Fri. Mar 6th, 2026

ଜରିମାନା ବଢ଼ିଲା : ପ୍ରଥମ ଓ ଦ୍ବିତୀୟ ଥର ପାଇଁ ୫୦୦ ଟଙ୍କା, ତୃତୀୟ ଥର ଭାଙ୍ଗିଲେ ଗଣିବେ ୧୦୦୦

218 Views

ଭୁବନେଶ୍ବର : ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସାମାଜିକ ଦୂରତ୍ବ ରକ୍ଷା କରିବାକୁ ବି କୁହାଯାଇଛି। କିନ୍ତୁ ଅନେକ ଲୋକ ଏହାକୁ ଖୋଲା ଉଲ୍ଲଂଘନ କରୁଛନ୍ତି। ଏଣିକି ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ବର୍ଦ୍ଧିତ ଜରିମାନା ଆଦାୟ କରାଯିବ। ଆବଶ୍ୟକ ପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଲକ୍‌ଡାଉନ୍ ପଞ୍ଚମ ପର୍ଯ୍ୟାୟ ଆରମ୍ଭରେ ଏମିତି ଚେତାବନୀ ଦେଇଛନ୍ତି ଡିଜିପି ଅଭୟ।

ଡିଜିପି କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ପୁଲିସ୍‌ ଏ ଦିଗରେ ସଚେତନତା ସୃଷ୍ଟି କରୁଥିଲା। କିନ୍ତୁ ଏବେ ଠାରୁ କଠୋର ଆଭିମୁଖ୍ୟ ଗ୍ରହଣ କରିବ। ମହାମାରୀ ପାଇଁ କରାଯାଇଥିବା ଏହି ଆଇନ୍ ଉଲ୍ଲଂଘନ କଲେ ମାମଲା ରୁଜୁ କରାଯିବା ସହ ଜରିମାନା ଆଦାୟ କରାଯିବ। ଆବଶ୍ୟକ ପଡ଼ିଲେ ଗିରଫ କରାଯିବ। ମାସ୍କ ପିନ୍ଧିବା, ପରସ୍ପର ଠାରୁ ୬ ଫୁଟର ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଓ ସର୍ବସାଧାରଣ ସ୍ଥାନରେ ପାନଛେପ ପକାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। ପ୍ରଥମ ଓ ଦ୍ବିତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ତୃତୀୟ ଥର ନିୟମ ଭାଙ୍ଗିଲେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଦୋକାନୀମାନେ ମଧ୍ୟ ସାମାଜିକ ଦୂରତ୍ବକୁ ନିଶ୍ଚିତ କରିବେ। ଏକା ସମୟରେ ୫ ରୁ ଅଧିକ ଲୋକଙ୍କୁ ଅନୁମତି ଦେବେ ନାହିଁ। ୭ ଜଣରୁ ଅଧିକ ଗୋଟିଏ ସ୍ଥାନରେ ଏକାଠି ଉପରେ କଟକଣା ଜାରି କରାଯାଇଛି। ଯେ କୌଣସି ବାହାଘରରେ ଅତିଥିଙ୍କ ସଂଖ୍ୟା ୫୦ରୁ ଅଧିକ ହେବନି। ସେହିପରି ‌ଶବ ସଂସ୍କାର ବେଳେ ୨୦ରୁ ଅଧିକ ଲୋକ ଏକାଠି ହେବା ମନା। ଏସବୁ କଟକଣା ନ ମାନିଲେ ପୁଲିସ୍‌ କଠୋର ହେବ ବୋଲି ଡିଜିପି କହିଛନ୍ତି।

By amfnews

Related Post