ଶ୍ରୀନଗର, ଡିସେମ୍ବର ୨୭ : ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନଙ୍କ ସହାୟକ ଆଶ୍ରୟସ୍ଥଳ ଗୁଡ଼ିକ ଶେଷ ହେବାକୁ ଯାଉଛି । ଆତଙ୍କବାଦୀମାନେ ଜଙ୍ଗଲକୁ ନିଜର ସୁରକ୍ଷିତ ଆଶ୍ରୟସ୍ଥଳ ମନେ କରୁଛନ୍ତି । ସୁରକ୍ଷାବାହିନୀକୁ ଏଭଳି ସୂଚନା ମିଳିଛି । ଆତଙ୍କବାଦୀମାନେ ନିର୍ଜନ ସ୍ଥାନରେ ରହିବାକୁ ଭଲ ପାଉଛନ୍ତି । ପୁଲୱାମା ଜିଲ୍ଲାର ଅୱନ୍ତୀପୁରା ଅଂଚଳରେ ଆତଙ୍କବାଦୀଙ୍କ ଏକ ଭୂମିଗତ ଠିକାଣାକୁ ଧ୍ୱଂସ କରାଯିବା ପରେ ଜଣେ ପୋଲିସ ଅଧିକାରୀ ଏମିତି ବୟାନ ଦେଇଛନ୍ତି ।
ସୁରକ୍ଷାବାହିନୀ କହିବା ଅନୁସାରେ ଏହି ଠିକଣାରେ ଇଣ୍ଡିଆନ ମୁଜାହିଦୀନର କିଛି ଆତଙ୍କବାଦୀ ଲୁଚି ଥିଲେ । ଅଧିକାରୀ କହିଛନ୍ତି, ଆତଙ୍କବାଦୀଙ୍କ ଠିକଣା ସଂପର୍କରେ ସୂଚନା ମିଳିବା ପରେ ବୁଧବାର ସକାଳୁ ସୁରକ୍ଷାବାହିନୀ ତଲାସି ଅଭିଯାନ ଚଳାଇଥିଲା । ସୁରକ୍ଷାବାହିନୀର ଯବାନମାନେ ଅଚାନକ ଚଢ଼ାଉ କରିଥିଲେ ।
ଜଣେ ବିରଷ୍ଠ ଅଧିକାରୀ କହିଛନ୍ତି, ଚଢ଼ାଉ ସମୟରେ କୌଣସି ଜିନିଷ ମିଳି ନ ଥିଲେ ବି ଏଠାରେ ଲୁଚି ରହୁଥିବା ପ୍ରମାଣ ମିଳିଥିଲା । ସୁରକ୍ଷାବାହିନୀ ଅନୁସାରେ ଚଢ଼ାଉ ପୂର୍ବରୁ ଆତଙ୍କବାଦୀମାନେ ଖସିଯାଇଥିଲେ । କିଛି ଦିନ ପୂର୍ବରୁ ଅୱନ୍ତିପୁରାର ଆରାମପୋରା ଅଂଚଳରେ ମଧ୍ୟ ଏଭଳି ଏକ ଆତଙ୍କବାଦୀ ଠିକଣାକୁ ଧ୍ୱଂସ କରାଯାଇଥିଲା । ଗତ ଶନିବାର ଇସଲାମିକ ଷ୍ଟେଟ ସହିତ ଜଡ଼ିତ ଆତଙ୍କବାଦୀ ସଂଗଠନ ଅଂସାର ଗଜବାତଲ ହିନ୍ଦର ୬ ଜଣ ଆତଙ୍କବାଦୀଙ୍କୁ ନିହତ କରିବାର ୪ ଦିନ ପରେ ଏଭଳି ଠିକଣାକୁ ଧ୍ୱଂସ କରାଯାଇଛି ।