Sat. Mar 7th, 2026

ଚିଲିକା ଉପରେ ତିତ୍‌ଲି ପ୍ରଭାବ : ଖୋଲିଲା ନୂଆ ମୁହାଣ, ୧୫ଟି ଜନବସତିକୁ ବିପଦ

274 Views

ବ୍ରହ୍ମଗିରି : ସାମୁଦ୍ରିକ ଝଡ଼ ତିତ୍‌ଲି ପ୍ରଭାବରେ ଚିଲିକାରେ ଆଉ ଏକ ବଡ଼ ମୁହାଣ ଖୋଲିଛି। ନୂଆ ମୁହାଣ ଦେଇ ସମୁଦ୍ର ଜୁଆର ଖୁବ୍ ଜୋର୍‌ରେ ଚିଲିକା ହ୍ରଦ ମଧ୍ୟକୁ ପ୍ରବେଶ କରୁଥିବାରୁ ଚିଲିକା କୂଳରେ ଥିବା ୧୫ଟି ଜନବସତି ପାଇଁ ବିପଦ ଘନେଇଛି। ନୂଆ ମୁହାଣ ‘ଲୁଣାପାଣି’ର ଦୈର୍ଘ୍ୟ ହେଉଛି ୧ କିଲୋମିଟର୍। ସୂଚନାଯୋଗ୍ୟ, ୨୦୧୩ ଫାଇଲିନ୍ ବାତ୍ୟା ସମୟରେ ଚିଲିକାରେ ଯଜ୍ଞଦଣ୍ତା ନାମରେ ଏକ ମୁହାଣ ଖୋଲିଥିଲା। ଏହା ପରେ ସାନପାଟଣା ଓ ସିପବନ୍ତସାହି ଗାଁ ସାମନାରେ ନଙ୍ଗାନାଶି ମୁହାଣ ଖୋଲିଥିଲା, ଯାହାର ଲମ୍ବ ଥିଲା ୫ କିଲୋମିଟର। ମାସକ ପୂର୍ବରୁ ଲଘୁଚାପ ସମୟରେ ଚିଲିକାରେ ଚଡଚଡି ନାମକ ଅନ୍ୟ ଏକ ମୁହାଣ ଖୋଲିଥିଲା।

ତିତ୍‌ଲି ପ୍ରଭାବରେ ଗତକାଲିଠାରୁ ପ୍ରବଳ ଝଡ଼ବର୍ଷା ଲାଗି ରହିଥିବାବେଳେ ଆଜି ସକାଳୁ ଅରଖକୁଦା ଗାଁ ସାମ୍‌ନାରେ ଏହି ମୁହାଣ ଖୋଲିଥିବା ଦେଖିବାକୁ ମିଳିଛି। ସକାଳେ ହଠାତ୍‌ ୧୦ ଫୁଟ୍‌ ଉଚ୍ଚର ଜୁଆର ଆସିବା ଫଳରେ ଚିଲିକା ଓ ସମୁଦ୍ର ମଧ୍ୟରେ ଥିବା ବାଲିବନ୍ଧର ଏକ କିଲୋମିଟର ଅଂଶ ପୂରା ଧୋଇ ଯାଇଥିଲା। ବାଲିବନ୍ଧରେ ଥିବା ଝାଉଁ ଓ ଅନ୍ୟ ଗଛ ସବୁ ମଧ୍ୟ ଧୋଇଯାଇଛି। ନୂଆ ମୁହାଣ ଖୋଲିବା ଦ୍ବାରା ଗବକୁଣ୍ତଠାରୁ ଅରଖକୁଦା ପର୍ଯ୍ୟନ୍ତ ଥିବା ୫ଟି ମୁହାଣ ଏକାକାର ହୋଇଛି। ଲୁଣାପାଣି ମୁହାଣ ମେଲିବା ପରେ ଆଜି ସମୁଦ୍ର ଜୁଆର ସିଧା ଚିଲିକା ଦେଇ ପ୍ରବଳ ବେଗରେ ପଶିଛି। ପ୍ରଶାସନ ତୁରନ୍ତ ସୁରକ୍ଷା ପ୍ରାଚୀର ନିର୍ମାଣ କାମ ଶେଷ ନ କଲେ ଫାଇଲିନ୍‌ ବାତ୍ୟାରେ ୩ଟି ସାହି ଯେଉଁଭଳି ଚିଲିକା ଗର୍ଭରେ ମିଶିଗଲା ଅନୁରୂପ ଭାବେ ୧୫ଟି ଜନବସତି ଚିଲିକା ଗର୍ଭକୁ ଚାଲିଯିବ ସ୍ଥାନୀୟ ଲୋକେ କହିଛନ୍ତି।

By amfnews

Related Post