Sat. Mar 7th, 2026

ଜମ୍ମୁ ଓ କଶ୍ମୀର ଲାଗି ବଡ଼ ଉପହାର; ଦିଲ୍ଲୀ-କତ୍ରା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଅମିତ ଶାହା

218 Views

ନୂଆଦିଲ୍ଲୀ  : ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଭାବେ ଜଣାଶୁଣା ‘ଟ୍ରେନ୍‌ ୧୮’କୁ ଗୁରୁବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉଦ୍‌ଘାଟନ କରିଛନ୍ତି।
ବନ୍ଦେ ଭାରତ ଏକ୍ସ୍‍ପ୍ରେସ୍‌ର ପ୍ରଥମ ବ୍ୟାବସାୟିକ ଚଳାଚଳ ଦିଲ୍ଲୀ ଓ କତ୍ରା ମଧ୍ୟରେ ଅକ୍ଟୋବର ୫ ତାରିଖ ଦିନ ଆରମ୍ଭ ହେବ। ଏଥିପାଇଁ ‘ଆଇଆର୍‌ସିଟିସି’ େଓ୍ଵବ୍‌ସାଇଟ୍‌ରେ ଟିକେଟ୍‌ ବୁକିଙ୍ଗ୍‌ ଆରମ୍ଭ ହୋଇଛି। ଏହି ଟ୍ରେନ୍‌ ଚଳାଚଳ ଫଳରେ ଦିଲ୍ଲୀ ଓ କତ୍ରା ମଧ୍ୟରେ ଯାତ୍ରା ସମୟ ୧୨ ଘଣ୍ଟାରୁ ୮ ଘଣ୍ଟାକୁ ହ୍ରାସ ପାଇବ।

‘ବନ୍ଦେ ଭାରତ’ ଏକ୍ସ୍‍ପ୍ରେସ୍‌ ଲଞ୍ଚ୍‌ ଅବସରରେ ଗୃହମନ୍ତ୍ରୀ ଅମିତ ଶାହା କହିଲେ, ଜମ୍ମୁ ଓ କଶ୍ମୀରର ଉନ୍ନତି ଏବଂ ଧାର୍ମିକ ପର୍ଯ୍ୟଟନ ପ୍ରସାର କରାଇବାରେ ‘ବନ୍ଦେ ଭାରତ’ ଏକ୍ସ୍‍ପ୍ରେସ୍‌ ହେଉଛି ବଡ଼ ଉପହାର। ସେ ଆହୁରି କହିଲେ କି, ଜମ୍ମୁ ଓ କଶ୍ମୀର ଉନ୍ନତି ପଥରେ ସବୁଠୁ ବଡ଼ ଅବରୋଧ ଥିଲା ଧାରା ୩୭୦। ୧୦ ବର୍ଷ ମଧ୍ୟରେ ଏହା ଅନ୍ୟତମ ଉନ୍ନତ ଅଞ୍ଚଳ ପାଲଟିଯିବ।

ସେ ପୁଣି କହିଲେ, ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଥିବାରୁ ମହାତ୍ମା ଗାନ୍ଧୀଙ୍କ ସହ ଥିବା ସମ୍ପର୍କକୁ ରେଳବାଇ ଦଲିଲ୍‌ଭୁକ୍ତ କରିବା ଉଚିତ। ଦିଲ୍ଲୀ-କତ୍ରା ‘ବନ୍ଦେ ଭାରତ ଏକ୍ସ୍‍ପ୍ରେସ୍‌’ ଉଦ୍‌ଘାଟନୀ ଉତ୍ସବ ଅବସରରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍‌ କହିଲେ ଯେ ୨୦୨୨ ଅଗଷ୍ଟ ୧୫ ତାରିଖ ପୂର୍ବରୁ ରେଳବାଇ କଶ୍ମୀରରୁ କନ୍ୟାକୁମାରୀ ଯାଏଁ ଦେଶକୁ ସଂଯୋଗ କରିବ। ଟ୍ରେନ୍‌ ନମ୍ବର ୨୨୪୩୯ ନୂଆଦିଲ୍ଲୀ-କତ୍ରା ‘ବନ୍ଦେ ଭାରତ ଏକ୍ସ୍‍ପ୍ରେସ୍‌’ ସକାଳ ୬ଟାରେ ନୂଆ ଦିଲ୍ଲୀ ରେଳବାଇ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କରି ଅପରାହ୍ଣ ୨ଟାରେ କତ୍ରାରେ ପହଞ୍ଚିବ।

By amfnews

Related Post