Sun. Mar 8th, 2026

ଜରୁରୀ ଶୁଣାଣି ପାଇଁ କର୍ଣ୍ଣାଟକା ବାଚସ୍ପତିଙ୍କ ଆବେଦନ ଗ୍ରହଣ କଲେନି ସୁପ୍ରିମକୋର୍ଟ

172 Views

ନୂଆଦିଲ୍ଲୀ  : କର୍ଣ୍ଣାଟକାରେ ମେଣ୍ଟ ଦଳର ବିଧାୟକଙ୍କ ଇସ୍ତଫା ପରଠାରୁ ଆରମ୍ଭ ହୋଇଥିବା କ୍ଷମତାଯୁଦ୍ଧ ମାମଲା ଏବେ ସୁପ୍ରିମକୋର୍ଟରେ ଆସି ପହଞ୍ଚିଛି। ପ୍ରଥମେ କଂଗ୍ରେସ ଓ ଜେଡିଏସ୍‌ର ୧୦ ବିଦ୍ରୋହୀ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ କର୍ଣ୍ଣାଟକା ବାଚସ୍ପତି ରମେଶ କୁମାର ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି।

୧୦ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ ଆଜି ମଧ୍ୟରାତ୍ରି ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହାର ପୁନର୍ବିଚାର ପାଇଁ ବାଚସ୍ପତି କୋର୍ଟଙ୍କ ନିକଟରେ ନିବେଦନ କରିଛନ୍ତି। ତେବେ ସୁପ୍ରିମକୋର୍ଟ ଏହାର ଜରୁରୀ ଶୁଣାଣି କରିବାକୁ ମନା କରିଦେଇଛନ୍ତି।

ଆସନ୍ତାକାଲି ଇସ୍ତଫା ଦେଇଥିବା ବିଧାୟକଙ୍କ ଆବେଦନ ସହ ବାଚସ୍ପତି ରମେଶ କୁମାରଙ୍କ ଆବେଦନର ଶୁଣାଣି ହେବ। ଆଜି ସୁପ୍ରିମକୋର୍ଟ ବିଧାୟକଙ୍କ ଆବେଦନର ଶୁଣାଣି କରିଥିଲେ। ଏଥିସହ କୋର୍ଟ ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ରୋହୀ ବିଧାୟକମାନେ ବାଚସ୍ପତିଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବାଚସ୍ପତି ଇସ୍ତଫା ଉପରେ ରାତି ୧୨ଟା ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କହିଥିଲେ।

ଏହି ନିର୍ଦ୍ଦେଶ ପରେ ବାଚସ୍ପତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁସିଂଘଭୀ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସେ କହିଥିଲେ, “ସାମ୍ବିଧାନିକ ଅଧିକାର ଓ ବିଧାନସଭାର ନିୟମ ଅନୁଯାୟୀ, ଇସ୍ତଫା ପତ୍ରଗୁଡ଼ିକର ତର୍ଜମା କରିବା ବାଚସ୍ପତିଙ୍କ ଅଧିକାର। ବାଚସ୍ପତି ତାଙ୍କ ନିଜ ସମୟ ଅନୁସାରେ ଏହାକୁ ବିଚାର କରି ନିଷ୍ପତ୍ତି ନେବେ।

ଏଣୁ ସୁପ୍ରିମକୋର୍ଟ ରାତି ୧୨ ସୁଦ୍ଧା ଇସ୍ତଫା ସମ୍ପର୍କରେ ନିଷ୍ପତ୍ତି ନେବାକୁ କହିବା ଅନୁଚିତ। ଇସ୍ତଫା ଗ୍ରହଣ କରିବା ବା ନ କରିବା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ତେଣୁ ଏଥିପାଇଁ ସମୟ ନିହାତି ଦରକାର। ଏଥିସହ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ବାଚସ୍ପତିଙ୍କ ପ୍ରଥମ କାର୍ଯ୍ୟ।”

ତେବେ ସୁପ୍ରିମକୋର୍ଟ ଏହିଁ ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରିଦେଇଥିଲେ। ତେବେ ଆସନ୍ତାକାଲି ଏହାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।

By amfnews

Related Post