Fri. Mar 6th, 2026

ଚିକିତ୍ସା ପାଇଁ ଯାଇଥିଲେ ଛାତ୍ରୀ, ନିସ୍ତୁକ ପିଟିଲେ ଡାକ୍ତର !

195 Views

ମାଲକାନଗିରି :  ଡାକ୍ତର ବାବୁଙ୍କ ଦବଙ୍ଗଗିରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ। ଚିକିତ୍ସା ହେବାକୁ ଆସିଥିବା ଜଣେ ଛାତ୍ରୀଙ୍କୁ ଚିକିତ୍ସା ବଦଳରେ ମିଳିଛି ନିର୍ଧୂମ ମାଡ଼।  ଅମାନୁଷିକ ଭାବେ ଡାକ୍ତରଜଣକ ଛାତ୍ରୀଙ୍କ ନାକ, କାନ, ପାଟିରେ ଔଷଧ ପକାଇ ଦେବା ସହ ଓଢଣୀରେ ତାଙ୍କ ପାଟିକୁ ବନ୍ଦ କରି ଦେଇଥିଲେ। ଏହାପରେ ନିର୍ଘାତ ମାଡ଼ ମାରିବା ସହ ତାଙ୍କୁ ଗାଳିଗୁଲଜ ମଧ୍ୟ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀଜଣକ। ଏପରି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଏନେଇ ପୀଡ଼ିତା ଛାତ୍ରୀ କହିଛନ୍ତି,“ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ସ୍କୁଲରେ ମୁଣ୍ଡ ବୁଲାଇବାରୁ ମୁଁ ପଡ଼ି ଯାଇଥିଲି। ନିଶ୍ୱାସ ପ୍ରଶ୍ୱାସ ଠିକ୍‌ ସେ  ନେଇ ପାରୁ ନଥିଲି। ସ୍କୁଲ ସାର୍ ଓ ମୋ ସାଙ୍ଗମାନେ ମୋତେ ଡାକ୍ତରଖାନା ନେଇଥିଳେ। ଡାକ୍ତର ସାର୍‌ ମୋ ସାଙ୍ଗମାନଙ୍କୁ ବାହାରକୁ ପଠାଇ ଦେଇ ନର୍ସଙ୍କୁ ଔଷଧ ଆଣିବାକୁ କହିଥିଲେ। ସେହି ଔଷଧ ଆଣି ମୋ ଆଖି, ପାଟି, କାନ ଓ ମୁହଁରେ ପକାଇଦେଲେ। ତା’ସହିତ ମୋତେ ବହୁତ ମାରିଲେ । ଓଢ଼ଣୀ ଧରି ମୋ ପାଟିକୁ ଚାପି ଦେଲେ। ଆଉ କହିଲେ- ତୁ ଶୀଘ୍ର ମର,ଏଠାକୁ ଆଉ ଆସିବୁ ନାହିଁ ।”

ଏହି ଘଟଣା ସମ୍ପର୍କରେ ସ୍କୁଲ ଶିକ୍ଷକ ଛାତ୍ରୀଙ୍କଠାରୁ ଜାଣିଲା ପରେ ଡାକ୍ତରଙ୍କୁ ପଚାରିଥିଲେ। ତେବେ ଘଟଣାସ୍ଥଳରୁ ଡାକ୍ତର କିଛି ସମୟ ପାଇଁ ପଳାଇ ଯାଇଥିଲେ। ଡାକ୍ତର ପୁଣି ଡାକ୍ତରଖାନା ଆସିଲା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବଚସା ହୋଇଥିଲା।  ମୋର ଯାହା କରିବାର ଅଛି କର ବୋଲି ଡାକ୍ତର କହିଥିଲେ। ଏନେଇ ସିଡିଏମଓଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ,“ଏ ସମ୍ପର୍କରେ କୌଣସି ଅଭିଯୋଗ ଆସି ନାହିଁ। ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ଛାତ୍ରୀଜଣକ ନିଜ ଘରକୁ ପଳାଇଥିବା ବେଳେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ଏହି ଘଟଣାରେ ଆଉ କାହାର ହାତ ଅଛି କି ନାହିଁ, ସେନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ଉଠିଛି।

By amfnews

Related Post