Sun. Mar 8th, 2026

ଟିଡିପିର ଚାରି ଜଣ ରାଜ୍ୟସଭା ସାଂସଦଙ୍କ ପରେ ଆଇଏନଏଲଡିର ଏକ ମାତ୍ର ରାଜ୍ୟସଭା ସାଂସଦ ବି ବିଜେପିରେ ଯୋଗ ଦେଲେ

161 Views

ନୂଆଦିଲ୍ଲୀ : ଏଇ ଜୁଲାଇ ମାସରେ ବିଜେପିକୁ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ମିଳିଯିବ ବୋଲି ଆକଳନ କରାଯାଇଛି। ଟିଡିପିର ଚାରି ଜଣ ରାଜ୍ୟସଭା ସାଂସଦ ବିଜେପିରେ ଯୋଗ ଦେବାପରେ ଏବେ ଅନ୍ୟ ଦଳର ଜଣେ ରାଜ୍ୟସଭା ସାଂସଦ ବି ବିଜେପିରେ ସାମିଲ ହୋଇଛନ୍ତି। ଏହି  ରାଜ୍ୟସଭା ସାଂସଦଜଣକ ହେଲେ ରାମ କୁମାର କଶ୍ୟପ। ସେ ଆଇଏନଏଲଡିର ଏକ ମାତ୍ର ରାଜ୍ୟସଭା ସାଂସଦ ଥିଲେ। କଶ୍ୟପ ୨୦୧୪ରେ ରାଜ୍ୟସଭା ସଦସ୍ୟ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ଆଗାମୀ ବର୍ଷ ଅପ୍ରେଲରେ ସରିବ। ଆଇଏନଏଲଡିର ଦୁଇ ବିଧାୟକ ଜାକିର ହୁସେନ ଓ ପରମିନ୍ଦର ସିଂହ ଢୁଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।

କଶ୍ୟପଙ୍କ ବ୍ୟତୀତ କେରଳର କନ୍ନୁରରୁ ଦୁଇ ଥର ସାଂସଦ ହୋଇଥିବା ଏପି ଅବଦୁଲ୍ଲା କୁଟ୍ଟୀ  ବି ବିଜେପିରେ ସାମିଲ ହୋଇଛନ୍ତି। ସେ ଆଗରୁ କଂଗ୍ରେସ ଓ ସିପିଏମ୍‌ ଉଭୟ ଦଳରେ ସକ୍ରିୟ ଥିଲେ। ଏ ଦୁଇ ନେତା ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି।

ଏବେ ବିଜେପିର  ରାଜ୍ୟସଭା ସାଂସଦଙ୍କ ସଂଖ୍ୟା  ୭୫ ହୋଇଯାଇଛି। ଆଗାମୀ ମାସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ଜେ ଏମ୍‌ ଠାକେର ଓ ଅଶ୍ୱିନୀ ବୈଷ୍ଣବ ନିର୍ବାଚିତ ହେବାପରେ ଏହି ସଂଖ୍ୟା ୭୮କୁ ବଢିବ। ଏହାପରେ ବିଜେପିକୁ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ମିଳିଯିବ ବୋଲି କୁହାଯାଉଛି।

 

By amfnews

Related Post