Tue. Dec 24th, 2024

ଜଗଦା ଡକାୟତି ଘଟଣାର ପର୍ଦ୍ଦାଫାସ କରିବାରେ ପୁଲିସ୍ ସକ୍ଷମ: ଲୁଟ୍ ସୁନାଗହଣା, ହୀରା, ବନ୍ଧୁକ ଓ ଗୁଳି ଜବତ

rklsanchar@gmail.com' By J.N. Pradhan Jul 15, 2018 #Featured
263 Views

ରାଉରକେଲା, ୧୫/୭ : ଝିରପାଣି ଥାନା ଅନ୍ତର୍ଗତ ଜଗଦାରେ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାସ କରିବାରେ ପୁଲିସ୍ ସଫଳ ହୋଇଛି । ଡକାୟତି ଘଟଣାରେ ୬ ଜଣଙ୍କୁ ପୁଲିସ ସନ୍ଦେହରେ ଅଟକ ରଖିଥିବା ବେଳେ ସେମାନଙ୍କ ଠାରୁ ବନ୍ଧୁକ, ଗୁଳି, ସୁନା ଓ ହୀରା ଆଦି ଜବତ କରିଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ଗତ ୧୧ ତାରିଖ ଜଗଦାସ୍ଥିତ ଜଣେ ଅବସରପ୍ରାପ୍ତ ଆର୍ଆଇ ନୃସିଂହ ଚରଣ ତ୍ରିପାଠୀଙ୍କ ଘରୁ ଅପରାହ୍ନ ସାଢ଼େ ୨ଟା ବେଳେ ସଶସ୍ତ୍ର ଡକାୟତି ହୋଇଥିଲା ।

୬ ଜଣ ଡକାୟତ ମୁହଁରେ ମୁଖା ପିନ୍ଧି ପିସ୍ତଲ ଓ କଟୁରୀ ଧରି ଶ୍ରୀ ତ୍ରିପାଠୀଙ୍କ ଘରେ ପଶି ଲୁଟ୍ପାଟ୍ କରିଥିଲେ । ସେତେବେଳେ ଶ୍ରୀ ତ୍ରିପାଠୀ ଓ ତାଙ୍କ ପତ୍ନୀ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଷଢ଼େଇକଳା ଯାଇଥିଲେ । ଦୁଇ ମହଲା ଘରେ ତାଙ୍କ ଦୁଇ ପୁଅ ବୋହୁ ଓ ଅନ୍ୟମାନେ ରହିଥିଲେ । ଡକାୟତମାନେ ଘର ଭିତରେ ପଶି ସମସ୍ତଙ୍କୁ କଟୁରୀ ଓ ବନ୍ଧୁକ ଦେଖାଇ ମାରି ଦେବାକୁ ଭୟଭୀତ କରାଇଥିଲେ । ଏଥିସହ ସମସ୍ତଙ୍କୁ ଏକ କୋଠରୀ ଭିତରେ ପୁରାଇ ବାହାରୁ ବନ୍ଦ କରି ଦେଇଥିଲେ ।

ପ୍ରାୟ ୩୦/୪୦ ମିନିଟ୍ ମଧ୍ୟରେ ଡକାୟତ ଦଳ ୧୦/୧୫ ଭରି ଓଜନର ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଥିଲେ । ଏହି ଘଟଣାରେ ପୁଲିସ ୬ ଜଣ ଡକାୟତଙ୍କୁ କାବୁ କରିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୩ ଜଣ ବିହାର ପାଟନାର ହୋଇଥିବା ବେଳେ ଅନ୍ୟ ତିନି ଜଣ ଲାଠିକଟା ନୂଆଗାଁ ଅଞ୍ଚଳର ହୋଇଥିବା ଖବର ମିଳିଛି ।

ଏମାନେ କିଛି ବର୍ଷ ତଳେ ହାଇୱେରେ ରାତ୍ରୀ କାଳୀନ ବସ୍ ଓ ଟ୍ରକ ଅଟକାଇ ଲାଠିକଟାରୁ ବାଙ୍କି ଭିତରେ ଲୁଟ୍ପାଟ କରୁଥିଲେ । ଏହି ଦଳକୁ ଗତ କିଛି ବର୍ଷ ପୂର୍ବେ ପୁଲିସ ଗିରଫ କରିଥିଲେ । ଏହି ଡକାୟତି ଦଳ କିଛି ସଦସ୍ୟ ବିହାର ପାଟନାରେ ବିବାହ କରିଛନ୍ତି । ସେଠାକାର ଡକାୟତମାନଙ୍କୁ ରାଉରକେଲା ଡକାଇ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି ।

Related Post