଖତାର୍‌ ଆହତ ହୋଇଥିଲା। ତା’ ଡାହାଣ ଆଣ୍ଠୁରେ ଗୁଳି ବାଜିଥିଲା।

By amfnews

Related Post