Fri. Mar 6th, 2026

ଛତିଶଗଡ଼ ଗଢକୁ କବଜା କଲା କଂଗ୍ରେସ, ବଞ୍ଚାଇ ପାରିଲା ନାହିଁ ବିଜେପି

316 Views

ନୂଆଦିଲ୍ଲୀ, ଡିସେମ୍ବର୧୧ :  ଜାରି ରହିଛି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ମତଦାନ। ଛତିଶଗଡ଼ରେ ଶାସକ ବିଜେପିକୁ  ଜୋରଦାର ଝଟକା ଦେଇଛି କଂଗ୍ରେସ।  ଦୀର୍ଘ ୧୫ ବର୍ଷ ଧରି କ୍ଷମତାରେ ଥିବା ରମଣ ସରକାରଙ୍କୁ କଂଗ୍ରେସ ଗାଦିଚ୍ୟୁତ କରୁଥିବା ଟ୍ରେଣ୍ଡରୁ ସ୍ପଷ୍ଟ ସଙ୍କେତ ମିଳିଛି।  ବର୍ତ୍ତମାନ ପର୍ଯ୍ୟନ୍ତ  ମତଗଣନାର ଟ୍ରେଣ୍ଡ ମୁତାବକ କଂଗ୍ରେସ ୬୪ଟି ସିଟରେ ଆଗୁଆ ରହି ପୂର୍ଣ୍ଣ ବହୁମତ ପାଇବାକୁ ଯାଉଛି। ଅନ୍ୟ ପଟେ ବିଜେପି ୨୦ଟି ସିଟରେ ଆଗୁଆ ରହି କ୍ଷମତା ହରାଇବାକୁ ଯାଉଛି। ଅନ୍ୟାନ୍ୟ ଛଅଟି ସିଟରେ ଅଜିତ ଯୋଗୀ ଓ ବିଏସପି ମେଣ୍ଟ ଆଗୁଆ ରହିଛନ୍ତି। ଏହା ସହିତ ବିଜେପି ନିଜର ଗଢକୁ ହରାଇବାକୁ ଯାଉଛି। ଛତିଶଗଡ଼ର ସମସ୍ତ ୯୦ ସିଟରେ ଏଥର ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା।

ଏହା ସହିତ ଦୀର୍ଘ ୧୫ ବର୍ଷ ଶାସନ କରୁଥିବା ରମଣ ସିଂହ ସରକାରଙ୍କୁ କଂଗ୍ରେସ ଗାଦିଚ୍ୟୁତ୍  କରିଛି। ଛତିଶଗଡରେ ମତଗଣନା ପାଇଁ ସମସ୍ତ ୨୭ ଜିଲ୍ଲାରେ ମତଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିରେ ନକ୍ସଲ ପ୍ରଭାବିତ ଇଲାକାରେ ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ମତଗଣନା ଆରମ୍ଭ ହୋଇ ଯାଇଛି। ରାଜ୍ୟରେ ମତଗଣନା ପାଇଁ ୫୧୮୪ କାଉଟିଙ୍ଗ କର୍ମୀ ଓ ୧୫୦୦ ମାଇକ୍ରୋ ପର୍ୟ୍ୟାବେକ୍ଷକଙ୍କୁ ଦାୟିତ୍ଵ ଦିଆଯାଇଛି।  ଛତିଶଗଡ଼ରେ ଚଳିତ ବର୍ଷ ୭୬.୬୦ ପ୍ରତିଶତ ମତଦାନ ହୋଇଥିଲା। ଏଠାରେ ୧୦୭୯ ପ୍ରାର୍ଥୀ ନିର୍ବାଚନରେ ଲଢିଛନ୍ତି। ଆଜି ସବୁ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି।  ୨୦୧୩ରେ ବିଜେପି ଏଠାରେ ୪୯, କଂଗ୍ରେସ ୩୯ ଓ ବିସପି-ନିର୍ଦ୍ଦଳୀୟ ଗୋଟିଏ ଲେଖାଏଁ ସିଟରେ ବିଜୟୀ ହୋଇଥିଲେ।

By amfnews

Related Post