Sun. Jan 12th, 2025

ଜାନକୀବଲ୍ଲଭ ପଟ୍ଟନାୟକ ଉଦ୍ୟାନ ଲୋକାର୍ପିତ

By amfnews Jan 4, 2019 #Featured
211 Views

ଭୁବନେଶ୍ବର :ପୂର୍ଣ୍ଣାଙ୍ଗ ରୂପ ନେଇଛି ଖୋର୍ଧାସ୍ଥିତ ଜାନକୀ ବଲ୍ଲଭ ପଟ୍ଟନାୟକ ଉଦ୍ୟାନ। କଳାତ୍ମକ ପରିପ୍ରକାଶ ଉଦ୍ୟାନର ଶୋଭାକୁ ବହୁଗୁଣିତ କରିଛି। ପ୍ରଜ୍ଞା ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୨ତମ ଜୟନ୍ତୀ ଅବସରରେ ଲୋକାର୍ପିତ ହୋଇଛି ଏହି ନିଆରା ଉଦ୍ୟାନ। ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଫିତାକାଟି ଉଦ୍ୟାନକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

୩ ବର୍ଷ ତଳେ କେବଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତି ସ୍ଥାପନ ହୋଇଥିଲା। ତେବେ ଇତିମଧ୍ୟରେ ସୀମିତ ପରିସରରେ ଉଦ୍ୟାନର ଏ ନବକଳେବରକୁ ଅତିଥିମାନେ ପ୍ରଶଂସା କରିଛନ୍ତି। ସରକାର ଏଥିପାଇଁ ଜାଗା ଯୋଗାଇ ଦେଇଥିବା ବେଳେ ସ୍ମୃତି କମିଟି ଟ୍ରଷ୍ଟ୍‌ ଉଦ୍ୟମରେ ୨କୋଟି ୭୮ ଲକ୍ଷ ଟଙ୍କା‌ରେ ନିର୍ମିତ ଏହି ଉଦ୍ୟାନରେ ପ୍ରକୃତିର ଅନୁପମ ସୌନ୍ଦର୍ଯ୍ୟ ସାଇତା ରହିଛି। ‌

ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଯେ, ଏ ଜାଗାଟିକୁ ୪ ବର୍ଷ ତଳେ ଯିଏ ଦେଖିଥିବ, ଏଠାରେ ଯେ ଏମିତି ଉଦ୍ୟାନଟିଏ ହୋଇପାରିଛି ‌ସ୍ବପ୍ନରେ ସୁଦ୍ଧା ଭାବି ପାରିବ ନାହିଁ। ଏହା ଆତ୍ମବିଶ୍ବାସ ଓ ପ୍ରବଳ ଇଚ୍ଛାଶକ୍ତିର ଆଉ ଏକ ପ୍ରମାଣ। ତେଣୁ ଏହି ଉଦ୍ୟାନ ପାଇଁ ଅନୁଦାନ, ଶ୍ରମଦାନ, ସହଯୋଗ କରିଥିବା ବ୍ୟକ୍ତିବି‌ଶେଷ ଏବଂ ଶୁଭେଚ୍ଛୁମାନେ ଧନ୍ୟବାଦର ପାତ୍ର ବୋଲି ସେ କହିଛନ୍ତି। ଏଥିସହ ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ସ୍ବର୍ଗତଃ ପଟ୍ଟନାୟକଙ୍କ ଉଦ୍ୟମ ଏବଂ ଉଦ୍ୟାନ ପ୍ରତି ତାଙ୍କର ଶ୍ରଦ୍ଧା ସମ୍ପର୍କରେ ସେ କହିଥିଲେ।

ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଲେ, ଜାନକୀ ପଟ୍ଟନାୟକ ଥିଲେ ମହାମନୀଷୀ ଏବଂ ରାଜନୀତିର ଶ୍ରେଷ୍ଠ ଗୁରୁ। ଏଭଳି ଜଣେ ବ୍ୟକ୍ତିତ୍ବଙ୍କ ନାମରେ ଉଦ୍ୟାନ କରିବା ଖୋର୍ଧା ମାଟି ପାଇଁ ଗର୍ବର ବିଷୟ। ଉତ୍ତର ‌ଓଡ଼ିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ମେଜର ‌କ୍ଷୀରୋଦ ପ୍ରସାଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଜାନକୀ ବାବୁ ଜଣେ ଅଦ୍ବିତୀୟ ବ୍ୟକ୍ତିତ୍ବ। ସେ ଦେଶର ଜଣେ ମହାନ ବିଦ୍ବାନ। ଖୋର୍ଧାକୁ ସେ ନିବିଡ଼ ଭାବେ ଭଲ ପାଉଥିଲେ। ତେଣୁ ଏଠାରେ ତାଙ୍କ ନାମରେ ଏହିଭଳି ଏକ ଉଦ୍ୟାନକୁ ଉତ୍ସର୍ଗ କରିବା ପ୍ରକୃତ ଶ୍ରଦ୍ଧାଞ୍ଜଳି।

ପୂର୍ବତନ ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର ଏହି ଉଦ୍ୟାନର ସ୍ଥାୟୀ ରକ୍ଷଣାବେକ୍ଷଣର ଦାୟିତ୍ବ ବିଡିଏ ନେଉ ବୋଲି ମତ ରଖିଥିଲେ। ଖୋର୍ଧା ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ର ଏହି ଉଦ୍ୟାନକୁ କିଛିଦିନ ତଳେ ଭ୍ରମଣରେ ଆସିଥିବା ବେଳେ ଏହାର ପରିସରକୁ ଆହୁରି ୩ ଏକରକୁ ସଂପ୍ରସାରିତ କରିବା ପାଇଁ ଘୋଷଣା କରିଥିବା ସ୍ମୃତି କମିଟି ଟ୍ରଷ୍ଟ୍‌ର ସମ୍ପାଦକ ସଂଜୟ ପଟ୍ଟନାୟକ କହିଛନ୍ତି। ଏଥିସହ ଖୋର୍ଧା ଜିଲ୍ଲାରେ ଏକ ବିଜ୍ଞାନ ଉଦ୍ୟାନ ପାଇଁ ୩ କୋଟି ଟଙ୍କା ଆସିଥିବା ବେଳେ ତାକୁ ମଧ୍ୟ ଏହି ଉଦ୍ୟାନ ସହ ସଂଯୋଗ କରିବା ପାଇଁ ବ୍ୟବସ୍ଥା କରିବାକୁ ସେ ନିବେଦନ କରିଛନ୍ତି।

ଏହି ଅବସରରେ ଉଦ୍ୟାନର ଡିଜାଇନ୍‌ କରିଥିବା ବିଜୟରାମ ଦାସଙ୍କୁ ସମ୍ବର୍ଧିତ କରାଯାଇଥିଲା। ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ଦଳେଇ ଏବଂ ଅମିୟ ଦାସ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ବିମଳ ରଥ ଉପସ୍ଥିତ ଥିଲେ। ଶେଷରେ କୋଷାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଉଦ୍ୟାନରେ ଖୋର୍ଧାଗଡ଼ ରାଜପ୍ରାସାଦ

ଘାସ ଗାଲିଚା ପରିବେଷ୍ଟିତ ୪ଏକରର ଏହି ଉଦ୍ୟାନରେ ଶୋଭା ବଢ଼ାଉଛି କଳାକୃତି। ପୂର୍ବରୁ ଥିବା ପଥର ପାହାଡ଼କୁ କାଟି ନିର୍ମିତ ହୋଇଥିବା ଖୋର୍ଧାଗଡ଼ ରାଜପ୍ରାସାଦର ପ୍ରତିକୃତି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହା ଉପରେ ହାତୀକୁ ଚିତ୍ରଣ କରାଯାଇଥିବା ବେଳେ ସମ୍ମୁଖରେ ନାଚ ମଣ୍ଡପ ରହିଛି। ଏହି ମଞ୍ଚରେ ପ୍ରତ୍ୟେକ ରବିବାର ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସ୍ମୃତି କମିଟି ଟ୍ରଷ୍ଟ୍‌ର ସମ୍ପାଦକ ସଂଜୟ ପଟ୍ଟନାୟକ କହିଛନ୍ତି। ଉଦ୍ୟାନ ମଧ୍ୟରେ କୃତ୍ରିମ ଝରଣା ଏବଂ ନଈ ରହିଥିବା ‌ବେଳେ ଏହା ମଧ୍ୟରେ ବୋଟିଂର ବ୍ୟବସ୍ଥା ରହିଛି। ଏଥିସହ ପୁରୁଣା ସ୍କୁଟର, ନାନୋ କାର୍‌, ଶଗଡ଼ ଚକକୁ କଳାତ୍ମକ ଛାପ ଦେଇ ନୂଆ ଢଙ୍ଗରେ ସେଲ୍‌ଫି ଜୋନ୍‌ କରାଯାଇଛି। ୯ଶହ ମିଟରର ପାଦଚଲା ରାସ୍ତା ରହିଥିବା ବେଳେ ଘାସ ଗାଲିଚା ପାଇଁ ୯୦ଲକ୍ଷ ଟଙ୍କା ଖର୍ଚ ହୋଇଛି। ଜଳ ଫୁଆରାରେ ଆଲୁଅ ଓ ପାଣିର ‌ଖେଳ ଦେଖିବାକୁ ମିଳୁଛି। ଉଦ୍ୟାନ ପ୍ରତ୍ୟେକଦିନ ଭୋର ୫ଟାରୁ ୮ଟା ଏବଂ ଅପରାହ୍‌ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି।

By amfnews

Related Post