Sat. Mar 7th, 2026

ଜିମ୍‌ରୁ ଟେକି ନେଇ ହତ୍ୟା ଘଟଣା: ପୂଜା ଚାନ୍ଦା ନେଇ ଯିବାରୁ ହତ୍ୟା, ୩ ଗିରଫ

206 Views

ପୁରୁଣା ଭୁବନେଶ୍ବର, ଅକ୍ଟୋବର ୨୫: ଜିମ୍‌ରୁ ଟେକି ନେଇ ମାଉସୀ ମା’ ଓଭରବ୍ରିଜ୍‌ ନିକଟରେ ଜଣେ ଯୁବକକୁ ହତ୍ୟା ଘଟଣାରେ ପୁଲିସ ଆଜି ତିନିଜଣ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ଜଙ୍କିଆ ଥାନା ଅଧୀନ ବୋଡ଼ଙ୍ଗରା ଗ୍ରାମର ସନ୍ତୋଷ ସାହୁ ଓରଫ କାହ୍ନା(୨୨), ବଡମ୍ବା ଥାନା ଅଧୀନ କଙ୍କଡ଼ାଯୋଡ଼ି ଗ୍ରାମର କାଳନ୍ଦି ରଣା ଓରଫ କାଳିଆ(୨୩) ଓ ତା’ ସାନ ଭାଇ ଦୀପକ ରଣା ଓରଫ ଦୀପୁ(୧୯)। ଏମାନେ ଗୌତମ ନଗର ଅଧୀନ କଳିଙ୍ଗ ପୁତ୍ର ବସ୍ତିରେ ରୁହନ୍ତି।

ପୁଲିସ ସୂଚନା ଅନୁଯାୟୀ, କ୍ୟାପିଟାଲ ଥାନା ଅଧୀନ ପଟେଲ ବସ୍ତିରେ ରହୁଥିବା ଜଗନ୍ନାଥ ରାଓ ଓରଫ ଜଗା ବାପୁଜୀନଗରରେ ଥିବା ଏକ ଜିମ୍‌କୁ ଗତ ସେପ୍ଟେମ୍ବର ୮ ତାରିଖ ସନ୍ଧ୍ୟାରେ ଯାଇଥିବା ବେଳେ ଏହି ୩ ଅଭିଯୁକ୍ତ ତାଙ୍କୁ ଟେକି ନେଇ ମାଉସୀ ମା’ ଓଭରବ୍ରିଜ୍ ନିକଟରେ ହାଣି ହତ୍ୟା କରିଥିଲେ। ପରେ ତାଙ୍କ ଶବକୁ ରେଳଧାରଣା କଡ଼ ଏକ ଡ୍ରେନ୍‌ରେ ଫିଙ୍ଗି ଦେଇଥିଲେ। ଜଗାଙ୍କୁ ଜିଆରପି ଥାନା ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଏକ ମାମଲା ରୁଜୁ କରିଥିଲା। ପରେ ଏହି ମାମଲା ବଡ଼ଗଡ଼ ଥାନାକୁ ସ୍ଥାନାନ୍ତର କରାଯାଇଥିଲା।

ଅନୁସନ୍ଧାନରୁ ପୁଲିସ ଜାଣିବାକୁ ପାଇଛି ଯେ ଗୌତମ ନଗରରେ ରହୁଥିବା କାହ୍ନା, ଦୀପୁ ଓ କାଳୁଙ୍କ ସହ ଜଗା କ୍ରିକେଟ୍‌ ଖେଳେ। ଅଧିକାଂଶ ସମୟରେ ଜଗା ସେମାନଙ୍କୁ ଅପମାନିତ କରିବା ଅଶ୍ଳୀଳଭାଷାରେ ଗାଳିଗୁଲଜ ଓ ମାରଧର କରିଥାଏ। ତେବେ ୩ଜଣ ଗଣେଶ ପୂଜା ପାଇଁ ଆଦାୟ କରିଥିବା ଚାନ୍ଦା ଟଙ୍କାକୁ ଜଗା ଛଡ଼ାଇ ନେଇ ପଳାଇବା ସହ ଖର୍ଚ୍ଚ କରି ଦେଇଥିଲା। ଟଙ୍କା ମାଗିବାରୁ ଜଗା ଦେଇନଥିଲା। ଫଳରେ ବିଭିନ୍ନ ଘଟଣାକୁ କେନ୍ଦ୍ର କରି ୩ ଜଣଙ୍କ ମନରେ କୁହୁଳୁଥିବା ଅସନ୍ତୋଷ ଜଗାକୁ ହତ୍ୟା କଲା ବୋଲି ପୁଲିସ କହିଛି।

By amfnews

Related Post