Sun. Mar 8th, 2026

ଚିଦମ୍ବରମଙ୍କୁ ଝଟକା: ଜାମିନ ଆବେଦନର ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

201 Views

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ କଂଗ୍ରେସ ନେତା ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମଙ୍କ  ଜାମିନ ଆବେଦନର ଶୁଣାଣି କରିବାକୁ ମନା କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଆଇଏନ୍‌ଏକ୍ସ ମିଡିଆ  ଦୁର୍ନୀତି ମାମଲାରେ ଆଗୁଆ ଜାମିନ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହେବା ପରେ ଏହାକୁ  ଚ୍ୟାଲେଂଜ କରି ଆଗତ ହୋଇଥିବା ଲିଭ ପିଟିସନକୁ ଏକ ନିୟମିତ ଜାମିନ ଆବେଦନ ଭାବେ ଗ୍ରହଣ କରିହେବ ନାହିଁ।  ତେଣୁ ଏହି ମାମଲାର ଶୁଣାଣିର ଆବଶ୍ୟକତା ଆଉ ନାହିଁ। କାରଣ ପିଟିସନର ଅଗଷ୍ଟ ୨୧ ତାରିଖରେ ସିବିଆଇ ଦ୍ବାରା ଗିରଫ ହୋଇ ସାରିଛନ୍ତି। ଏଥି ସହ ସୁପ୍ରିମକୋର୍ଟ  ଚିଦମ୍ବରମଙ୍କୁ ନିୟମିତ ଜାମିନ ଲାଗି  ତାଙ୍କ ମାମଲାର ଶୁଣାଣି କରୁଥିବା ଅଦାଲତଙ୍କ ଦ୍ବାରସ୍ଥ ହେବାକୁ ପରାମର୍ଶ ଦେଇଛନ୍ତି।

ଅଗଷ୍ଟ ୨୪ରେ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତିରେ ଇଡି ଦ୍ବାରା ରୁଜୁ ହୋଇଥିବା ମାମଲାରେ ଚିଦମ୍ବରମଙ୍କୁ ସୋମବାର ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ ବୋଲି  କୋର୍ଟ କହିଥିବା ବେଳେ ସିବିଆଇ ମାମଲାରେ ଗିରଫଦାରିକୁ କାଏମ ରଖିଥିଲେ।  ଚିଦମ୍ବରମଙ୍କୁ ୨୬ ଅଗଷ୍ଟ ପର୍ଯ୍ୟନ୍ତ ଜେରା କରିବା ପାଇଁ ସିବିଆଇ ହାଜତକୁ ପଠାଇ ଦିଆଯାଇଥିଲା । ଜଷ୍ଟିସ୍ ଆର୍‌. ଭାନୁମତି ଏବଂ ଜଷ୍ଟିସ୍‌ ଏଏସ୍‌ ବୋପନ୍ନାଙ୍କ ଖଣ୍ଡପୀଠ ଉଭୟ ମାମଲାରେ ସୋମବାର ଶୁଣାଣି କରିବାକୁ ଧାର୍ଯ୍ୟ କରିଥିଲେ। ଆଜି ଶୁଣାଣି ବେଳେ ଚିଦମ୍ବରମଙ୍କ ଓକିଲ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଘବୀଙ୍କ ସହ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ମେ’ ୧୫, ୨୦୧୭ରେ ଆଇଏନ୍‌ଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପାଣ୍ଠି ନିବେଶ ପାଇଁ ମିଳିଥିବା ଏଫ୍‌ଆଇପିବି ମଂଜୁରିରେ ଅନିୟମିତତା ହୋଇଥିବା ଅଭିଯୋଗରେ ସିବିଆଇ ଚିଦମ୍ବରମଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଥିଲା।

By amfnews

Related Post