Mon. Nov 25th, 2024

ଜାତୀୟ ଜନଜାତି ଉପାଧ୍ୟକ୍ଷାଙ୍କ ରାଉରକେଲା ଗସ୍ତ

By amfnews Sep 8, 2018 #Featured
119 Views

ରାଉରକେଲା, ୮ା୯ : ଜାତୀୟ ଜନଜାତି ଉପାଧ୍ୟକ୍ଷା ଅନସୂୟା ଉକି ରାଉରକେଲା ଗସ୍ତରେ ଆସି ସ୍ଥାୟୀନ ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଉନ୍ନୟନ ଆଦିବାସୀ ସଂସ୍ଥା ସଭାଗୃହ ଠାରେ ପ୍ରଶାସନ ପକ୍ଷରୁ ଆୟୋଜିତ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ଜାତୀୟ ଜନଜାତି ଉପାଧ୍ୟକ୍ଷ, ଆର୍ଏସ୍ପି କାରଖାନା ପ୍ରତିଷ୍ଠା ସମୟରେ ବିସ୍ଥାପିତ ହୋଇଥିବା ୧୧୦ ଜଣ ଜନଜାତି ପରିବାରଙ୍କୁ ବିଶ୍ରା ଓ ଲାଠିକଟା ତହସିଲ ତରଫରୁ ପ୍ରସ୍ତୁତ ଜମିପଟ୍ଟା ସ୍ୱତ୍ତ୍ୱ ପ୍ରଦାନ କରିଥିଲେ ।

ସେ ଏହି ଅବସରରେ ଜନଜାତିମାନଙ୍କ ନିମନ୍ତେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଉଦ୍ବୋଧନ ଦେଇ ପ୍ରଶାସନ ତରଫରୁ ନିଆଯାଇଥିବା ତ୍ୱରିତ ପଦକ୍ଷେପ ପାଇଁ ସନ୍ତୋଷ ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷାଙ୍କ ସହ ଭାରତ ସରକାରଙ୍କ ଜାତୀୟ ଜନଜାତି ଆୟୁକ୍ତ ରାଘବ ଚନ୍ଦ୍ର, ଏସ୍ଟି ଏସ୍ଟି ସହକାରୀ ନିର୍ଦ୍ଦେଶକ ରାଜେଶ୍ୱର କୁମାର, ସୁନ୍ଦରଗଡ ଜିଲାପାଳ ସୁରେନ୍ଦ୍ର କୁମାର ମିନା, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଅଶୋକ ବର୍ଦ୍ଧନ ପ୍ରମୁଖ ଯୋଗଦାନ କରି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲାପାଳ ମୋନୀଷା ବାନାର୍ଜୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପାନପୋଷ ତହସିଲଦାର ବିଶ୍ୱରଞ୍ଜନ ରଥ ଧନ୍ୟବାଦ ଦେଇଥିଲେ । ଅପରାହ୍ନ ୪ଟାରେ ଅତିରିକ୍ତ ଜିଲାପାଳଙ୍କ ସଭାକକ୍ଷ ଠାରେ ଜାତୀୟ ଜନଜାତି ଆୟୁକ୍ତଙ୍କ ଦ୍ୱାରା ବିସ୍ଥାପିତମାନଙ୍କ ବିଭିନ୍ନ ସମସ୍ୟା ଓ ଦାଖଲ ଆପତ୍ତି ଅଭିଯୋଗ ଉପରେ ପ୍ରଶାସନ, ଆର୍ଏସ୍ପିର ବରିଷ୍ଠ ଅଧିକାରୀ ତଥା ବିସ୍ଥାପିତ ଜନଜାତିର ପ୍ରତିନିଧିମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ଜନଜାତି ପୂଜାପୀଠ ସାର୍ନା ସ୍ଥଳ, ବିସ୍ଥାପିତଙ୍କ ରୋଜଗାର, ବିସ୍ଥାପିତମାନେ ରହୁଥିବା ସ୍ଥାନରେ ମୌଳିକ ସୁବିଧା ପ୍ରଦାନ ସହ ଆଗାମୀ ଦିନରେ ବିସ୍ଥାପିତଙ୍କୁ ଜମିପଟ୍ଟା ପ୍ରଦାନ, ବିଭିନ୍ନ ସରକାରୀ ଯୋଜନାରେ ଅଗ୍ରାଧିକାର ଭିତ୍ତିରେ ଅନ୍ତର୍ଭୁକ୍ତ କରିବା, ସରକାରଙ୍କ ବିଭିନ୍ନ ଯୋଜନାରେ ଗୃହ ଆବଣ୍ଟନ ଇତ୍ୟାଦି ଉପରେ ବିଶଦ୍ ଆଲୋଚନା ହୋଇଥିଲା ।

ବୈଠକରେ ଆର୍ଏସ୍ପି ତରଫରୁ ଇଡି ପ୍ରଭାତ କୁମାର ପ୍ରଧାନ, ଜିଏମ୍ଟିଏସ୍ ନିରୋଦ କୁମାର ସାମନ୍ତରାୟ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା ଜନଜାତି ପ୍ରତିନିଧି ବୃନ୍ଦ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉପାଧ୍ୟକ୍ଷା, ଏସ୍ସି ଏସ୍ଟି, ଜିଲା ପ୍ରଶାସନ, ଆର୍ଏସ୍ପି ଜନଜାତି ପ୍ରତିନିଧି ବୃନ୍ଦ ମିଳିତ ଭାବେ ସମସ୍ତ ପ୍ରକାର ବିଧି ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବିସ୍ଥାପିତମାନେ ଯେପରି ଉପଯୁକ୍ତ ଥଇଥାନ ହୋଇପାରିବେ ସେଥି ପ୍ରତି ଗୁରୁତ୍ୱାରୋପ ପାଇଁ ପରାମର୍ଶ ଦେଇଥିଲେ ।

By amfnews

Related Post