ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟ୍ଲିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଗତ ୯ ତାରିଖରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ଜେଟ୍ଲିଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଜେଟଲୀଙ୍କୁ ଭେଟିଥିଲେ | ସେହିପରି ବିଏସପି ସୁପ୍ରିମୋ ମାୟାବତୀ ମଧ୍ୟ ଆଜି ଏମ୍ସରେ ଜେଟଲୀଙ୍କୁ ଭେଟିଛନ୍ତି | ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜେଟ୍ଲିଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ପାଇଁ ଏମ୍ସ ପହଞ୍ଚିଥିଲେ।
ଆଜି ଜେଟଲୀଙ୍କ ହାଲଚାଲ ବୁଝିବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଯିବେ | ଜେଟ୍ଲିଙ୍କୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଗତ ୯ତାରିଖରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଏମ୍ସର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଜେଟଲୀଙ୍କ ଚିକିତ୍ସା କରୁଛନ୍ତି ।
୨୦୧୮ରେ ଜେଟଲୀଙ୍କ କିଡନି ପ୍ରତ୍ୟାରୋପଣ ହୋଇଥିଲା । ଏହାପରେ ଜେଟଲୀ କ୍ୟାନସରରେ ପୀଡିତ ଥିବା ଜଣାପଡିଥିଲା ଏବଂ ଚଳିତ ବର୍ଷ ଆରମ୍ଭରୁ ଅଧିକ ଚିକିତ୍ସା ପାଇଁ ସେ ଆମେରିକା ଯାଇଥିଲେ । ସେଠାରେ ତାଙ୍କର ଅପରେସନ ହୋଇଥିଲା । ଅସୁସ୍ଥତା ପାଇଁ ସେ ଏଥର ନିର୍ବାଚନ ଲଢିବାକୁ ମନା କରିଥିଲେ । ତାସହ ମନ୍ତ୍ରୀମଣ୍ଡଳରେ ନରହିବାକୁ ବି କହିଥିଲେ ।