ରାଉରକେଲା, ୧୧ା୧ : ଏଆଇୟୁଟିୟୁସି ସମେତ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ତଥା ବିଭିନ୍ନ ସ୍ୱାଧୀନ ଶ୍ରମିକ ସଙ୍ଗଠନମାନଙ୍କ ଡାକରାରେ ଆହୂତ ୧୨ ଦଫା ଦାବିରେ ଜାନୁୟାରୀ ୮ ଓ ୯ ସାଧାରଣ ଧର୍ମଘଟକୁ ସୁନ୍ଦରଗଡ ଜିଲାବାସୀ ସଫଳ କରିଥିବାରୁ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ସୁନ୍ଦରଗଡ ଜିଲା କମିଟି ପକ୍ଷରୁ ସଂଗ୍ରାମୀ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
ମୋଦି ସରକାରଙ୍କ ଜନବିରୋଧି ନୀତି ଦ୍ୱାରା ଦେଶର ଶ୍ରମଜୀବୀ ଜନଗଣଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି । ଏଥିସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ସହ ୪୪ଟି ଶ୍ରମ ଆଇନ୍ରେ ପରିବର୍ତ୍ତନ କରାଯାଇ ୪ଟି ଲେବର କୋଡରେ ରୂପାନ୍ତରିତ କରାଯାଇଛି । ବିମୁଦ୍ରୀକରଣ ଦ୍ୱାରା ଲକ୍ଷ ଲକ୍ଷ ଶ୍ରମିକ ଛଟେଇ ହୋଇଛନ୍ତି ଏବଂ ବେକାରୀ ସମସ୍ୟା ଉକ୍ରଟ ରୂପ ଧାରଣ କରିଛି, ଯାହାର ପରିଣାମ ଏହି ୨ ଦିନିଆ ସାଧାରଣ ଧର୍ମଘଟର ସଫଳତା ସ୍ୱରୂପ ପ୍ରମାଣ କରୁଛି । ଏହି ସମସ୍ତ ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଶକ୍ତିଶାଳୀ ଆନ୍ଦୋଳନ ଓ ଗଣଆନ୍ଦୋଳନ ଗଢି ତୋଳିବାକୁ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଛି ।