Wed. Jan 15th, 2025

ଟିଟିଲାଗଡ଼ : ଗାଁ ରାସ୍ତା ଚଉଡ଼ା କରିବାକୁ ଘର ଭାଙ୍ଗି ଜାଗା ଦେଲେ ଗ୍ରାମବାସୀ

By amfnews Nov 25, 2019 #Featured
119 Views

ଟିଟିଲାଗଡ଼ : ବିନାଯୁଦ୍ଧେ ସୂଚ୍ୟଗ୍ର ମେଦିନି ନ ଦେବାର ଜିଦିରୁ ମହାଭାରତ ଯୁଦ୍ଧ‌ ହୋଇଥିଲା। ବର୍ତ୍ତମାନ ଯୁଗରେ ବି କେହି ଇଞ୍ଚେ ଜାଗା କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି। ବରଂ ସୁଯୋଗ ମି‌ଳିଲେ ରାସ୍ତା, ଡ୍ରେନ୍‌ ଆଦିକୁ ଅକ୍ତିଆର କରି ପକାଉଛନ୍ତି। ଏଭଳି ସ୍ଥିତିରେ ଟିଟିଲାଗଡ଼ ବ୍ଲକ ସିହିନି ଗ୍ରାମବାସୀ ଓଲଟା ଧାରାର ଏକ ମହନୀୟ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଗାଁ ରାସ୍ତା ଚଉଡ଼ା କରିବାକୁ ସମସ୍ତେ ସ୍ବଇଚ୍ଛାରେ ନିଜ ନିଜ ଜମିରୁ ଏପରିକି ସେମାନଙ୍କ ଘରର କିଛି କିଛି ଜମି ଛାଡ଼ି ଦେଇଛନ୍ତି।

ପ୍ରକାଶ ଯେ, ଟିଟିଲାଗଡ଼ ବ୍ଲକ ମାର୍ଲାଡ ନିକଟ‌ ଉନ୍ଦେର ନଦୀ ପୋଲ ନିର୍ମାଣ ପରେ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ସିଧାସଳଖ ସଂଯୋଗ ହୋଇପାରିଛି। କିଛି ବସ୍‌ ମଧ୍ୟ ଚଳାଚଳ କରୁଛି। ହେଲେ ସୁରୁଖୁରୁରେ ଯିବାଆସିବାରେ ମୁଖ୍ୟ ଅନ୍ତରାୟ ସାଜିଛି ସିହିନି ଗାଁ ଭିତର ରାସ୍ତା। ପାଓମେକ୍ସ ଷ୍ଟିଲ କାରଖାନା ଠାରୁ ଆରମ୍ଭ କରି ସିହିନି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି ଏବଂ ସିହିନି ଗାଁ ପାର ହେବା ପରେ କୁମୁଡ଼ା ଠାରୁ ମାର୍ଲାଡ଼ ଗାଁ ପର୍ଯ୍ୟନ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ଏହି ଦୁଇଟି ରାସ୍ତା ଠିକ ରହିଛି। କିନ୍ତୁ, ସିହିନି ଗାଁ ଭିତରର ପ୍ରାୟ ଆଠ ଶହ ମିଟର ରାସ୍ତା ଅତି ଶୋଚନୀୟ ହୋଇ ପଡ଼ିଛି। ଏହାକୁ ନେଇ ସିହିନି ସରପଞ୍ଚ ବୀରବର ସାହୁ ତଥା ଗ୍ରାମବାସୀ ଅନେକ ଥର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ଏକ ଏମ୍‌ପାୱାରିଂ କମିଟି ଗଠନ କରି ଏହାର ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଲେ ହିଁ ରାସ୍ତାର ଉନ୍ନତୀକରଣ କରାଯାଇ ପାରିବ ବୋଲି କୁହାଯାଇଥିଲା। କିଛିଦିନ ତଳେ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ରାସ୍ତାର ଉନ୍ନତୀକରଣ ପାଇଁ ୧୮ଲକ୍ଷ ଟଙ୍କା ମଞ୍ଜୁର କରିବା ସହ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏହି ରାସ୍ତା ୧୨ ଫୁଟ ଚଉଡ଼ା କରିବାକୁ ପ୍ରସ୍ତାବ ଦିଆଯାଇଥିଲା।

କିନ୍ତୁ, ଏହାପରେ ଗ୍ରାମବାସୀ ରାସ୍ତାର ଉଭୟ କଡ଼ରେ ଥିବା ନିଜ ନିଜ ଜାଗାରୁ ପାଞ୍ଚ ଫୁଟ ଲେଖାଏଁ ଦାନ କରି ରାସ୍ତାକୁ ୨୨ ଫୁଟ ଚଉଡ଼ା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଗାଁରେ ଏକ ବୈଠକ ବସିଥିଲା ଏବଂ ଲୋକେ ଜାଗା ଦେବାକୁ ସହମତି ଦେଇଥିଲେ। ଗ୍ରାମବାସୀଙ୍କ ମଧ୍ୟରୁ ରୋହିତ ଚନ୍ଦନ, ନୂଆ ଭୋଇ, ସୁଧୀର ମାଝୀ, ଶତ୍ରୁଘ୍ନ ହେର୍ଣା, ବୃହସ୍ପତି ଜାନି, ଜଗବନ୍ଧୁ ସାହୁ, ଉଚ୍ଛବ ସାହୁ, ବାବୁଲି ଭୋଇ, ଅଲେଖ ସାହୁ, ତହସିଲ ଭୋଇ, କପିକେତନ ସାହୁ, ତୁଳସୀ ସାହୁ, ଟିକେଧର ଭୋଇ, ରମେଶ ଛତର, କପିଳ ଛତର, ବେଣୁଧର ମାଝୀ, ପ୍ରତାପ ନାଏକ, ଚଇତରାମ ଛତର, ପ୍ୟାରୀଲାଲ ଛତର, ରାଧେଶ୍ୟାମ ଛତର, ବୃଷଭ ମାଝୀ, ଗଜିନ ମାଝୀ, ସନ୍ତୋଷ ଛତର, ମକୁନ୍ଦ ହେର୍ଣା, କଳାବତୀ ଛତର, ନୀଳ ଖର୍ସେଲ, ବିନୋଦ ସାହୁ, ଲାଏବାନୀ ମାଝୀ, ଗଜିନ୍ଦ୍ର ଛତର, ଉମା ବାଗ, ଭକ୍ତ ବିଭାର, ଜନ୍ମେଞ୍ଜୟ ଜାନି, ମଙ୍ଗଳୁ ମାଝୀ, ଗଣପତି ବାଗ, ଚତୁର୍ଭୁଜ ଜାନି ପ୍ରମୁଖ ନିଜ ନିଜ ଘର ଭାଙ୍ଗି ଜମି ଦାନ କରିଛନ୍ତି।

By amfnews

Related Post