Fri. Mar 6th, 2026

ଜଷ୍ଟିସ ରଞ୍ଜନ ଗୋଗୋଇ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି, ଅକ୍ଟୋବର ୩ରେ ନେବେ ଶପଥ

237 Views

ନୂଆଦିଲ୍ଲୀ, ସେପ୍ଟେମ୍ବର୦୧:

ଜଷ୍ଟିସ ରଞ୍ଜନ ଗୋଗୋଇ  ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ। ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ନିଜର ଉତ୍ତରାଧିକାରୀ ରୂପେ ଜଷ୍ଟିସ ଗୋଗୋଇଙ୍କ ନାମରେ ସୁପାରିଶ କରିବେ।  ଅକ୍ଟୋବର ୨ରେ ଜଷ୍ଟିସ ମିଶ୍ର ଅବସର ନେଉଛନ୍ତି। ମୁଖ୍ୟ ବିଚାରପତି ରୂପେ ଜଷ୍ଟିସ ଗୋଗୋଇ ଅକ୍ଟୋବର ୩ ତାରିଖରେ ଶପଥ ନେଇ ପାରନ୍ତି।ଆଶା କରାଯାଉଛି ଯେ ଆଗାମୀ ଦୁଇ ସପ୍ତାହ ଭିତରେ ସରକାରଙ୍କ ଅନୁରୋଧ ଉପରେ ରାଷ୍ଟ୍ରପତି ସଚିବାଳୟ ଜଷ୍ଟିସ ଗୋଗୋଇଙ୍କୁ ପରବର୍ତ୍ତୀ ମୁଖ୍ୟ ବିଚାରପତି ରୂପେ ନାମାଙ୍କିତ କରିବେ।

ଜଷ୍ଟିସ ରଞ୍ଜନ ଗୋଗୋଇ  ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବା ନେଇ ଆପାତଃ ସ୍ଥିର ହୋଇ ସାରିଥିଲା।  ଇଣ୍ଡିଆ ଲିଗାଲ ମୁତାବକ କାନୁନ ମନ୍ତ୍ରଣାଳୟ ପ୍ରୋଟୋକଲ ଅନୁସାରେ ଜଷ୍ଟିସ ଦୀପକ ମିଶ୍ର ନିଜର ଉତ୍ତରାଧିକାରୀ ନାମର ସୁପାରିଶ ଘୋଷଣା କରିଛନ୍ତି। ଏକ ରିପୋର୍ଟ ମୁତାବକ ଜଷ୍ଟିସ ଦୀପକ ମିଶ୍ର ସେପ୍ଟେମ୍ବର ୨ରେ  ନିଜର ପତ୍ର ମନ୍ତ୍ରଣାଳୟ ପାଖକୁ ପଠାଇବେ।

ପରମ୍ପରା ମୁତାବକ ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ଜଜଙ୍କୁ ମୁଖ୍ୟ ବିଚାରପତି କରାଯାଏ। ତେଣୁ ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ଗୋଗୋଇ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ପରେ ସବୁଠୁ ଉପରେ ଅଛନ୍ତି। ଉଲ୍ଲେଖଯୋଗ୍ୟ ୨୦୧୧ ଫେବୃଆରୀ ୧୨ରେ ଜଷ୍ଟିସ ଗୋଗୋଇ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ୨୦୧୨ ଏପ୍ରିଲ ୨୩ରେ ସେ ସୁପ୍ରିମକୋର୍ଟରେ ଜଜ ରୂପେ ଯୋଗ ଦେଇଥିଲେ। କୁହାଯାଉଛି ଯେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରୂପେ  ଜଷ୍ଟିସ ଗୋଗୋଇଙ୍କ କାର୍ୟ୍ୟକାଳ ଏକ ବର୍ଷ, ଏକ ମାସ ଓ ୧୪ ଦିନ ରହିବ।  ସେ ୨୦୧୯ ନଭେମ୍ବର ୧୭ରେ ଅବସର ନେବେ।

ଉଲ୍ଲେଖଯୋଗ୍ୟ ଜଷ୍ଟିସ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ସେହି ଚାରି ଜଣ ଜଜଙ୍କ ମଧ୍ୟରେ ସାମିଲ ଯେଉଁମାନେ ପ୍ରଥମ ଥର ମୁଖ୍ୟ ବିଚାରପତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ କରିଥିବା ସୁପ୍ରିମକୋର୍ଟର ଚାରି ଜଣ ଜଜଙ୍କ ମଧ୍ୟରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ସହିତ ଜଷ୍ଟିସ ଚେଲମେଶ୍ଵର, ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ କୁରିୟନ ଯୋସେଫ ସାମିଲ ଥିଲେ।

By amfnews

Related Post