Sun. Mar 8th, 2026

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ: ଭୋଟରଙ୍କୁ ପ୍ରଭାବିତ କରିବାରେ ବିଜେପିର ରଘୁବର ଦାସ ବିଫଳ

182 Views

ରାଞ୍ଚି: ବିଧାନସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ-ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ ରାଜ୍ୟରେ କ୍ଷମତାସୀନ ହେବାକୁ ଯାଉଛି। ରାଜ୍ୟର ଅଧିକାଂଶ ବିଧାନସଭା କ୍ଷେତ୍ରରେ ବିଜେପି ହାରୁଥିବାରୁ କ୍ରମାଗତ ଦ୍ୱିତୀୟ ଥର ବିଜେପିକୁ ଝାଡ଼ଖଣ୍ଡରେ ଜିଣାଇ ପ୍ରଥମ ନେତା ଭାବେ ରେକର୍ଡ କରିବା ସୁଯୋଗ ହରାଇବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ।

ଠିକ୍‌ ନିର୍ବାଚନ ପୂର୍ବରୁ ଆସନ ବଣ୍ଟନରେ ମନାନ୍ତର ଯୋଗୁଁ ବିଜେପିର ସହଯୋଗୀ ଦଳ ସୁଦେଶ ମହତୋଙ୍କ ‘ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ୍‌’ ମେଣ୍ଟରୁ ଓହରି ଯାଇଥିଲା। ଏହା ବିଜେପି ପତନର କାରଣ ବୋଲି ମନେହେଉଛି। ଜାମସେଦପୁର ପୂର୍ବ ଆସନଗୁଡ଼ିକ ମଧ୍ୟ ବିଜେପିର ବିଦ୍ରୋହୀ ସରଯୁ ରାୟଙ୍କ ଅକ୍ତିଆରକୁ ଚାଲିଯାଉଛି। ରଘୁବରଙ୍କ କାର୍ଯ୍ୟଶୈଳୀକୁ ରାୟ ତୀବ୍ର ସମାଲୋଚନା କରି ପ୍ରଚାର ଅଭିଯାନ ଚଳାଇଥିଲେ। ୨୦୧୪ ବିଧାନସଭା ନିର୍ବାଚନରେ ଜାମସେଦପୁର ପୂର୍ବ ଆସନରୁ ଦାସ ୭୦, ୧୫୭ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଥିବା ବେଳେ ଏବେ ରାୟଙ୍କ ଠାରୁ ମାତ୍ର ୧, ୪୪୯ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି।

ପାରମ୍ପରିକ ଭାବେ ବିଜେପି ସହରାଞ୍ଚଳ ଆସନଗୁଡ଼ିକରେ ଟାଣୁଆ ଥାଏ, କିନ୍ତୁ ଏଥର ବୋକାରୋରେ ବିଜେପିର ପ୍ରାର୍ଥୀ ବିରଞ୍ଚିନାରାୟଣ ପ୍ରଥମ ଥର ଲାଗି ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥିନୀ ଶ୍ୱେତା ସିଂହଙ୍କ ଠାରୁ ପଛାଇଛନ୍ତି। ନାରାୟଣ ମଧ୍ୟ ୨୦୧୪ ନିର୍ବାଚନରେ ବୋକାରୋରୁ ୭୨, ୬୪୩ ଖଣ୍ଡ ଭୋଟ୍‌ ପାଇଥିଲେ।

By amfnews

Related Post