ଫୁଲବାଣୀ , ନଭେମ୍ବର ୦୩: ଆଦିବାସୀଙ୍କ ବିକାଶ ନିମନ୍ତେ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥି ନିମନ୍ତେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଏବେ ବି ସେମାନଙ୍କ ପାଖରେ ଯୋଜନା ଅପହଞ୍ଚ । ଜଙ୍ଗଲରେ ବର୍ଷବର୍ଷ ଧରି ବସବାସ କରି ଆସୁଥିବା ବେଳେ ଝରଣା ପାଣିକୁ ଭରସା କରି ଜୀବନ ବିତାଉଛନ୍ତି। ଗମନାଗମନା,ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟ ଜଳ,ବିଦ୍ୟୁତ ବିନା ନିରୀହ ଆଦିବାସୀ ଦୁର୍ବିସହ ଜୀବନ ବିତାଉଛନ୍ତି। ପୁଲବାଣୀ ଜିଲ୍ଲାରେ ଏମିତି ଅନେକ ଗାଁ ଅଛି, ଯାହା ବହୁ ପ୍ରଚାରିତ ଯାଜପୁର ନଗଡ଼ା ଠାରୁ ଆହୁରି ଦୁର୍ବିସହ।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିକରମାହା ହାତିଗୁଣ୍ତା ପଞ୍ଚାୟତ ଅନ୍ତର୍ଗତ ଡାହୁ ଗାଁ ଏହାର ଏକ ଉଦାହରଣ। ଜଙ୍ଗଲ ଓ ପାହାଡ ଘେରା ଡାହୁ ଗାଁରେ ପ୍ରାୟ ୪୦ ପରିବାର ବସବାସ କରୁଛନ୍ତି। ଲୋକ ସ˚ଖ୍ୟା ପ୍ରାୟ ୧୭୦ରୁ ଉର୍ଦ୍ଧ୍ବ। ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ରୋଜଗାର ପନ୍ଥା କିଛି ନାହିଁ। ଜଙ୍ଗଲରୁ କାଠ ସ˚ଗ୍ରହ ଓ ଜଙ୍ଗଲଜାତ ଦ୍ରବ୍ୟ ଯୋଗାଡ କରିଥାନ୍ତି। ଏହାକୁ ବିକ୍ରି କଲେ ଯାହା କିଛି ଟଙ୍କା ମିଳେ ସେଥିରେ ପରିବାର ଚଳାଇଥାନ୍ତି। ଗାଁର ଛୋଟଛୋଟ ପିଲା ଅପପୃଷ୍ଟିର ଶିକାର ହେଉଛନ୍ତି। ଏମିତି କି ଆବଶ୍ୟକ ହେଲେ ଗ୍ରାମବାସୀ ଆମ୍ବ ଟାକୁଆକୁ ଜାଉ କରି ଖାଆନ୍ତି। ଦେଶ ସ୍ବାଧୀନତା ହେବାର ୭୨ ବର୍ଷ ପରେ ବି ଏହି ଗାଁକୁ ଗମନାଗମନା ନିମନ୍ତେ ସବୁ ଦିନିଆ ରାସ୍ତାଟିଏ ନାହିଁ। ଏମିତି କି ୨ ଚକିଆ ଗାଡି ବି ଗାଁକୁ ଯିବା ସମ୍ଭବ ନୁହେଁ।
ବହୁ ଦାବି ପରେ ଗାଁରେ ଏକ ସ୍କୁଲ ଖୋଲିଛି ସତ ହେଲେ ଶିକ୍ଷକ କେତେବେଳେ ଆସୁଛନ୍ତି ଆଉ ଯାଉଛନ୍ତି କାହାରିକୁ ଜଣା ନାହିଁ। ଆଦିବାସୀ ବହୁଳ ଜିଲ୍ଲାରେ ଛୋଟଛୋଟ ଗାଁକୁ ରାଜସ୍ବ ଗାଁର ମାନ୍ୟତା ମିଳୁଥିବା ବେଳେ ଡାହୁ ଗାଁ ଏଥିରୁ ବାଦ ପଡିଛି। ସରକାରୀ ବାବୁଙ୍କର ପାଦ କେବେ ପଡେ ନାହିଁ। ଭୋଟ ସମୟରେ ନେତାଙ୍କ ଦେଖା ମିଳେ। ତାପରେ ପୁଣି ୫ ବର୍ଷ ପରେ ଦେଖା। ଗାଁର ସମସ୍ୟା ନେଇ ସରକାର ଓ ଜିଲ୍ଲା ପ୍ରଶାସନକୁ ବହୁବାର ଗୁହାରି କରାଯାଇଥିଲେ ବି କେହି ଦୁଃଖ ଶୁଣୁ ନାହାନ୍ତି ବୋଲି କହନ୍ତି କାଳିସୁଧା ପ୍ରଧାନ।