ନୂଆଦିଲ୍ଲୀ : ଜଳ ସଂରକ୍ଷଣ ପାଇଁ ‘ସ୍ୱଚ୍ଛ ଭାରତ’ ଭଳି ଜାତୀୟ ଆନ୍ଦୋଳନ ଚାହୁଁଛି ବୋଲି ତିନିଟି ଅନୁରୋଧପୂର୍ବକ ଦ୍ୱିତୀୟ ବାର କ୍ଷମତାସୀନ ହେବା ପରେ ‘ମନ୍କି ବାତ୍’ରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି- ମୋର ତିନିଟି ଅନୁରୋଧ: ସବୁ ସ୍ତରର ଖ୍ୟାତନାମା ବ୍ୟକ୍ତିଙ୍କ ସମେତ ସବୁ ଭାରତୀୟଙ୍କୁ ନିବେଦନ କରୁଛି, ଜଳ ସଂରକ୍ଷଣ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରନ୍ତୁ। ଜଳ ସଂରକ୍ଷଣ ବିଷୟରେ ପାରମ୍ପରିକ ଉପାୟ ଜଣାନ୍ତୁ। ଯଦି ଆପଣ ଜଳ ବିଷୟରେ କାମ କରୁଥିବା କୌଣସି ବ୍ୟକ୍ତିବିଶେଷ କିଂବା ସ୍ୱେଚ୍ଛାସେବୀ ସଂଗଠନକୁ ଜାଣନ୍ତି ସେମାନଙ୍କ କଥା ମଧ୍ୟ ଜଣାନ୍ତୁ।
ଗତ ଅଳ୍ପ କେତେ ମାସ ହେବ ଅନେକ ଲୋକ ଜଳ ସମ୍ବନ୍ଧୀୟ ସମସ୍ୟା କଥା ଲେଖିଛନ୍ତି। ଜଳ ସଂରକ୍ଷଣ ପାଇଁ ସଚେତନତା ବଢ଼ିଥିବାରୁ ମୁଁ ଖୁସୀ। ଜଳ ସଂରକ୍ଷଣର ଗୁରୁତ୍ୱ ଏବଂ ଗ୍ରାମୀଣ ଭାରତରେ ସଚେତନତା ସୃଷ୍ଟି କରିବା ନିମନ୍ତେ କିଭଳି ପଦକ୍ଷେପ ନିଆଯାଇ ପାରିବ ସେ ସଂକ୍ରାନ୍ତରେ ମୁଁ ଗ୍ରାମ ମୁଖିଆମାନଙ୍କୁ ପତ୍ର ଲେଖିଥିଲି। ଜଳ ସଂରକ୍ଷଣ ଲାଗି ସେମିତି କିଛି ଧରାବନ୍ଧା ଉପାୟ ନାହିଁ। ବିଭିନ୍ନ ଅଞ୍ଚଳରେ, ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରାଯାଇ ପାରେ, କିନ୍ତୁ ଉଦ୍ଦେଶ୍ୟ ହେଉଛି ଏକ- ଜଳର ପ୍ରତ୍ୟେକ ବିନ୍ଦୁ ସଂରକ୍ଷଣ କରିବା। ଜଳର ଗୁରୁତ୍ୱ ଉପଲବ୍ଧି କରାଯାଇ ଦେଶରେ ନୂତନ ଜଳଶକ୍ତି ମନ୍ତ୍ରାଳୟ ପ୍ରତିଷ୍ଠା କରାଯାଇଛି। ଜଳ ସଂକ୍ରାନ୍ତ ସମସ୍ତ ସମସ୍ୟା ଉପରେ ତୁରନ୍ତ ନିଷ୍ପତ୍ତି ନେବାରେ ଏହା ସହାୟକ ହେବ। ପ୍ରତି ବର୍ଷ ଦେଶର ଅନେକ ଅଞ୍ଚଳରେ ଜଳ ସଙ୍କଟ ଉତ୍କଟ ହେଉଛି। ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଦେଶରେ ବର୍ଷକ ମଧ୍ୟରେ ମାତ୍ର ୮% ବର୍ଷା ଜଳ ସଂରକ୍ଷିତ ହେଉଛି।
ଏଇ ରବିବାର ପାଇଁ ମୋତେ ବହୁତ ଅପେକ୍ଷା କରିବାକୁ ପଡ଼ିଲା। ଏ କାର୍ଯ୍ୟକ୍ରମ ନୂତନ ଭାରତର ଉଚ୍ଛ୍ୱାସକୁ ରୂପ ଦେଉଛି। ଏଇ କାର୍ଯ୍ୟକ୍ରମ ହେଉଛି ୧୩୦ କୋଟି ଭାରତୀୟଙ୍କ ସାମର୍ଥ୍ୟର ଉଚ୍ଛ୍ୱାସ।
ମୁଁ ପୁଣି ଆପଣମାନଙ୍କୁ ଭେଟିବି ବୋଲି ଫେବ୍ରୁଆରି ମାସରେ କହିଲା ବେଳେ ଲୋକେ କହିଲେ ମୁଁ ଅଧିକ ଆତ୍ମବିଶ୍ୱାସୀ ହୋଇ ପଡ଼ିଛି। ସେ ଯାହାହେଉ, ଭାରତର ଜନସାଧାରଣଙ୍କ ଉପରେ ମୋର ସର୍ବଦା ବିଶ୍ୱାସ ରହିଛି।
ଗଣତନ୍ତ୍ରର ଉଚ୍ଛ୍ୱାସ ବିଷୟରେ କହିଲା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଜରୁରୀକାଳୀନ ପରିସ୍ଥିତି ଜାରି ସମୟରେ ଲଢ଼େଇ କରିଥିବା ମହାନ ବ୍ୟକ୍ତିଙ୍କୁ ସ୍ମରଣ କରିଛନ୍ତି। ଜରୁରୀକାଳୀନ ପରିସ୍ଥିତି ଜାରି ହେବା ସମୟରେ କେବଳ ରାଜନୈତିକ ପରିସର ବା ରାଜନେତାମାନେ ଏହାର ବିରୁଦ୍ଧାଚରଣ କରି ନ ଥିଲେ; ଆନ୍ଦୋଳନ କେବଳ କାରାଗାର ମଧ୍ୟରେ ସୀମିତ ନ ଥିଲା। ସମସ୍ତଙ୍କ ବିବେକରେ କ୍ରୋଧ ଉତ୍ପନ୍ନ ହୋଇଥିଲା। ସେ କହିଲେ, ଆମ ସଂସ୍କୃତି ଏବଂ ନୈତିକତା ଅଂଶ ହେଉଛି ଗଣତନ୍ତ୍ର। ଏବେ ଭାରତରେ ସର୍ବବୃହତ୍ ନିର୍ବାଚନ ସମାପନ ହୋଇଛି। ନିର୍ବାଚନର ମାତ୍ରା ଥିଲା ପ୍ରବଳ। ଏହା ଆମ ଲୋକମାନଙ୍କର ଗଣତନ୍ତ୍ରରେ ଥିବା ବିଶ୍ୱାସ କଥା କହୁଛି।
ଆଜି ମୁଁ ଅନ୍ୟ କୌଣସି କଥା ପ୍ରଘଟ କରିବି ନାହିଁ, କିନ୍ତୁ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ ବୋଧହୁଏ ନିର୍ଜନ ଗୁମ୍ଫାରେ ‘ମନ୍କି ବାତ୍’ ବିନା ସୃଷ୍ଟ ଶୂନ୍ୟତା ପୂର୍ଣ୍ଣ କରିବାର ସୁଯୋଗ ପାଇଲି। ମୋର ଅଭ୍ୟନ୍ତର ସତ୍ତାକୁ ଭେଟିବା ନିମନ୍ତେ ମୁଁ କେଦାରନାଥ ଯାତ୍ରା କରିଥିଲି। କେତେକ ବ୍ୟକ୍ତି ମୋ ଯାତ୍ରାକୁ ରାଜନୀତିକରଣ କଲେ।
କିଛି ଦିନ ତଳେ ଜଣେ ମୋତେ ମହାନ୍ ପ୍ରେମଚନ୍ଦଙ୍କର ଗଳ୍ପ ସଂକଳନ ଖଣ୍ଡେ ଭେଟି ଦେଇଥିଲେ। ପୁଣି ଥରେ ସେ ଗଳ୍ପଗୁଡ଼ିକ ପଢ଼ିବାର ସୁଯୋଗ ପାଇଲି। ତାଙ୍କ ଭାଷାରେ ମାନବିକ ତତ୍ତ୍ୱ ଏବଂ ସମ୍ବେଦନା ଜଳଜଳ ହୋଇ ଦିଶୁଛି।
ସମସ୍ତଙ୍କୁ ମୋର ଅନୁରୋଧ ପଠନରେ କିଛି ସମୟ ବିତାନ୍ତୁ। ‘ନରେନ୍ଦ୍ର ମୋଦୀ ମୋବାଇଲ୍ ଆପ୍’ରେ ଆପଣମାନେ ପଢୁଥିବା ବହି ସଂକ୍ରାନ୍ତରେ ଆଲୋଚନା କରିବାକୁ ମୁଁ ଅନୁରୋଧ କରୁଛି। ଚାଲ, ଆମେ ପଢୁଥିବା ଭଲ ବହି ବିଷୟରେ ଆଲୋଚନା କରିବା ଏବଂ କାହିଁକି ସେ ବହିଗୁଡ଼ିକୁ ଆମେ ପସନ୍ଦ କଲେ ତାହା କହିବା।