Mon. Jun 9th, 2025

ଛାତ୍ରଛାତ୍ରୀଙ୍କୁ ପାନେ ଦେବା ପାଇଁ କ୍ଲାସ୍‌ରେ ମୋବାଇଲ୍‌ ଫୋନ୍‌ ଭାଙ୍ଗିଲେ ପ୍ରିନ୍‌ସିପାଲ୍‌

By amfnews Sep 15, 2019 #Featured
132 Views

ବେଙ୍ଗାଲୁରୁ : କଲେଜ ପରିସରରେ ଓ କ୍ଲାସ୍‌ ଚାଲିଥିବା ବେଳେ ଛାତ୍ରଛାତ୍ରୀମାନେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିବା ଘଟଣାରେ ଚିଡ଼ି ଯାଇ କର୍ଣ୍ଣାଟକ କଲେଜର ଜଣେ ପ୍ରିନ୍‌ସିପାଲ୍‌ ଗୁରୁବାର ଦିନ ସେମାନଙ୍କ ସମ୍ମୁଖରେ ଗୋଟାଏ ହାତୁଡ଼ି ଯୋଗେ ଗୁଡ଼ାଏ ମୋବାଇଲ୍‌ ଫୋନ୍‌ ପିଟି ଚୂନା କରି ଦେଇଛନ୍ତି। ପ୍ରିନ୍‌ସିପାଲ୍‌ ଆର୍‌ଏମ୍‌ ଭଟ ହାତୁଡ଼ିରେ ମୋବାଇଲ୍‌ ଫୋନ୍‌ ଭାଙ୍ଗୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଏମ୍‌ଇଏସ୍‌ ଚୈତନ୍ୟ ପିୟୁ କଲେଜ କ୍ଲାସ୍‌ରୁମ୍‌ରେ ମୋବାଇଲ୍‌ ଫୋନ୍‌ ନିଷିଦ୍ଧ କରିବା ଏବଂ କଲେଜ କର୍ତ୍ତୃପକ୍ଷମାନେ ଥରକୁ ଥର ନିବେଦନ କରିବା ସତ୍ତ୍ୱେ ପିଲାମାନେ ସେଲ୍‌ଫୋନ୍‌ ବ୍ୟବହାର ଚାଲୁ ରଖିଲେ। ମୋବାଇଲ୍‌ ବ୍ୟବହାର କରୁଥିବା ଅବସ୍ଥାରେ ଧରା ପଡ଼ିଲେ ତାହାକୁ ନଷ୍ଟ କରି ଦିଆଯିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ଚେତାବନୀ ଦିଆଯାଇଥିଲା।

ଲେକ୍‌ଚର୍ସ ଚାଲିଥିବା ବେଳେ ବି ଛାତ୍ରଛାତ୍ରୀମାନେ ମୋବାଇଲ୍‌ ଯୋଗେ ବାର୍ତ୍ତା ଆଦାନ ପ୍ରଦାନ କରୁଥିବା କଥା କଲେଜ କର୍ତ୍ତୃପକ୍ଷ ଅଭିଯୋକ କରିଥିଲେ। ଗୁରୁବାର ଦିନ ସର୍‌ପ୍ରାଇଜ୍‌ ଯାଞ୍ଚ କରି ୧୬ଟି ମୋବାଇଲ୍‌ ଫୋନ୍‌ ଜବତ କରିଥିଲେ। କଲେଜ୍‌ ହଲ୍‌ରେ ଏକତ୍ର ହେବାକୁ ଛାତ୍ରଛାତ୍ରୀମାନଙ୍କୁ କୁହାଗଲା। ଏହାପରେ ପ୍ରିନ୍‌ସିପାଲ୍‌ ସେମାନଙ୍କ ସମ୍ମୁଖରେ କେତୋଟି ମୋବାଇଲ୍‌ ଫୋନ୍‌କୁ ହାତୁଡ଼ିରେ ଛେଚି ଭାଙ୍ଗି ପକାଇଲେ।

By amfnews

Related Post