Fri. Mar 6th, 2026

ଜୀବନସାଥୀ ପାଲଟିଲେ ୭୫ ଯୋଡ଼ି ଯୁବକଯୁବତୀ

182 Views

ବାଲେଶ୍ୱର  :  ପଣ୍ଡିତଙ୍କ ବେଦ ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ହୁଳିହୁଳିରେ କମ୍ପି ଉଠିଲା ପରିବେଶ। ଏହାବ୍ୟତୀତ  ସିନ୍ଦୁର ପିନ୍ଧା ସହ ହାତଗଣ୍ଠି ମଧ୍ୟ ପଡ଼ିଲା। ବାପ ଘରୁ ବିଦା ହେବା ପରି ଗହଣାଗାଣ୍ଠି ଧରି ଶାଶୁ ଘରକୁ ଗଲେ ଝିଅ। ଏପରି ଗଣବିବାହ ଆୟୋଜିତ ହୋଇଯାଇଛି ବାଲେଶ୍ୱରରେ ।  ଏକାଥରେ ଜୀବନସାଥୀ ପାଲଟିଗଲେ ୭୫ ଯୋଡ଼ି ଯୁବକଯୁବତୀ।  ସହରର ବାଲଗୋପାଲପୁରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା  । ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଏକାଠି ହେବାକୁ ଶପଥ ନେଇଛନ୍ତି ୭୫ ନବ ଦମ୍ପତି ।

ନବଦମ୍ପତିଙ୍କୁ ଆର୍ଶୀବାଦ ଦେବା ନିମନ୍ତେ ମଧ୍ୟ ଲୋକଙ୍କ ଭିଡ ଜମିଥିଲା। କେବଳ ବାଲେଶ୍ୱର ନୁହେଁ ପଡ଼ୋଶୀ ଜିଲା ମୟୂରଭଞ୍ଜ ଓ ଭଦ୍ରକରୁ ମଧ୍ୟ ବହୁ ଲୋକ ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ ।  ମନ୍ଦିର ପରିଚାଳନା ଟ୍ରଷ୍ଟ ଗତ ୫ ବର୍ଷ ଧରି ମନ୍ଦିର ପ୍ରତିଷ୍ଠା ଦିବସରେ ଏଭଳି କାର୍ଯ୍ୟକ୍ରମ କରି ଆସୁଛି  । ଅର୍ଥ ଅଭାବରୁ ବିବାହ କରିପାରୁ ନ ଥିବା ଯୁବକଯୁବତୀଙ୍କୁ  ଟ୍ରଷ୍ଟ ପକ୍ଷରୁ ଏଭଳି ବିବାହ କରାଯାଇଥାଏ । ବର ଓ କନ୍ୟା ପକ୍ଷଙ୍କ ସମସ୍ତ ଖର୍ଚ୍ଚ ଟ୍ରଷ୍ଟ ବହନ କରିଥାଏ। ନବବଧୂର ଆବଶ୍ୟକ ଗହଣାଠାରୁ ଆରମ୍ଭ କରି ଶାଢି ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ଟ୍ରଷ୍ଟ ବହନ କରିଥାଏ ବୋଲି ଟ୍ରଷ୍ଟର ନିର୍ଦ୍ଦେଶକ କହିଛନ୍ତି  ।

By amfnews

Related Post