Sun. Mar 8th, 2026

ଜଗତସିଂହପୁର ଜିଲ୍ଲାରେ ଅଭାବନୀୟ ଘଟଣା : ଅସବର୍ଣ୍ଣ ଯୁବତୀଙ୍କୁ ଗାଁ ଶ୍ମଶାନ ମନା

211 Views

ଜଗତସିଂହପୁର/ଗାରୋଇ : ଜଗତ୍‌ସିଂହପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଅସବର୍ଣ୍ଣ ଯୁବତୀଙ୍କ ମୃତଦେହକୁ ଗାଁ ମଶାଣିରେ ସତ୍କାର କରିବା ପାଇଁ ଅନୁମତି ଦିଆଯାଇନାହିଁ। ହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏଭଳି ଏକ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଠୋରରୁ କଠୋର ପଦକ୍ଷେପ ନେବା ପାଇଁ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣିରେ ଆରକ୍ଷୀ ଅଧୀକ୍ଷକ ପ୍ରକାଶ ରଙ୍ଗରାଜଙ୍କୁ ଭେଟି ବିଜେପି ଦଳିତ ମୋର୍ଚ୍ଚା ଦାବି କରିଛି।

ସୂଚନା ଅନୁଯାୟୀ, ହଟକିଶୋର ଦାସଙ୍କ ଝିଅ ଲକ୍ଷ୍ମୀପ୍ରିୟା ଏଭଳି ବ୍ଲାକମେଲର ଶିକାର ହେବା ପରେ ଆତ୍ମହତ୍ୟା କରି ଦେଇଥିଲେ। ଶବ ବ୍ୟବଚ୍ଛେଦ ପରେ ଅନ୍ତ୍ୟେଷ୍ଟି ପାଇଁ ଝିଅର ମୃତଦେହକୁ ଧରି ଶୋକାତୁର ବାପା ହଟକିଶୋର ଓ ପରିବାର ଲୋକ ସତ୍କାର ପାଇଁ ଗାଁ ମଶାଣିରେ ପହ‌ଞ୍ଚି ଥିଲେ। କିନ୍ତୁ କିଛି ସବର୍ଣ୍ଣ ଶ୍ରେଣୀର ଲୋକ ଘଟଣାସ୍ଥଳରେ ପହ‌ଞ୍ଚି ଅନ୍ତ୍ୟେଷ୍ଟି କାର୍ଯ୍ୟକୁ ବିରୋଧ କରିଥିଲେ। ଫଳରେ କଥା କଟାକଟିରେ ଦୀର୍ଘ ସମୟ ବିତି ଯାଇଥିଲା। ଏଣୁ ଘଟଣାର ସମାଧାନ କରିବା ପାଇଁ ମୃତ ଲକ୍ଷ୍ମୀପ୍ରିୟାଙ୍କ ପରିବାର ସ୍ଥାନୀୟ ସରପ‌ଞ୍ଚଙ୍କ ନିକଟରେ ପହ‌ଞ୍ଚି ଥିଲେ। ସରପ‌ଞ୍ଚ ମଧ୍ୟ ଏହି ଘଟଣାରେ ତାଙ୍କର କୌଣସି ସହାୟତା କରିପାରି ନଥିଲେ। ସେପଟେ ଗାଁ ମଶାଣିରେ ଲକ୍ଷ୍ମୀପ୍ରିୟାଙ୍କ ମୃତଦେହ ସେମିତି ପଡ଼ି ରହିଥିଲା। ସେଠାରୁ ଆସିବା ପରେ ସେମାନେ କିଛି ଉପାୟ ନ ପାଇ ଗୋବରୀ ନଦୀ ପଠାରେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଯାଇଥିଲେ। ହେଲେ ସେଠାରେ ଡିଅ ତେନ୍ତୋଇ ସାହିର ଲୋକ ପହ‌ଞ୍ଚି ଅନ୍ତ୍ୟେଷ୍ଟି କାର୍ଯ୍ୟ ବନ୍ଦ କରାଇଥିଲେ। ରାତି ୮ଟାରୁ ଝିଅର ମୃତଦେହକୁ କାନ୍ଧରେ ବୋହି ବୋହି ଚାଲୁଥିବା ହଟକିଶୋର ଶେଷରେ ସେହି ନଦୀ ପଠାରେ କିଛି ବାଟ ଆଗକୁ ଯାଇ ଅନ୍ତ୍ୟେଷ୍ଟି କାର୍ଯ୍ୟ କରାଇଥିଲେ। ଏଭଳି ଏକ ଅମାନବୀୟ ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ଅନ୍ୟପଟେ ଲକ୍ଷ୍ମୀପ୍ରିୟାଙ୍କ ଅଶ୍ଳୀଳ ଫଟୋ ବିଭିନ୍ନ ସ୍ଥାନରେ ଲଗାଇ ତାଙ୍କୁ ବ୍ଲାକମେଲ କରି ଆସୁଥିବା ଯୁବକ ଦୀପକ ବେହୁରାକୁ ଗଲା ୮ ତାରିଖରେ ପୁଲିସ ଗିରଫ କରିଛି। କିନ୍ତୁ ପୂର୍ବରୁ ପୁଲିସ ନିକଟରେ ଏ ସଂକ୍ରାନ୍ତରେ ଅଭିଯୋଗ ଥାଇ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଫଳରେ ଗଲା ୭ ତାରିଖରେ ଦୀପକ ପୁଣି ଲକ୍ଷ୍ମୀପ୍ରିୟାଙ୍କ ଏକ ଅଶ୍ଳୀଳ ଫଟୋ ତାଙ୍କ ଘର ଆଗରେ ଲଗାଇଥିଲା। ଫଟୋ ଦେଖିବା ପରେ ସେଥିରେ ଅତିଷ୍ଠ ହୋଇ ଲକ୍ଷ୍ମୀପ୍ରିୟା ଆତ୍ମହତ୍ୟା କରି ଦେଇଥିଲେ। ପୂର୍ବରୁ ଦୀପକ କିଭଳି ଫୋନରେ ଲକ୍ଷ୍ମୀପ୍ରିୟାଙ୍କ ଭାଇ ତ୍ରିନାଥ ଦାସଙ୍କୁ ଅତ୍ୟନ୍ତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲା ତାହାର ଏକ ଅଡିଓ ଭାଇରାଲ ହୋଇଛି।

By amfnews

Related Post