Sat. Mar 7th, 2026

ଚୀନ୍‌ରୁ ଆସୁଥିବା ଖାଦ୍ୟ ସାମଗ୍ରୀ ଉପରେ ନିର୍ଭର କରି ଚଳୁଛନ୍ତି ୭ଟି ଭାରତୀୟ ଗାଁ’ର ବାସିନ୍ଦା

240 Views

ପିଥୋରାଗଡ଼: ଧରଚୂଳାର ବ୍ୟାସ ଉପତ୍ୟକାରେ ବାସ କରୁଥିବା ପ୍ରାୟ ୪୦୦ ପରିବାର ଚୀନ୍‌ ଉତ୍ପାଦନ କରୁଥିବା ଲୁଣ, ରୋଷେଇ ତେଲ, ଚାଉଳ ଏବଂ ଗହମ ଭଳି ଅତ୍ୟାବଶ୍ୟକ ଜିନିଷ ଉପରେ ନିର୍ଭର କରୁଛନ୍ତି। ଏ ସବୁ ନେପାଳ ଦେଇ ସେମାନଙ୍କ ପାଖକୁ ଆସୁଛି। ସରକାର ପବ୍ଲିକ୍‌ ଡିଷ୍ଟ୍ରିବ୍ୟୁସନ୍‌ ସିଷ୍ଟମ୍‌ (ପିଡିଏସ୍‌) ଜରିଆରେ ଦେଉଥିବା ରେସନ୍‌ କୋଟା ଯଦି ବଢ଼ାଇ ପାରନ୍ତେ ପରିସ୍ଥିତିର ସମାଧାନ ହୋଇ ପାରନ୍ତା।

ଗର୍ବ୍ୟାଙ୍ଗ୍‌ ଗାଁ’ର ବାସିନ୍ଦା କୃଷ୍ଣ ଗର୍ବ୍ୟାଲ୍‌ କହନ୍ତି: ଯଦିବା ଆମେ ଦୁଇ ପଡ଼ୋଶୀ ଦେଶର ଗୁରୁତ୍ୱପୂର୍ଣ୍ଣ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବାସ କରୁଛୁ, ତଥାପି ଆମ ନିଜ ଦେଶରେ ଆମେ ଅନାଥଙ୍କ ଭଳି ଚଳୁଛୁ। ଗର୍ବ୍ୟାଙ୍ଗ୍‌, ବୁନ୍ଦି, ଗୁଞ୍ଜି, କୁଟି, ନାପାଲ୍‌ଚୁ, ନାଭି ଏବଂ ରଙ୍ଗ୍‌କଙ୍ଗ୍‌ ଆଦି ଗାଁ’ରେ ମଧ୍ୟ ସେଇ ଏକା ପରିସ୍ଥିତି। ସେମାନେ ଆବଶ୍ୟକ କରୁଥିବା ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଏବେ ଚୀନ୍‌ରୁ କିଣିବାକୁ ବାଧ୍ୟ ହେଉଛନ୍ତି।

ଗ୍ରାମବାସୀମାନେ କହନ୍ତି ଯେ ଏ ବର୍ଷ ଲିପୁଲେଖ ଘାଟି ନିକଟରେ କେତେ ମାସ ଧରି ଉପତ୍ୟକାକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ହୋଇ ରହିବାରୁ ରାଜ୍ୟ ସରକାର ଯୋଗାଉଥିବା ରେସନ୍‌ ସେମାନଙ୍କ ନିକଟରେ ଠିକଣା ସମୟରେ ପହଞ୍ଚି ପାରିଲା ନାହିଁ।

ପ୍ରତି ପରିବାର ପାଇଁ ସରକାର ଯୋଗାଉଥିବା ୨ କିଲୋ ଚାଉଳ ଓ ୫ କିଲୋ ଅଟା ଗୋଟିଏ ପରିବାର ପାଇଁ ଯଥେଷ୍ଟ ହେଉ ନ ଥିବାରୁ ସେମାନେ ନେପାଳୀ ଗାଁ ତିଙ୍କର୍‌ ଏବଂ ଚାରୁରୁ ଆବଶ୍ୟକ ଜିନିଷ କିଣିବାକୁ ବାଧ୍ୟ ହେଉଛନ୍ତି। ସେମାନେ ଏ ସବୁ ଜିନିଷ ଚୀନ୍‌ର ତକଲାକୋଟ ବଜାରରୁ କିଣୁଛନ୍ତି।

By amfnews

Related Post