Sun. Mar 8th, 2026

ଜିଏସ୍‌ଟି ଆଦାୟରେ ଓଡ଼ିଶା ଆଗରେ : ୭ ମାସରେ ୮୬୮୪ କୋଟି ଆଦାୟ, ୩୦% ବଢ଼ିଛି

148 Views

ଭୁବନେଶ୍ବର : ଚଳିତ ଆର୍ଥିକ ବର୍ଷର ପ୍ରଥମ ୭ ମାସ ଅର୍ଥାତ୍ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଓଡ଼ିଶାରୁ ୮୬୮୩ କୋଟି ୮୫ ଲକ୍ଷ ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ପୂର୍ବ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଓଡ଼ିଶାରୁ ୬୬୭୫ କୋଟି ୮୩ ଲକ୍ଷ ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଏଥିରେ ଉଭୟ କେନ୍ଦ୍ରୀୟ ଜିଏସଟି ଏବଂ ରାଜ୍ୟ ଜିଏସଟି ଅନ୍ତର୍ଭୁକ୍ତ ରହିଛି। ତେଣୁ ୭ ମାସ ମଧ୍ୟରେ ଓଡ଼ିଶାରୁ ଜିଏସଟି ଆଦାୟରେ ୩୦.୦୮ ପ୍ରତିଶତ ବୃଦ୍ଧି ଘଟିଛି। ଏହା ଦେଶର ପ୍ରମୁଖ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧିକ ଏବଂ ଜାତୀୟ ହାର ୧୧.୫୩ ପ୍ରତିଶତ ତୁଳନାରେ ମଧ୍ୟ ଅଧିକ। ପୂର୍ବବର୍ଷ ନଭେମ୍ବର ତୁଳନାରେ ଚଳିତବର୍ଷ ନଭେମ୍ବରରେ ରାଜ୍ୟ ଜିଏସଟି (ଏସ୍‌ଜିଏସ୍‌ଟି) ୩୮ ପ୍ରତିଶତ ବୃଦ୍ଧି ପାଇଛି। ରାଜ୍ୟର ଟିକସଦାତାଙ୍କ ତରଫରୁ ରିଟର୍ଣ୍ଣ ଦାଖଲରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ୨୦୧୮ ଅକ୍ଟୋବରରେ ୬୫.୩୧ ପ୍ରତିଶତ ଟିକସଦାତା ରିଟର୍ଣ୍ଣ ଦାଖଲ କରିଥିବାବେଳେ ଚଳିତବର୍ଷ ଅକ୍ଟୋବରରେ ୮୩.୫୦ ପ୍ରତିଶତ ଟିକସଦାତା ରିଟର୍ଣ୍ଣ ଦାଖଲ କରିଛନ୍ତି।

ଜିଏସ୍‌ଟି ଆଦାୟ ବୃଦ୍ଧି ସହିତ ଟିକସ ଫାଙ୍କୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି କମିସନର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ନିର୍ଦ୍ଧାରିତ ତାରିଖ ମଧ୍ୟରେ ଶତ ପ୍ରତିଶତ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟା ନିଶ୍ଚିତ କରିବା ପାଇଁ ରାଜ୍ୟ ବାଣିଜ୍ୟକର ଏବଂ ଜିଏସ୍‌ଟି କମିସନର୍‌ ସୁଶୀଲ କୁମାର ଲୋହାନୀ କ୍ଷେତ୍ରୀୟ କାର୍ଯ୍ୟାଳୟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ରିଟର୍ଣ୍ଣ ଦାଖଲ ଖିଲାପକାରୀ ଓ ଭୁଲ ରିଟର୍ଣ୍ଣ ଦାଖଲକାରୀଙ୍କ ବିରୋଧରେ ରାଜ୍ୟ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବା କର ସଂସ୍ଥା ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। କେବଳ ଚଳିତ ବର୍ଷ ନଭେମ୍ବରରେ ରିଟର୍ଣ୍ଣ ଦାଖଲ ଖିଲାପକାରୀଙ୍କ ବିରୋଧରେ ୧୦ ହଜାରରୁ ଅଧିକ ନୋଟିସ ଜାରି କରାଯାଇଛି। ‌ଯେଉଁ ଟିକସଦାତାଙ୍କ ଟିକସ ଦେୟ ପରିମାଣ ଓ ପ୍ରାପ୍ୟ ମଧ୍ୟରେ ଅସାମଞ୍ଜସ୍ୟ ରହୁଛି ସେମାନଙ୍କ ରିଟର୍ଣ୍ଣ ଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟା ନିଶ୍ଚିତ କରିବା ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କ୍ଷେତ୍ରୀୟ କାର୍ଯ୍ୟାଳୟ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଟିକସଦାତାଙ୍କ ସଂଖ୍ୟା ବୃଦ୍ଧି, ବିଶେଷକରି ସେବା କ୍ଷେତ୍ରର ସମ୍ଭାବ୍ୟ ଟିକସଦାତାଙ୍କ ସର୍ଭେ କରିବାକୁ କ୍ଷେତ୍ରୀୟ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ କୁହାଯାଇଛି। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ନୂଆ ମାମଲାରେ ଶତ ପ୍ରତିଶତ ପଞ୍ଜୀକରଣ ପରିବର୍ତ୍ତୀ ଅନୁସନ୍ଧାନ ପ୍ରକ୍ରିୟା ଏବଂ ଟିକସଦାତାଙ୍କ କ୍ଷେତ୍ରରେ ଅତିକମ୍‌ରେ ୫୦ ପ୍ରତିଶତ ଅନୁସନ୍ଧାନ ପ୍ରକ୍ରିୟା ଶେଷ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

କେବଳ ସେତିକି ନୁହେଁ, ଟିକସ ଫାଙ୍କୁଥିବା ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ ଆଭିମୁଖ୍ୟ କମିସନର୍ ପୋଷଣ କରିଛନ୍ତି। ଏନଫୋର୍ସମେଣ୍ଟ୍ ଶାଖା ପକ୍ଷରୁ ଅକସ୍ମାତ ଚଢ଼ଉ, ବ୍ୟବସାୟ ପ୍ରତିଷ୍ଠାନ ତଲାସି ମାଧ୍ୟମରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇ କେତେକ ଟିକସଦାତା ଓ ସେମାନଙ୍କୁ ‌ସୁରକ୍ଷା ଦେଉଥିବା କେତେକ ବ୍ୟକ୍ତି ବିଶେଷଙ୍କୁ ଗିରଫ କରାଯାଇଛି। ଟିକସ ଫାଙ୍କିବା କିମ୍ବା ଟିକସ ଠକେଇରେ ସେମାନଙ୍କ ସଂପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ଗିରଫଦାରୀ କରାଯାଇଛି।

By amfnews

Related Post