Sat. Mar 7th, 2026

ଝିଅ ହତ୍ୟା ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ ହେଲେ ଏସଜିପିସି ପୂର୍ବତନ ମୁଖ୍ୟ ଜାଗୀର କୌର

633 Views

ଚଣ୍ଡିଗଡ଼, ଡିସେମ୍ବର ୪: ନିଜ ୧୯ ବର୍ଷୀୟ ଝିଅକୁ ହତ୍ୟା କରିବା ଅଭିଯୋଗରେ ତଳ କୋର୍ଟ ଦ୍ୱାରା ଦଣ୍ଡିତ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିର (ଏସଜିପିସି) ପୂର୍ବତନ ମୁଖ୍ୟ ବିବି ଜାଗୀର କୌରଙ୍କୁ ପଞ୍ଜାବ ଓ ହରିଆନା ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରି ଦେଇଛନ୍ତି। ଏସଜିପିସି ମୁଖ୍ୟ ଜାଗୀର କୌରଙ୍କୁ ପଟିଆଲା ସ୍ପେଶାଲ କୋର୍ଟ ୨୦୧୨ ମସିହାରେ ବେଆଇନ ଗର୍ଭପାତ ସହିତ ତାଙ୍କ ଝିଅକୁ ବନ୍ଧକ ରଖିବା ଅଭିଯୋଗରେ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ସୂଚନାଯୋଗ୍ୟ ଯେ ୨୦୦୦ ମସିହାରେ ଏସଜିପିସି ମୁଖ୍ୟ ଜାଗୀର କୌରଙ୍କ ଝିଅ ହରପ୍ରୀତ କୌରଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ଏପରିକି ତରତରରେ ହରପ୍ରୀଙ୍କ ଶବକୁ ବିନା ବ୍ୟବଛେଦରେ ଅନ୍ତିମ ସଂସ୍କାର କରି ଦିଆଯାଇଥିଲା। ତେବେ ହରପ୍ରୀତଙ୍କର କମଲଜୀତ ସିଂହ(୨୧ ବଷ) ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ମାତ୍ର ସେମାନଙ୍କ ବିବାହକୁ ଜାଗୀର କୌର ଚାହୁଁ ନ ଥିଲେ। ଏହି ଘଟଣା ନେଇ କମଲଜିତ ସିଂହ ହାଇକୋର୍ଟରେ ଆବେଦନ କରି ଘଟଣାର ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଥିଲେ। ସିବିଆଇ ତଦନ୍ତ କରି ଏହି ଘଟଣାରେ ଜାଗୀର କୌରଙ୍କ ସମ୍ପୃକ୍ତି ଥିବା କୋର୍ଟକୁ ଜଣାଇଥିଲେ। ପରେ ତତ୍‌କାଳୀନ ଶିରୋମଣି ଅକାଳି ଦଳ ସରକାରରେ ମନ୍ତ୍ରୀ ଥିବା ଜାଗୀର କୌରଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ତେବେ ଏ ନେଇ ଜାଗୀର କୌର ହାଇକୋର୍ଟରେ ଅପିଲ କରିଥିଲେ। ଆଜି ହାଇକୋର୍ଟ ଜାଗୀର କୌରଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି ବୋଲି ତାଙ୍କ ଓକିଲ ଜେଏସ ବେଦୀ କହିଛନ୍ତି।

By amfnews

Related Post