ଭୁବନେଶ୍ୱର (ସତ୍ୟନାରାୟଣ ରାଉତରାୟ): କଳାର ଉନ୍ନତି ହେବ। କଳାକାରଙ୍କୁ ସମ୍ମାନ ମିଳିବ। କଳା ଓ କଳାକାରଙ୍କୁ ନେଇ ଏମିତି କେତେ ଡିଣ୍ଡିମ ପିଟିଛନ୍ତି ସରକାର। ନୂଆନୂଆ ଯୋଜନା ବି କରୁଛନ୍ତି। ହେଲେ କଳାକୁ ମାଧ୍ୟମ କରି ଯେବେ ସ୍ୱୀକୃତି ପାଇଁ ଆଶା ଜାଗିଛି, ସେବେ ସବୁ ଭଣ୍ଡୁର ହୋଇଯାଇଛି। ସଂସ୍କୃତି ବିଭାଗର ପୁରସ୍କାର ଚୟନରେ ସ୍ୱଚ୍ଛତାକୁ ନେଇ ମାମଲା କୋର୍ଟ ପର୍ଯ୍ୟନ୍ତ ଟାଣି ହୋଇଯାଇଛି। କୋର୍ଟ ମାଟି ମାଡ଼ିବା ପରେ ସବୁ ସ୍ୱୀକୃତିରେ ତାଲା ପଡ଼ିଯାଇଛି। ଏମିତିକି, କୋଉ ମାମଲା ହାଇକୋର୍ଟରେ ତ କୋଉ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି।
ତାରିଖ ପରେ ତାରିଖ ଗଡ଼ୁଛି। ଅଥଚ ସମାଧାନ ହେଉନି। ନ୍ୟାୟର ଚୌହଦି ଭିତରେ ମାମଲା ଥିବାରୁ ବିଭାଗ ନିଜକୁ ନାଚାର କହି ହାତ ଟେକି ଦେଉଛି। ଅନେକ ବଡ଼ବଡ଼ ମାମଲା ଫଇସଲା ହୋଇଯାଉଥିଲେ ବି ସଂସ୍କୃତି ବିଭାଗର ଅନେକ ମାମୁଲି ମାମଲା ନ୍ୟାୟାଳୟରୁ ମୁକୁଳି ପାରୁନି। ଏଥିପାଇଁ ଦାୟୀ କିଏ ? ସଂସ୍କୃତି ବିଭାଗ, ନା ମାମଲାକୁ ପରିଚାଳନା କରୁଥିବା ଓକିଲ? ତା’ର ଉତ୍ତର ଖୋଜୁଖୋଜୁ ପୁରସ୍କାରର ଦାବିଦାର ଯେ ଏ ଦୁନିଆରେ ବଞ୍ଚିଥିବେ ତାହାର ବି କୌଣସି ଗ୍ୟାରେଣ୍ଟି ନାହିଁ।
ଏହାର ସବୁଠୁ ବଡ଼ ଉଦାହରଣ ଲଳିତ କଳା ଏକାଡେମିର ‘ଧର୍ମପଦ ପୁରସ୍କାର’। ୨୦୧୫ ମସିହା ମେ ୧୨ ତାରିଖରେ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ଓଡ଼ିଶା ଲଳିତ କଳା ଏକାଡେମିର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ଘୋଷଣା ହେଲା ଏହାର ମାତ୍ର ୨ଦିନ ପରେ ଧର୍ମପଦ ସମ୍ମାନ କାଠଗଡ଼ାକୁ ଚାଲିଗଲା। ଏଥିସହ ୭ ଧର୍ମପଦ ପୁରସ୍କାର ଓ ୧୦ ଜଣ ଏକାଡେମି ପୁରସ୍କାର ବିଜେତାଙ୍କ ଭାଗ୍ୟ ବି କାଠଗଡ଼ାକୁ ଚାଲିଗଲା। ଏହି ୧୭ ଜଣ ସମର୍ପିତ ଶିଳ୍ପୀଙ୍କ ମଧ୍ୟରୁ ଏବେ ୭ ଜଣ ଆରପୂରରେ। ୨୦୦୯ ପାଇଁ ଗୋକୁଳ ବିହାରୀ ପଟ୍ଟନାୟକ, ୨୦୧୦ ପାଇଁ ମଞ୍ଚକଳା ନିର୍ଦେଶକ ଓ ଚିତ୍ରଶିଳ୍ପୀ ଅସୀମ ବସୁ, ୨୦୧୪ ପାଇଁ ଚିତ୍ରଶିଳ୍ପୀ ଦିନନାଥ ପାଠୀଙ୍କ ନାମ ଧର୍ମପଦ ପୁରସ୍କାର ପାଇଁ ଘୋଷଣା ହୋଇଥିଲେ ହେଁ ଏମାନେ ଆଉ ଇହ ଧାମରେ ନାହାନ୍ତି।
ଓଡ଼ିଶା ସାହିତ୍ୟ ଏକାଡେମିର ସ୍ଥିତି ବି ସେୟା। ୨୦୦୦ ମସିହାରେ ଅର୍ଚନା ନାୟକ (ଗଳ୍ପ), ଅରବିନ୍ଦ ବେହେରା (ଅନୁବାଦ), ସଦାଶିବ ଦାଶ (କବିତା), ଗୋବିନ୍ଦ ଭୂୟାଁ (ଜୀବନୀ)ଙ୍କ ସମେତ ୮ଜଣଙ୍କୁ ଏକାଡେମି ସମ୍ମାନ ପାଇଁ ମନୋନୀତ କରାଯାଇଥିଲା। ଅଥଚ ବିଭିନ୍ନ କାରଣ ଦର୍ଶାଇ ତାଙ୍କ ନାମରେ ଅଭିଯୋଗ ଅଣାଗଲା। ତେଣୁ ମାମଲା କୋର୍ଟକୁ ଚାଲିଯିବାରୁ ୪ଜଣ ପୁରସ୍କାରରୁ ବଞ୍ଚିତ ହେଲେ। ଏ ମାମଲା ଏଯାଏଁ ଛିଣ୍ଡିପାରୁନି। ନିକଟରେ ପୁଣି ଏକାଡେମିର ସାଧାରଣ ପରିଷଦ ସଦସ୍ୟ ପଦରେ ସ୍ୱଚ୍ଛତା ଅବଲମ୍ବନ କରାନଯାଇନଥିବା ଅଭିଯୋଗ ହୋଇଛି। ଜଗତସିଂହପୁରରେ ଜନ୍ମିତ ଅରବିନ୍ଦ ରାୟଙ୍କୁ କାହିଁକି ଖୋର୍ଧା ଜିଲ୍ଲାର ସଦସ୍ୟ ଭାବେ ପରିଷଦରେ ନିଆଗଲା ସେନେଇ ଦୟାନିଧି ମହାପାତ୍ର କୋର୍ଟରେ କେସ୍ କରିଛନ୍ତି।
୨ ବର୍ଷ ତଳେ ଯେବେ ୨୦୧୪ ଓ ୨୦୧୫ ବର୍ଷ ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମି ସମ୍ମାନ ଘୋଷଣା ହେଲା ମନିଦୀପା ମଲ୍ଲିକଙ୍କୁ ଅଭିନେତ୍ରୀ ଭାବେ ପୁରସ୍କୃତ କରିବା ପାଇଁ ଘୋଷଣା ହେଲା। ମାତ୍ର ଏଥିରେ ଅନିୟମିତତା ନେଇ ଅଭିଯୋଗ ଉଠାଇଲେ ନିର୍ଦେଶକ ରମେଶ ମହାନ୍ତି। ସେ ମାମଲା ଏବେ ବି ଝୁଲି ରହିଛି।
ଖାଲି ସେତିକି ନୁହେଁ, ଲଳିତ କଳା ଏକାଡେମିରୁ ଅବସର ନେବା ପରେ ଜଗଦୀଶ କାନୁନ୍ଗୋ କର୍ମଚାରୀ ଚାକିରି ସର୍ତାବଳୀକୁ ନେଇ ଏକ ମାମଲା କରିଥିଲେ। ଏ ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଲାଣି। ଅଥଚ ସମାଧାନ ହୋଇନି। ପୁଣି ଏଇ କର୍ମଚାରୀ ଚାକିରୀ ସର୍ତାବଳୀକୁ ନେଇ ସାହିତ୍ୟ ଏକାଡେମିର କର୍ମଚାରୀମାନେ ମାସେ କାଳ ଧାରଣାରେ ବସିଥିଲେ। ତା’ର ସମାଧାନ ବି ହୋଇନାହିଁ। ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ୨୦୦୬ ମସିହାରେ ୨ଜଣ ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀମାନେ ଅଭିଯୋଗ ଆଣିଥିଲେ। ତାହା ବି ଏଯାଏଁ ସମାଧାନ ହୋଇନାହିଁ। ପଛକୁ ପଛ ଏମିତି ତାଲିକା ଲମ୍ବିଛି। ସମାଧାନ ଯେମିତି ସ୍ୱପ୍ନ ହୋଇଯାଇଛି। ସରକାର ଏଥିପାଇଁ ଆନ୍ତରିକତା ଦେଖାଉନାହାନ୍ତି ନା ଆଉ କିଛି କାରଣ ରହିଛି ତାହା ବି ଅସ୍ପଷ୍ଟ।
( ସମ୍ବାଦ ସୌାଜନ୍ୟ )