Sat. Mar 7th, 2026

ଜଗତସିଂହପୁର ବିଜେଡିରେ ବିଦ୍ରୋହ : ସମୂହ ଇସ୍ତଫା ଦେବେ ବିଷ୍ଣୁଙ୍କ ସମର୍ଥକ

274 Views

ଜଗତସିଂହପୁର/ଟାଉନ : ଜଗତସିଂହପୁର ଜିଲ୍ଲା ରାଜନୀତିକୁ ନେଇ ବିଧାୟକ ଡା. ଦାମୋଦର ରାଉତ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ମଧ୍ୟରେ ଲାଗି ରହିଥିବା କଳହକୁ ନେଇ ଆଜି ପୁଣି ଏକ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି। ବିଷ୍ଣୁଙ୍କ ସମର୍ଥକମାନେ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ଏ ନେଇ ସେମାନେ ବିଷ୍ଣୁଙ୍କ ଜରିଆରେ ହାଇକମାଣ୍ଡ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ମଧ୍ୟ ପଠାଇଛନ୍ତି। ଡାକ୍ତର ରାଉତ ଓ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ଯୋଗୁଁ ଜିଲ୍ଲାରେ ବିଜେଡି ଧ୍ୱଂସ ପାଇଯିବ ବୋଲି ସେମାନେ ଉଲ୍ଲେଖ କରିଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ଜଗତସିଂହପୁର ଜିଲ୍ଲାର ଏକାଧିକ ସରପଞ୍ଚ, ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ବିଜେଡିରୁ ସମୂହ ଇସ୍ତଫା ଦେବେ ବୋଲି ବି ଚେତାବନୀ ଦିଆଯାଇଛି। ଏହାକୁ ନେଇ ଜିଲ୍ଲା ରାଜନୀତି ସରଗରମ ହୋଇଛି।

ଆଜି ଜଗତସିଂହପୁର ସର୍କିଟ୍‌ ହାଉସ୍‌ରେ ବିଷ୍ଣୁଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇଥିଲା। ପୂର୍ବରୁ କୌଣସି ସୂଚନା ନ ଥାଇ ହଠାତ୍‌ ଡକାଯାଇଥିବା ଏହି ବୈଠକରେ ବିଷ୍ଣୁଙ୍କ ସମେତ ଏକାଧିକ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ବିଷ୍ଣୁ ଆଦୌ ମୁହଁ ଖୋଲି ନଥିଲେ ସତ, ତାଙ୍କ ଅନୁଗତମାନେ ବିଧାୟକ ଡାକ୍ତର ରାଉତ ଓ ବିଧାୟିକା ଶ୍ରୀମତୀ ମଲ୍ଲିକଙ୍କୁ କଡ଼ା ସମାଲୋଚନା କରି ସେଠାରେ ହୋ-ହଲ୍ଲା କରିଥିଲେ। ଡାକ୍ତର ରାଉତ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ସହ ବିଶି ବିଷ୍ଣୁଙ୍କୁ ହରାଇଥିଲେ ବୋଲି ସେମାନେ ଅଭିଯୋଗ କରିଥିଲେ।

ଆହୁରି ଗର୍ଜିଥିଲେ ଯେ ବିଧାୟିକା ଶ୍ରୀମତୀ ମଲ୍ଲିିକ ଦଳର ଆଇନ ଶୃଙ୍ଖଳାକୁ ଆଦୌ ମାନୁନାହାନ୍ତି। ସେ ନିଜକୁ ଜିଲ୍ଲା ମହିଳା ସଭାପତି ଭାବେ ଦର୍ଶାଇ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କୁ ନଗଣ୍ୟ କରିବାକୁ ଚେଷ୍ଟା ଚଳାଇଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ନଥିବା ତିନିଜଣ ମହିଳାଙ୍କୁ ଜଗତସିଂହପୁର, ନାଉଗାଁ ବ୍ଲକ୍‌ ଓ ଜଗତସିଂହପୁର ପୌରାଞ୍ଚଳ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଫଳରେ ପୁରୁଣା ବିଜେଡି ଲୋକମାନଙ୍କର ଦଳ ପ୍ରତି ବିଶ୍ୱାସ ଓ ଭରସା ଉଠି ଯାଇଛି। ଏଣୁ ହାଇକମାଣ୍ଡ ତୁରନ୍ତ ଏହି ଦୁଇ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି କରିଛନ୍ତି। ତା’ ନ ହେଲେ, ଜଗତସିଂହପୁର ନିର୍ବାଚନମଣ୍ଡଳୀର ଜନ ପ୍ରତିନିଧିମାନେ ଦଳରୁ ସମୂହ ଇସ୍ତଫା ଦେବେ ବୋଲି ବିଷ୍ଣୁଙ୍କ ଜରିଆରେ ସେମାନେ ଦାବିପତ୍ର ଦେଇଛନ୍ତି।

ଏହାକୁ ନେଇ ଜିଲ୍ଲା ରାଜନୀତିରେ ଆଜି ହଇଚଇ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବିଧାୟିକା ଶ୍ରୀମତୀ ମଲ୍ଲିକ କହିଛନ୍ତି, ‘‘ସେମାନେ ବହୁ ପୂର୍ବରୁ ଦଳରୁ ଇସ୍ତଫା ଦେଇ ଦେବା ଉଚିତ୍‌ ଥିଲା। ଖୋଦ୍‌ ଜିଲ୍ଲା ସଭାପତି ଶ୍ରୀ ଦାସ ମଧ୍ୟ ରାଜନୀତିରୁ ସନ୍ନ୍ୟାସ ନେଇଯିବା ଉଚିତ୍‌। ଏଭଳି ନେତାଙ୍କ ଯୋଗୁଁ ଜଗତସିଂହପୁରରେ ଦଳର ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଗଲାଣି। ହାଇକମାଣ୍ଡ ଏହି ନେତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ’’ ବୋଲି ଶ୍ରୀମତୀ ମଲ୍ଲିକ ଆଶା ପୋଷଣ କରିଛନ୍ତି।

By amfnews

Related Post