ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ନିର୍ଭୟା ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଜାନୁୟାରୀ ୨୨ରେ ଫାଶୀ ଦିଆଯାଇନପାରେ | ଦିଲ୍ଲୀ ହାଇକୋର୍ଟ ଆଜି ଦିଲ୍ଲୀ ସରକାର ଓ ଏସଏସଜିକୁ କହିଛନ୍ତି ଯେ ରାଜକ୍ଷମା ଆବେଦନ ହୋଇଥିବାରୁ ଫାଶୀ ଦିଆଯାଇପାରିବନାହିଁ | କ୍ଷମା ଆବେଦନ ନିଷ୍ପତ୍ତି ପରେ ଦୋଷୀଙ୍କୁ ୧୪ ଦିନର ସମୟ ଦେବାକୁ ହେବ ବୋଲି କୋର୍ଟ କହିଛନ୍ତି | ତେବେ ଦିଲ୍ଲୀ ସରକାରଙ୍କ ଓକିଲ ଆଜି ସ୍ପଷ୍ଟ କରିଛନ୍ତି ଯେ ଜାନୁୟାରୀ ୨୨ ତାରିଖରେ ଫାଶୀ ଦିଆଯିବ ନାହିଁ | ଦୋଷୀ ମୁକେଶ ପକ୍ଷରୁ ଡେଥ ୱାରେଣ୍ଟକୁ ନେଇ କୁହାଯାଇଥିଲା ଯେ ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଡେଥ ୱାରେଣ୍ଟକୁ ରଦ୍ଦ କରାଯାଉ |
ଏଠାରେ ସୂଚନା ଥାଉ କି ୨୦୧୨ ମସିହା ଦିଲ୍ଲୀରେ ଘଟିଥିବା ଲୋମଟାଙ୍କୁରା ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ମଧ୍ୟରୁ ୨ ଜଣ ଦୋଷୀ ବିନୟ କୁମାର ଶର୍ମା ଏବଂ ମୁକେଶ ସିଂହର କ୍ୟୁରେଟିଭ୍ ପିଟିସନ୍କୁ ମଙ୍ଗଳବାର ସୁପ୍ରିମ କୋର୍ଟ ଖାରଜ କରିଦେଇଥିଲେ ।
ଅନ୍ୟପକ୍ଷରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଖାରଜ ହେବାପରେ ଦୋଷୀ ମୁକେଶ ସିଂହ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି। ନିର୍ଭୟା ମାମଲାରେ ୪ ଦୋଷୀଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଗତ ୭ ତାରିଖରେ ମୃତ୍ୟୁ ପରୱାନା ଜାରି କରିଥିଲେ। ସମସ୍ତ ଦୋଷୀଙ୍କୁ ଜାନୁଆରି ୨୨ ସକାଳ ୭ଟା ବେଳେ ତିହାର ଜେଲ୍ରେ ଫାଶୀ ଦିଆଯିବ ବୋଲି ଡେଥ ୱାରେଣ୍ଟରେ କୁହାଯାଇଥିଲା |