Fri. Mar 6th, 2026

ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ କଟିଲା ୧୫ ଶହ :୪ ବର୍ଷରେ ଲାଗିଲାନି ଗୋଟିଏ ବି ଗଛ

241 Views

କେସିଙ୍ଗା : ଜାତୀୟ ରାଜପଥ ୨୬ ସମ୍ପ୍ରସାରଣ ପାଇଁ ଅମାଠ ଠାରୁ ଭବାନୀପାଟଣା ପର୍ଯ୍ୟନ୍ତ ସମୁଦାୟ ୧୫ ଶହଟି ଗଛ କଟା ଯାଇଥିଲା। ୪ ବର୍ଷ ପରେ କୋଟି କୋଟି ଟଙ୍କାର ଅନୁଦାନ ଥାଇ ମଧ୍ୟ ଗୋଟିଏ ହେଲେ ଗଛ ଲାଗି ପାରିଲା ନାହିଁ। ଏନଏଚ, ବନ ବିଭାଗ ଓ ବନ ନିଗମ ମଧ୍ୟରେ ତାଳମେଳ ରହୁ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ, ଅମାଠ ଠାରୁ ଜାତୀୟ ରାଜପଥ ବିଭାଗ ୧୫୦୦ ଗଛ କାଟିବା ପାଇଁ ଓଡ଼ିଶା ବନ ନିଗମକୁ ୫୫ ଲକ୍ଷ ଟଙ୍କା ଓ କେସିଙ୍ଗାରୁ ଚାଂଚେର ଭବାନୀପାଟଣା ପର୍ଯ୍ୟନ୍ତ ୪୦୦ ଗଛ କାଟିବା ପାଇଁ ୭୯ଲକ୍ଷ ଟଙ୍କା ଅନୁଦାନ ଦେଇଥିଲା। ସେହିପରି ୧୦ ଗୁଣ ଗଛ ଲଗାଇବା ପାଇଁ ୧ କୋଟି ୯୫ ଲକ୍ଷ ଟଙ୍କା ଅନୁଦାନ ବନ ବିଭାଗ ଜରିଆରେ ଓଡ଼ିଶା ବନ ନିଗମକୁ ୪ବର୍ଷ ହେଲା ଅନୁଦାନ ଦିଆଯାଇଛି। କିନ୍ତୁ, ୪ବର୍ଷରେ ଗୋଟିଏ ଗୁଣ ବି ଗଛ ଲଗା ଯାଇ ନାହିଁ। ଫଳରେ ଅନୁଦାନ ଖତ ଖାଉଛି। ନିୟମ ଅନୁଯାୟୀ, ୧୫୦୦ ଗଛ ପାଇଁ ୧୫୦୦୦  ଗଛ ଲଗାଇ ୫ବର୍ଷ ପର୍ଯ୍ୟନ୍ତ ଗଛର ରକ୍ଷଣା ବେକ୍ଷଣା କରିବା କଥା। ଏହି ଆଧାରରେ ପରିବେଶ ବିଭାଗ ମଧ୍ୟ ମଞ୍ଜୁରି ଦେଇଛି। ମାତ୍ର ନିୟମ କାଗଜ କଲମରେ ରହି ଯାଇଥିବା ବେଳେ ଏବେ  ବିଭାଗଗୁଡ଼ିକର ଦାୟିତ୍ବହୀନତା ଯୋଗୁଁ ବିକାଶ ବିନାଶର ରୂପ ନେଇଛି। କଳାହାଣ୍ଡି କ୍ରମେ ଉତ୍ତପ୍ତ ପିଣ୍ଡ ପାଲଟିବାକୁ ଲାଗିଲାଣି। ସବୁବେଳେ ରାସ୍ତା କାର୍ଯ୍ୟ ନେଇ ତନଖି ହେଉଥିବା ବେଳେ କେଉଁ ବିଭାଗ ବି ଏଥି ପ୍ରତି ନଜର ନାହିଁ କି ସମୀକ୍ଷା ଟିଏ ନାହିଁ। ବର୍ଷକୁ ବର୍ଷ ଶ୍ରମିକ ପାଉଣା ବଢ଼ିବାରେ ଲାଗିଛି। ଫଳରେ ଯେଉଁ ଅନୁଦାନ ଆସିଛି ତାହା କମ୍‌ ହୋଇପାରେ। ଏଣୁ ଗଛ ଲାଗିବ କି ନାହିଁ ସନ୍ଦେହ ଦେଖାଗଲାଣି। ସେହିପରି ଜାତୀୟ ରାଜପଥ କଡ଼ରେ ଗଛ ଲଗାଇବା ପାଇଁ ରାଜପଥ ବିଭାଗ ପର୍ଯ୍ୟାପ୍ତ ପରିମାଣ ସ୍ଥାନ ଦେଇ ମାଟି ନ ଖସିବା ପାଇଁ ବ୍ୟବସ୍ଥା କରିବା କଥା। ମାତ୍ର ରାଜପଥ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥା ହିଁ କରା ଯାଇ ନାହିଁ। ଫଳରେ ଗଛ ବଦଳରେ ଗଛ କେବେ ଲାଗିବ ସେଥିରେ ଅନିଶ୍ଚିତତା ଦେଖା ଦେଇଛି।

By amfnews

Related Post