Sat. Sep 21st, 2024

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ୍ ସାମୂହିକ ଅଭ୍ୟାସ

236 Views

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକ୍ଡ୍ରିଲ୍ ସାମୂହିକ ଅଭ୍ୟାସ ଅନୁଷ୍ଠିତ ହୋଇଛି  । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଆମ ଦେଶରେ ବିଭିନ୍ନ ପ୍ରକାର ବିପର୍ଯ୍ୟୟ ହେଉଥିବାରୁ ସେଥିରେ ବହୁ ଧନ ଜୀବନ ନଷ୍ଟ ହେଉଛି । ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ଅଧିକ ଥିବାରୁ ଏହାର ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ କହିଥିଲେ  ।

ବିପର୍ଯ୍ୟୟ ସମୟରେ ଯେପରି କମ୍ ଧନ ଜୀବନ କ୍ଷୟକ୍ଷତି ହେବ ସେଥିପାଇଁ ସଜାଗ ରହିବା ଦରକାର  । ବିପର୍ଯ୍ୟୟ ନିମନ୍ତେ ପ୍ରସ୍ତୁତି ରହିବାକୁ ଆଜି ମକ୍ ଡ୍ରିଲ୍ କରାଯାଉଛି । ବିପର୍ଯ୍ୟୟ ପରିଚାଳନା ଯୋଜନା କାର୍ଯ୍ୟକାରୀ କରିବା, ଉଦ୍ଧାର କାର୍ଯ୍ୟ ପାଇଁ ବ୍ୟବହାର ହେବାକୁ ଥିବା ଯନ୍ତ୍ରପାତି ଠିକ୍ ରଖିବା, ସତର୍କ ସୂଚନା ଆସିଲେ ଶୀଘ୍ର ପ୍ରତିକାରମୂଳକ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ  । ବିପର୍ଯ୍ୟୟର ମୁକାବିଲା ପାଇଁ ସମନ୍ୱୟ ରକ୍ଷା କରି ସହଯୋଗ ପୂର୍ବକ କାର୍ଯ୍ୟ କରିବାକୁ କହିଥିଲେ  ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆମ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମା ଓ ବ୍ଲକ ସଦର ମହକୁମାରେ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ୍ ସାମୂହିକ ଅଭ୍ୟାସ କରାଯାଉଛି  । ବିପର୍ଯ୍ୟୟର ମୁକାବିଲା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପୂର୍ଣ୍ଣ ପ୍ରସ୍ତୁତି ଆବଶ୍ୟକ । ଜନସାଧାରଣଙ୍କୁ ବିପର୍ଯ୍ୟୟ  ସମ୍ପର୍କରେ ସଚେତନ କରିବାକୁ ସେ କହିଥିଲେ ।

ଜିଲ୍ଲା ରେଡକ୍ରସ ଶାଖା ଉପସଭାପତି ବିରଞ୍ଚି ନାରାୟଣ ପାଣି ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ କୌଶଳ କାର୍ଯ୍ୟ ଏବଂ ରାପିଡ୍ ରେସ୍ପନ୍ସ ଗ୍ରୁପର ସହାୟତା କାର୍ଯ୍ୟ ସମ୍ପର୍କରେ ବୁଝାଇ କହିଥିଲେ । ଡେପୁଟି କଲେକ୍ଟର ଏମ୍ରଜେନ୍ସି ଶଶାଙ୍କ ଶେଖର ମିଶ୍ର ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଓଡ୍ରାଫ ଟିମ୍ କିପରି ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ କରନ୍ତି ସେ ସମ୍ପର୍କରେ କହିଥିଲେ । ଅଗ୍ନିଶମ ସେବା ବିଭାଗ ତରଫରୁ ପାଣିରେ ବୁଡି ଯାଉଥିବା ଲୋକଙ୍କୁ କିପରି ଉଦ୍ଧାର କରାଯିବ, ବିପଦ ସମୟରେ ଛାତ ଉପରୁ ଓ ଘର ଭିତରୁ କିପରି ଉଦ୍ଧାର କରାଯିବ, ଗ୍ୟାସ ଚାମ୍ବରରୁ ବିପନ୍ନଙ୍କୁ କିଭଳି ଉଦ୍ଧାର କରାଯିବ ଏବଂ ନିଆଁ ଲିବାଯିବ ସେ ସମ୍ପର୍କରେ କୌଶଳ ପ୍ରଦର୍ଶନ କରାଯାଇଥିଲା ।

ଢେଙ୍କାନାଳ ଫାୟାର ଷ୍ଟେସନ୍ ଅଫିସର ଉମକାନ୍ତ ନାୟକ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିପର୍ଯ୍ୟୟ ପରିଚାଳନା ପ୍ରୋଜେକ୍ଟ ଅଫିସର ନିମାଇଁ ଚରଣ ଦାସ ଧନ୍ୟବାଦ ଦେଇଥିଲେ । ଏହି ମକ୍ଡ୍ରିଲ୍ ଅଭ୍ୟାସ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ , ଆର୍ଡବ୍ଲ୍ୟୁଏସ୍ଏସ୍ ନିର୍ବାହୀ ଯନ୍ତ୍ରୀ ବିଜୟାନନ୍ଦ ସାହୁ,ଡିସିପିଓ ଅନୁରାଧା ଗୋସ୍ୱାମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଓଡ୍ରାଫ୍ ଟିମ୍ର କର୍ମକର୍ତ୍ତା ଓ ସଦସ୍ୟ, ଜିଲ୍ଲା ସ୍ତରୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଆଶା ଓ ଅଙ୍ଗନୱାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ  ।

Related Post