ନୂଆଦିଲ୍ଲୀ, ଡିସେମ୍ବର ୨୧ : ଭାରତ ମୁମ୍ବାଇରେ ଥିବା ଜିନ୍ନା ହାଉସ୍ର ମାଲିକାନାକୁ ନେଇ ପାକିସ୍ତାନର ଦାବିକୁ ଗୁରୁବାର ଖାରଜ କରିଦେଇଛି। ଏହି ସଂପତ୍ତି ଭାରତର। ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ସଂପତ୍ତିକୁ ନେଇ ଯେତେଦୂର ଜଣାପଡ଼ିଛି, ଏଥିରେ ପାକିସ୍ତାନର କୌଣସି ପକ୍ଷ ରହୁ ନାହିଁ। ଏହା ହେଉଛି ଭାରତ ସରକାରଙ୍କ ସଂପତ୍ତି। ଆମେ ଏହାକୁ ସୁନ୍ଦର ଭାବରେ ଗଢ଼ିବାକୁ ଚିନ୍ତା କରିଛୁ।
ମୁମ୍ବାଇର ମାଲବାର ହିଲରେ ଥିବା ବଂଗଲାର ଡିଜାଇନ ବାସ୍ତୁଶିଳ୍ପୀ କ୍ଲାଉଡ ବାଟଲି ଉଇରୋପୀୟ ଶୈଳୀରେ ପ୍ରସ୍ତୁତ କରିଥିଲେ। ଏଠାରେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନା ୧୯୩୦ ଯାଏଁ ରହୁଥିଲେ। ଏହି ବଂଗଳାର ମୁହଁ ସମୂଦ୍ର ଆଡକୁ ରହିଛି। ପାକିସ୍ତାନ ଏବେ ଦାବି କରୁଛି ଯେ, ଏହି ବଙ୍ଗଳାକୁ ତା’ର ମୁମ୍ବାଇ ବାଣିଜ୍ୟିକ ଦୂତାବାସ ପାଇଁ ହସ୍ତାନ୍ତର କରାଯାଉ। ଅନ୍ୟପକ୍ଷରେ ଭାରତ ଏହାକୁ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ ଭଳି ଗଢ଼ାଯିବାର ଯୋଜନା ରହିଛି।
ମଲବାର ହିଲର ସ୍ଥାନୀୟ ବିଜେପି ବିଧାୟକ ମଙ୍ଗଲପ୍ରଭାତ ଲୋଧା ଗତ ୭ ବର୍ଷ ହେବ ଜିନ୍ନା ହାଉସକୁ ବିଭାଜନର ପ୍ରତୀକ କହି ଏହାକୁ ଭାଙ୍ଗିବାକୁ ଦାବି କରି ଆସୁଛନ୍ତି । ବିଧାୟକ ଲୋଧାଙ୍କ ଅନ୍ୟ ଦାବି ହେଲା ଯେ, ଜିନ୍ନା ହାଉସକୁ ଭଙ୍ଗା ଯାଇ ଏଠାରେ ସାଂସ୍କୃତିକ କେନ୍ଦ୍ର ନିର୍ମାଣ କରାଯାଉ । ସେ ଏହି ମାମଲାକୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ପହଂଚାଇଛନ୍ତି ।
ମହମ୍ମଦ ଅଲୀ ଜିନ୍ନା ମୁମ୍ବାଇର ପର୍ଶ ଅଂଚଳରେ ମଲବାର ହିଲରେ ଏକ କୋଠା ନିର୍ମାଣ କରିଥିଲେ । ଏହି କୋଠାକୁ ନିର୍ମାଣ କରିବା ଲାଗି ସେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ସେହି ସମୟରେ ଏହି କୋଠାକୁ ସାଉଥ କୋର୍ଟ କୁହାଯାଉଥିଲା । ଏହି କୋଠା ୨.୫ ଏକର ଜମିରେ ବିସ୍ତାରିତ ହୋଇଛି ।
ଦେଶ ଅଲଗା ହେବା ପରେ ପାକିସ୍ତାନ ଯାଇଥିବା ଲୋକଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ଭାରତ ଜବତ କରିଥିଲା । ଏହି ସଂପତ୍ତିକୁ ଶତ୍ରୁ ସଂପତ୍ତି କୁହାଯାଇଥିଲା । ଜିନ୍ନାଙ୍କ ପରଲୋକ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଜିନ୍ନା ହାଉସକୁ ଖାଲି ସଂପତ୍ତି ଘୋଷଣା କରିଥିଲେ । ଦେଶ ସ୍ୱାଧୀନତା ପରେ ୧୯୮୨ ପର୍ଯ୍ୟନ୍ତ ଜିନ୍ନା ହାଉସ ବିଟ୍ରିଶ ଉଚ୍ଚାୟୋଗ ଭାବରେ କାମ କରୁଥିଲା । ବର୍ଷ ୧୯୯୭ରେ ସାଂସ୍କୃତିକ ଗତିବିଧିକୁ ଦୃଷ୍ଟିରେ ରଖି ଇଣ୍ଡିଆନ କାଉନସିଲ ଫର କଲଚରାଲ ରିଲେସନକୁ ହସ୍ତାନ୍ତର କରି ଦିଆଯାଇଥିଲା ।