Sat. Dec 28th, 2024

ଚିକିତ୍ସା ଅବହେଳାରୁ ଆଖି ବୁଜିଲେ ଗର୍ଭବତୀ

By amfnews Dec 4, 2018 #Featured
317 Views

କେନ୍ଦୁଝର, ଡିସେମ୍ବର ୪: ପୁଣି ଥରେ ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇି । ଦୁନିଆ ଦେଖିବା ପୂର୍ବରୁ ଗର୍ଭରେ ଥିବା ଶିଶୁ ସହ ମା’ ଆଖି ବୁଜିଛନ୍ତି । ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ମୃତ ଗର୍ଭବତୀ ଜଣକ ହେଲେ ସୁଆକାଟୀର ଗାଁର ଝୁନୁ ମୁଣ୍ଡା । ଡାକ୍ତର ଓ ଆଶାକର୍ମୀଙ୍କ ଅବହେଳାରୁ ଏହି ଗର୍ଭବତୀଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସ୍ୱାମୀ ଯୋଗେନ୍ଦ୍ର ମୁଣ୍ଡା ଅଭିଯୋଗ ଆଣିଛନ୍ତି । 

ଗତକାଲି ରାତିରେ ଯୋଗେନ୍ଦ୍ରଙ୍କ ସ୍ତ୍ରୀ ଝୁନୁଙ୍କର ଗର୍ଭଯନ୍ତ୍ରଣା ହେବାରୁ ଆଶାକର୍ମୀଙ୍କୁ ଖବର ଦେଇଥିଲେ । ମାତ୍ର ଆଶା ଦିଦି ତାଙ୍କୁ ଅଟୋରେ ନେବାକୁ ପରାମର୍ଶ ଦେଇ ନିଜର ଦାୟିତ୍ୱ ସାରିଦେଇଥିଲେ । ରାତି ପ୍ରାୟ ଗୋଟାଏ ବେଳେ ଯୋଗେନ୍ଦ୍ର ତାଙ୍କ ସ୍ତ୍ରୀକୁ ଅଟୋରେ କେନ୍ଦୁଝର ମେଡିକାଲକୁ ଆଣିଥିଲେ । ମାତ୍ର ମେଡିକାଲରେ ପହଁଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ ଅବହେଳାରୁ ସ୍ତ୍ରୀ ପ୍ରାଣ ହରାଇଥିବା ସେ ଅଭିଯୋଗ କରିଛନ୍ତି । ସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ସେ ଡାକ୍ତର ଓ ଆଶାଦିଦିଙ୍କୁ ଦାୟୀ କରିଛନ୍ତି ।

ଏ ନେଇ ଚିକିତ୍ସା କରୁଥିବା ଡାକ୍ତର ଅଜୟ ମହାନ୍ତି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଡାକ୍ତରଖାନାରେ ପହଂଚିବା ପୂର୍ବରୁ ଝୁନୁଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି । ରକ୍ତହୀନତା ଯୋଗୁଁ ଗର୍ଭବତୀଙ୍କର ମୃତ୍ୟୁ ହୋଇଥିବା ସେ ପ୍ରକାଶ କରିଛନ୍ତି । ଗତ ୨୬ରେ ଝୁନୁଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଯାଞ୍ଚ କରିଥିଲେ । ଶରୀରରେ ରକ୍ତ କମ ଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଯୋଗେନ୍ଦ୍ର ତାଙ୍କୁ ମେଡିକାଲରେ ନ ରଖି ଘରକୁ ନେଇ ଯାଇଥିଲେ । ତେଣୁ ଏଥିପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।

By amfnews

Related Post