Thu. Dec 26th, 2024
367 Views

ପ୍ରଶାନ୍ତ ପଟ୍ଟନାୟକ

ମୋର ଜଣେ ଘନିଷ୍ଠ ବନ୍ଦୁଙ୍କର ରାଜଧାନୀ ଭୁବନେଶ୍ୱରରେ ଥିବା ଏକ ବଡ଼ ଆୟୁର୍ବେଦିକ୍ ଔଷଧ ଦୋକାନର ନିରାପତ୍ତା ପାଇଁ ଜଣେ ରାତ୍ରୀ ଜଗୁଆଳି ବା ଚୌକିଦାରଙ୍କୁ ମାସିକ ୪ହଜାର ଟଙ୍କା ବେତନରେ ନିଯୁକ୍ତି ଦିଆଯାଇଥିଲା ଏବଂ ସେ ସୂଚାରୁରୂପେ କାମ ତୁଲାଇବା ଲାଗି ତାଙ୍କୁ ଗୋଟିଏ ବଡ଼ ଟର୍ଚ୍ଚ ଲାଇଟ୍ ଓ ପୋଲିସ୍ ଲାଠି ଭଳି ଲାଠିଟିଏ ମଧ୍ୟ ଦିଆଯାଇଥିଲା । ମୁଁ ପ୍ରତିଦିନ ରାତିରେ ସମ୍ବାଦ ପଠାଇ ସାରି ଘରକୁ ଫେରିଲା ବେଳକୁ ରାତ୍ରି ପାୟ ୧୨ଟା ବାଜିଯାଉଥିଲା । ଅଧିକାଂଶ ଦିନ ଫେରିବା ସମୟରେ ଦେଖୁଥିଲି ବନ୍ଧୁଙ୍କ ବ୍ୟବସାୟ ପ୍ରତିଷ୍ଠାନ ଜଗିବା ପାଇଁ ନିଯୁକ୍ତ ଚୌକିଦାରଟି ନିଶ୍ଚିନ୍ତରେ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖରେ ଏକ ଖଟିଆ ଉପରେ ଶୋଇ ଘୁଙ୍ଗୁଡି ମାରୁଥାଏ । କେବଳ ଏତିକି ନୁହେଁ, ପ୍ରତ୍ୟହ ପ୍ରାତଃଭ୍ରମଣରେ ଯିବା ସମୟରେ ଭୋର ପ୍ରାୟଃ ୫ଟାରୁ ସାଢେ ୫ଟା ମଧ୍ୟରେ ସେହି ରାତି ଜଗୁଆଳିଟି ନିଶ୍ଚିତରେ ମଧ୍ୟ ଶୋଇଥାଏ । ଦୀର୍ଘ ଦିନ ଧରି ଏହା ଦେଖିଲା ପରେ ମୁଁ ପ୍ରସ୍ତାବ ଦେଇଥିଲି ଯେ, ମୋତେ ମାସିକ ୪ ହଜାର ଟଙ୍କା ଦେଲେ ବା ତା’ ଠାରୁ କିଛି କମ୍ ଯଙ୍କା ଦେଲେ ମୁଁ ମଧ୍ୟ ଆସି ସେଠାରେ ଆରାମରେ ଶୋଇପାରିବି । ମୋ ପ୍ରସ୍ତାବ ଶୁଣି କେବଳ ବନ୍ଧୁ ନୁହନ୍ତି ତାଙ୍କ ପରିବାରର ସମସ୍ତେ ତାତ୍ସଲ୍ୟ କରି କହିଥିଲେ, ଗରିବ ଲୋକଟିର ଚାକିରୀ ନେବା ଲାଗି ଏଭଳି ଅଭିଯୋଗ କରିବା ଉଚିତ ନୁହେଁ । ସେ ବିଚରା ବାଣୀବିହାର ପାଖରୁ ସାଇକେଲରେ ଆସି ରାତି ଜଗୁଆଳି ଭାବରେ କାମ କରୁଛି ସେଥିପାଇଁ ତାକୁ ଧନ୍ୟବାଦ ଦେବା ଉଚିତ ।

ସେମାନଙ୍କ ମନ୍ତବ୍ୟ ଶୁଣିବା ପରେ ମୁଁ ନୀରବ ରହିବା ଲାଗି ବାଧ୍ୟ ହୋଇଥିଲି ଓ ନିଷ୍ପତ୍ତି କରିଥିଲି ଯେ, ଉକ୍ତ ଚୌକିଦାରଟିର ଅସଲ କାର୍ଯ୍ୟକଳାପର ପ୍ରମାଣ ଯୋଗାଇଦେବା ଲାଗି ଫଳରେ ଦିନେ ପ୍ରାତଃ ଭ୍ରମଣରୁ ଫେରିବା ସମୟରେ ଚୌକିଦାରଟି ନିଘୋଡ ନିଦରେ ଘୁଙ୍ଗୁଡି ମାରୁଥିବାର ଦେଖି ମୁଁ ପ୍ରଥମେ ତା ଖଟିଆ ନିକଟରେ ରଖିଥିବା ସାଇକେଲଟିକୁ ସେଠାରେ ଉଠାଇ ଆଣିଥିଲି । ସାଇକେଲଟିରେ ତାଲା ପଡିଥିଲେ ମଧ୍ୟ ସେଇଟିକୁ ଉଠାଇ ଆଣିବାରେ ବିଶେଷ ଅସୁବିଧା ହୋଇନଥିଲା । ତା’ ପରେ ତାହା ତକିଆ ତଳେ ରଖିଥିବା ଟର୍ଚ୍ଚ ଲାଇଟ ଟି ଓ ପାଖରେ ରଖିଥିବା ସାଢେ ୫ ଫୁଟିଆ ଠେଙ୍ଗାଟିକୁ ନେଇ ଆସିଥିଲି । ପରଦିନ ସକାଳୁ ଚୌକିଦାର ଏବଂ ବନ୍ଧୁଙ୍କ ପରିବାରର ସଭ୍ୟମାନଙ୍କ ପ୍ରତିକ୍ରିୟା ଜାଣିବା ଲାଗି ପହଞ୍ଚି ଚା’ ପିଇବା ଲାଗି ପ୍ରସ୍ତାବ ଦେଇଥିଲି । ମୋତେ ଦେଖି ବନ୍ଧୁଙ୍କ ମା’ ଅତି ଆନନ୍ଦରେ ଚା’ ତିଆରି ପାଇଁ ବୋହୂମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ମୋ ନିକଟରେ ବସି ଭଲମନ୍ଦ କଥା ପଚାରିଥିଲେ । ଏହି ସମୟରେ ମୁଁ ଚୌକିଦାରଙ୍କ ଖଟିଆ ଆଡକୁ ଚାହିଁ ଦେଖିଲି ସେ ବିଚରା ଉଠିପଡି ଇତଃସ୍ତତ କିଛି ଖୋଜିବାରେ ଲାଗିଛନ୍ତି । ତା’ର ଏଭଳି ଆଚରଣ ଦେଖି କେହି କିଛି ସନ୍ଦେହ କରୁନଥିଲେ ମଧ୍ୟ ସେଠାରେ ସାଇକେଲଟି ନଥିବା ଦେଖି ସାଇକେଲଟି କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ ।

ସେ ବିଚରା ସଙ୍ଗେ ସଙ୍ଗେ ବିନା ଦ୍ୱିଧାରେ ଉତ୍ତର ଦେଇଥିଲା ଯେ, ଗତକାଲି ରାତିରେ ଡ୍ୟୁଟିକୁ ଆସିବା ସମୟରେ ସାଇକେଲର ପଛ ଚକା ଲିକ୍ ହୋଇଯିବାରୁ ସେ ଷ୍ଟେସନର ସାଇକେଲ ଷ୍ଟାଣ୍ଡରେ ସାଇକେଲଟି ରଖି ଦେଇଆସିଛି । ଏକଥା ସେ କହିବା ସତ୍ତେ୍ୱ ତାର ମାନସିକ ଅସ୍ଥିରତା ମୁଁ ସ୍ପଷ୍ଟ ଲକ୍ଷ୍ୟ କରୁଥିଲି । ଏ ସମୟରେ ବନ୍ଧୁଙ୍କ ବଡଭାଇ ତାକୁ ପ୍ରଶ୍ନ କଲେ, ତୋ ଟର୍ଚ୍ଚଟି କାଇଁ ? ସେ ବିଚରା କ’ଣ କହିବ ସ୍ଥିର କରିନପାରି ହଠାତ୍ ବନ୍ଧୁଙ୍କ ମା’ଙ୍କ ଗୋଡ଼ ତଳେ ପଡି ତାକୁ ଚାକିରିରୁ ବାହାର ନକରିବା ପାଇଁ ବିକଳ ହୋଇ ଅନୁରୋଧ କରିଥିଲା । ଏହାର କାରଣ ପଚାରିବାରୁ ସେ କହିଥିଲା ଯେ, ଗତ ରାତିରେ ଅଚାନକ ଭାବରେ ତାକୁ ନିଦ ଲାଗିଯିବାରୁ ସେ ଶୋଇପଡିଥିଲା ଏବଂ ଏହାର ସୁଯୋଗ ନେଇ କୌଣସି ଚୋର ଆସି ତାର ସାଇକେଲ ଏବଂ ଟର୍ଚ୍ଚ ଲାଇଟ ଓ ଠେଙ୍ଗାଟି ମଧ୍ୟ ଚୋରି କରିନେଇ ଯାଇଛି । ଏହା ଶୁଣି ସମସ୍ତେ ସ୍ତମ୍ଭୀଭୂତ ହେଲେ ଏବଂ ମୁଁ ପୂର୍ବରୁ ସେହି ରାତ୍ରି ଜଗୁଆଳିଙ୍କ ଦକ୍ଷତା ସମ୍ପର୍କରେ ଦେଉଥିବା ମନ୍ତବ୍ୟର ସତ୍ୟତା ଉପଲବ୍ଧି କରିଥିଲେ । ମୋର ମନ୍ତବ୍ୟକୁ ସେମାନେ ଥଟ୍ଟାରେ ଉଡାଇ ଦେଇଥିବାରୁ ସେଥିପାଇଁ ଅନୁଶୋଚନା ମଧ୍ୟ କରିଥିଲେ । ଏହି ଭଳି ପରିସ୍ଥିତିରେ ବିଚରା ଚୌକିଦାରଟିର ଚାକିରୀ ରଖିବା ଉଦ୍ଦେଶ୍ୟରେ ମୁଁ ତାକୁ ସାଇକେଲଟି ରଖିଥିବା ସ୍ଥାନକୁ ନେଇ ସାଇକେଲଟି ତାହା ହାତରେ ସମର୍ପଣ କରିଦେଲି ଏବଂ ତାହା ସହ ଲୁଚାଇ ରଖିଥିବା ଟର୍ଚ୍ଚ ଲାଇଟ୍ ଓ ଠେଙ୍ଗାଟି ମଧ୍ୟ ଫେରାଇ ଦେଇଥିଲି । ମୋର ବନ୍ଧୁ ସେତେବେଳେ ମୋତେ ସହଯୋଗ କରିଥିଲେ ।

ଏଠାରେ ଏହି ବାସ୍ତବ ଅନୁଭୂତିଟିକୁ ଉଲ୍ଲେଖ କରିବାର ଏକମାତ୍ର କାରଣ ହେଲା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିଜକୁ ଚୌକିଦାର ବୋଲି ଦାବି କରିବା ସହ ନିଜର ନା ପୂର୍ବରୁ ‘ଚୌକିଦାର ନରେନ୍ଦ୍ର ମୋଦି’ ବୋଲି ଉଲ୍ଲେଖ କରି ଭାରତର ସବୁପ୍ରକାର ସ୍ୱାର୍ଥର ଜାଗ୍ରତ ପ୍ରହରୀ ଭାବରେ ଦେଶବାସୀଙ୍କ ଭରସା ଓ ସମର୍ଥନ ପାଇଁ ଦାବି କରିଛନ୍ତି । ତାଙ୍କ ଦେଖାଦେଖି ଭାରତୀୟ ଜନତା ଦଳର କୋଟି କୋଟି ସଂଖ୍ୟକ ନେତା ଓ କର୍ମୀ ନିଜ ନିଜର ନାମ ପୂର୍ବରୁ ଚୌକିଦାର ବୋଲି ଲେଖିବାରେ ଗର୍ବ ଅନୁଭବ କରୁଛନ୍ତି ।

ଆମ ଦେଶର ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ଏହା ମୋଦିଜୀଙ୍କର ଏବଂ ତାଙ୍କ ଦଳୀୟ ନେତା ଓ କର୍ମୀମାନଙ୍କର ଏକ ପ୍ରଚେଷ୍ଟା ହୋଇପାରେ । ଗତ ନିର୍ବାଚନ ସମୟରେ ସେ ନିଜକୁ ଚା’ ବିକାଳୀ ବୋଲି କହି ଦେଶବାସୀଙ୍କ ଭରସା ଓ ସମର୍ଥନ ହାସଲ କରି ପ୍ରଧାନମନ୍ତ୍ରୀ ହେବାର ସଫଳତା ଓ ଗୌରବ ଲାଭ କରିଥିଲେ । ଏହି ନିର୍ବାଚନରେ ମୋଦିଜୀ ଚା’ ବିକାଳୀରୁ ରୂପ ବଦଳାଇ ଚୌକିଦାର ସାଜିଥିବା ସମୟରେ ତାଙ୍କ ନିଜ ଦପ୍ତରରୁ ବହୁ ଚର୍ଚ୍ଚିତ ଓ ଏକାନ୍ତ ସମ୍ବେଦନଶୀଳ ରାଫେଲ୍ ଯୁଦ୍ଧ ବିମାନ ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଚୋରି ହେବା ଘଟଣା ଦେଶବାସୀଙ୍କୁ ବିସ୍ମିତ କରିଛି । ସେ ଚୌକିଦାର ଭାବରେ କିଭଳି ନିଜର ଦକ୍ଷତା ପ୍ରମାଣିତ କରିବେ ଏହା ଆଗାମୀ ନିର୍ବାଚନରେ ହିଁ ଜଣାପଡିବ ।

By amfnews

Related Post