Fri. Jan 24th, 2025

ଜାତିସଂଘରେ ଭାରତ ପାଇଁ ପ୍ରତିନିଧିତ୍ବ କରିବେ କଟକ ଝିଅ ଦିଶା

By amfnews Sep 1, 2019 #Featured
270 Views

କଟକ : ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଉପରେ ତାଙ୍କର ଗଭୀର ଦଖଲ। ଖାଲି ସେତିକି ନୁହେଁ, ତଥ୍ୟ ଭିତ୍ତିକ ଲେଖା ଓ ଉପସ୍ଥାପନା ଶୈଳୀ‌ରେ ମଧ୍ୟ ବହୁ ଆଗରେ। ଏକାଧିକ ଛାୟା ଜାତିସଂଘରେ ଅଂଶଗ୍ରହଣ କରି ସେ ନିଜ ବୟସଠାରୁ ଯଥେଷ୍ଟ ବୟସ୍କ ପ୍ରତିଯୋଗୀକୁ ପ୍ରଭାବିତ କରିସାରିଲେଣି। ଅନେକ ଦେଶ ପାଇଁ ପ୍ରତିନିଧିତ୍ବ କରି ବହୁବାର ପ୍ରଶଂସିତ ହୋଇଛନ୍ତି ସେ। ଏହି ଭଳି ଜଣେ ମେଧାବୀ, ପ୍ରତିଭାବାନ ଛାତ୍ରୀ ହେଉଛନ୍ତି ସେଣ୍ଟ ଯୋସେଫ୍ ଗାର୍ଲସ ହାଇସ୍କୁଲ ନବମ ଶ୍ରେଣୀ ଛାତ୍ରୀ ଦିଶା ‌ଗୋଏଲ। ଛାୟା ଜାତିସଂଘ ସଫଳତା ପାଇଁ ଏବେ ଦିଶା ମିଳିତ ଜାତିସଂଘରେ ଭାରତ ପକ୍ଷରୁ ପ୍ରତି‌ନିଧିତ୍ବ କରିବା ପାଇଁ ଚୟନ ହୋଇଛନ୍ତି। ଆଗାମୀ ଦିନରେ ଦିଶା ନିଉୟର୍କ ଯାତ୍ରା କରିବେ। ରାଜଭବନରୁ ସ୍କୁଲ ପର୍ଯ୍ୟନ୍ତ ସବୁଠି ଦିଶାଙ୍କୁ ନେଇ ଚର୍ଚ୍ଚା ଚାଲିଛି।

କ୍ୟା‌ଣ୍ଟନମେଣ୍ଟ୍‌ ରୋଡରେ ରହୁଥିବା ନିମ୍‌ଚାନ୍ଦ୍‌ ଗୋଏଲ ଓ ରିୟା ଗୋଏଲଙ୍କ ବଡ଼ ଝିଅ ଦିଶା ଏବେ ସେଣ୍ଟ ଯୋସେଫ୍ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ। ଶ୍ରେଣୀରେ ଦିଶା ୯୦ ପ୍ରତିଶତରୁ ନମ୍ବର ରଖୁଛନ୍ତି। ବକ୍ତୃତା, କ୍ରୀଡ଼ା, ନୃତ୍ୟ, ସଂଗୀତ କ୍ଷେତ୍ରରେ ମଧ୍ୟ ଦିଶା ବହୁ ଆଗରେ। ଅନ୍ତର୍ଜାତୀୟ ସମସ୍ୟା ପ୍ରତି ରୁଚି ରଖୁଥିବା ଦିଶା ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବ‌େଳେ ଛାୟା ଜାତିସଂଘରେ ଅଂଶଗ୍ରହଣ କରିବା ଆରମ୍ଭ କଲେ। ଦୁଇ ବର୍ଷରେ ସେ ଅନେକ ଛାୟା ଜାତିସଂଘରେ ଅଂଶଗ୍ରହଣ କରିଛନ୍ତି। ଏହା ମଧ୍ୟରେ ଦିଶା ଭୁ‌ବନେଶ୍ବର କିଟ୍, ଆଇଆଇଟି ଖଡଗପୁର, ଯାଦବପୁର ବିଶ୍ବବିଦ୍ୟାଳୟ, ସାଇ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ(ଭୁବନେଶ୍ବର), ରେଭେନ୍‌ସା ବିଶ୍ବବିଦ୍ୟାଳୟ(କଟକ)ରେ ଆୟୋଜିତ ଜାତିସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୁରସ୍କୃତ ଓ ପ୍ରଶଂସିତ ହୋଇଛନ୍ତି। ଏସବୁ ଛାୟା ଜାତିସଂଘରେ ଦିଶା ସୁଇଜରଲ୍ୟାଣ୍ଡ, ସୁଇଡେନ୍, ୟୁକେ, ଫ୍ରାନ୍‌ସ ଆଦି ଦେଶର ପ୍ରତିନିଧି ଭାବେ ସନ୍ଦର୍ଭ ଏବଂ ଯୁକ୍ତି ଉପସ୍ଥାପନ କରିଛନ୍ତି। ବିଶ୍ବ ପରିବେଶ, ଜନସଂଖ୍ୟା ବୃଦ୍ଧି, ବେକାରୀ ସମସ୍ୟା, ପରମାଣୁ ନିରସ୍ତ୍ରିକରଣ ଭଳି ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ସମସ୍ୟା ବିଷୟରେ ଲେଖା ଓ ବକ୍ତବ୍ୟ ଉପସ୍ଥାପନ କରି ସେ ବିଭିନ୍ନ ଛାୟା ଜାତିସଂଘରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ଦିଶା ସର୍ବକନିଷ୍ଠ ହେଲେ ମଧ୍ୟ ସମସ୍ତଙ୍କୁ ପଛରେ ପକାଇ ପୁରସ୍କୃତ ହୋଇଛନ୍ତି। ଦିଶାଙ୍କ ପ୍ରତିଭା ବିଷୟରେ ଶୁଣିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ରାଜଜବନରେ ଦିଶାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ଦିଶା ଭାରତର ପ୍ରତିନିଧି ଭାବେ ଜାତିସଂଘରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

By amfnews

Related Post