Mon. Nov 25th, 2024

ଜମ୍ମୁ କଶ୍ମୀରରେ ଅଚାନକ ବରଫ ବୃଷ୍ଟିପାତ, ସେଓ ଚାଷୀଙ୍କ ୫୦୦ କୋଟି ଟଙ୍କା କ୍ଷତି

By amfnews Nov 6, 2018 #Featured
83 Views

ସୋପିଆ, ନଭେମ୍ବର ୦୬ : ଜମ୍ମୁ କଶ୍ମୀରରେ ଅଚାନକ ବରଫ ବୃଷ୍ଟିପାତ ହେବାରୁ ସେଓ ଚାଷୀଙ୍କ ୫୦୦ କୋଟି ଟଙ୍କା କ୍ଷତି ହୋଇଛି । କଶ୍ମୀର ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଏହି ଆକଳନ ହୋଇଛି । ରାସ୍ତାରେ ୫୦୦୦ ଟ୍ରକ ଅଟକି ରହିଥିବା ବେଳେ ଦୀପାବଳି ପୂର୍ବରୁ ଠିକ ସମୟରେ ବିଭିନ୍ନ ସହରକୁ ଟ୍ରକ ଗୁଡ଼ିକ ପହଞ୍ଚି ନପାରିଲେ ଅଧିକ କ୍ଷତି ହେବ ବୋଲି ଆକଳନ କରାଯାଇଛି ।

ଜମ୍ମୁ କଶ୍ମୀରର ସୋପିଆ ଜିଲ୍ଲାର ଜାଭୋରା ଗାଁରେ ଇରଫାନ ଅହମଦ ଏଥର ସେଓ ଚାଷ କରିଥିଲେ ଏବଂ ତାଙ୍କ ବଗିଚାରେ ପ୍ରଚୁର ସେଓ ଫଳିଥିଲା । ଏଥି ପାଇଁ ସେ ବହୁତ ଖୁସି ଥିବା ବେଳେ ଅଚାନକ ବରଫ ବୃଷ୍ଟିପାତ ଯୋଗୁଁ ତାଙ୍କ ଫସଲ ନଷ୍ଟ ହୋଇଛି । ସେ ଏଥର ୨୧ ଲକ୍ଷ ଟଙ୍କାର ସେଓ ବିକ୍ରି କରିବାକୁ ଲକ୍ଷ୍ୟ ରଖିଥିଲେ । ଦୀପାବଳି ଅବସରରେ ସେ ଦିଲ୍ଲୀକୁ ସେଓ ଟ୍ରକ ଯୋଗେ ପଠାଇଥିଲେ କିନ୍ତୁ ଟ୍ରକରେ ଯାଉଥିବା ସେଓ ବାଟରେ ଅଟକି ରହିଛି । ଦିଲ୍ଲୀ ପହଞ୍ଚିବା ବେଳକୁ ବହୁ ପରିମାଣରେ ସେଓ ଖରାପ ହୋଇ ସାରିଥିବ ।

ରାଜ୍ୟର ସେଓ ଚାଷୀ କେବେ ଭାବି ନଥିଲେ ଯେ, ନଭେମ୍ବର ପ୍ରଥମ ସପ୍ତାହରୁ ବରଫ ବୃଷ୍ଟି ହେବ । କାରଣ ବର୍ତ୍ତମାନ ଗଛରେ ପ୍ରଚୁର ପରିମାଣରେ ସେଓ ଫଳିଛି । ବରଫ ବୃଷ୍ଟିପାତ ପ୍ରଭାବରେ ସେଓ ତଳେ ପଡ଼ିଯାଇଛି । ସେଓ ପାଚିବା ପୂର୍ବରୁ ତଳେ ପଡ଼ ଯିବାରୁ ଚାଷୀଙ୍କୁ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡିଛି । ଦକ୍ଷିଣ କଶ୍ମୀର ସୋପିଆ, ପୁଲବାମା ଏବଂ ଅନନ୍ତନାଗ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି । ସେହିପରି ଉତ୍ତରରେ ସୋପାର, ବାରାମୁଲା, କୁପୱାଡା ଜିଲ୍ଲାର ଚାଷୀ କ୍ଷତି ସହିଛନ୍ତି ।

By amfnews

Related Post