Wed. Jan 22nd, 2025

ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଆଜି ପୁଣି ସରକାର ଓ କୃଷକ ସଂଗଠନ କରିବେ ଆଲୋଚନା

By amfnews Dec 30, 2020 #Featured
320 Views

ନୂଆଦିଲ୍ଲୀ, ଡିସେମ୍ବର ୨୯ : କେନ୍ଦ୍ର ସରକାର ଓ ଆନ୍ଦୋଳନରତ ଚାଷୀ ସଂଗଠନ ମଧ୍ୟରେ ଆଜି (ବୁଧବାର) ପୁଣି ଥରେ ଆଲୋଚନା ହେବ । ଆଶା କରାଯାଉଛି ଯେ, ଆଜି ହେବାକୁ ଥିବା ୬ଷ୍ଠ ପର୍ଯ୍ୟାୟର ଆଲୋଚନା ସକରାତ୍ମକ ରହିବ । ଚାଷୀ ନେତାମାନେ ନିଜର ଆନ୍ଦୋଳନ ଶେଷ କରିବାକୁ ସହମତି ପ୍ରଦାନ କରିବେ । କିନ୍ତୁ ତିନିଟି କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନର ନେତାମାନେ ୩୫ ଦିନ ହେଲା  ଆନ୍ଦୋଳନ ଜାରି ରଖିଛନ୍ତି । ଦିନିକୁ ଦିନ ଏହା ଆହୁରି ତୀବ୍ର ରୂପ ନେଉଛି । ଆନ୍ଦୋଳନସ୍ଥଳରେ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସରକାର ଆନ୍ଦୋଳନ ଶେଷ କରିବାକୁ ଉଦ୍ୟମ କରୁଥିବା ବେଳେ ଚାଷୀମାନେ କିନ୍ତୁ ପୂର୍ବ ଭଳି ଅମଙ୍ଗ ରହିଛନ୍ତି ।   

ଚାଷୀ ସଂଗଠନ ବୈଠକ ପୂର୍ବରୁ କହିଛନ୍ତି ଯେ, ଆଲୋଚନା କେବଳ ୩ଟି କୃଷି ଆଇନକୁ ନିଷ୍କ୍ରିୟ କରିବା ଓ ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମସଏସପି)ର ଆଇନଗତ ଗ୍ୟାରେଣ୍ଟି ଦେବା ଉପରେ ହିଁ ହେବ । କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ୬ଷ୍ଠ ପର୍ଯ୍ୟାୟରେ ହେବାକୁ ଥିବା ଆଲୋଚନା ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ପୀୟୁଷ ଗୋୟଲ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ସୂତ୍ର ଅନୁସାରେ ମନ୍ତ୍ରୀମାନେ ଏହି ବୈଠକ ସଂପର୍କରେ ଆଲୋଚନା କରିଛନ୍ତି ଯେ, ଚାଷୀମାଙ୍କ ସହିତ ହେବା ଥିବା ଆଲୋଚନାରେ ସରକାର କ’ଣ ଆଭିମୁଖ୍ୟ ରଖିବେ । କୃଷି ମନ୍ତ୍ରୀ ତୋମର, ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ଗୋୟଲ ଏବଂ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ସୋମ ପ୍ରକାଶ କିସାନ ସହିତ ଆଲୋଚନାରେ କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରିଆସୁଛନ୍ତି ।

ସଂଯୁକ୍ତ କିଷାନ ମୋର୍ଚ୍ଚାର ସଦସ୍ୟ ଅଭିମନ୍ୟୁ କୋହାଡ କହିଛନ୍ତି ଯେ, କେନ୍ଦ୍ର ଦ୍ୱାରା ପ୍ରସ୍ତାବିତ ତାରିଖରେ ବୈଠକରେ ଅଂଶଗ୍ରହଣ କରିବାକୁ କୃଷକ ସମ୍ମତି ପ୍ରଦାନ କରିଛନ୍ତି । କେନ୍ଦ୍ରର ନୂତନ କୃଷି ଆଇନ ବିରୋଧରେ ୪୦ଟି ଚାଷୀ ସଂଗଠନର ପ୍ରତିନିଧି ମଣ୍ଡଳ ସରକାରଙ୍କ ସହିତ ଆଲୋଚନା କରିବେ । କୋହାଡ କହିଛନ୍ତି ଯେ, ସରକାର ଡିସେମ୍ବର ୨୬ରେ ପତ୍ର ଲେଖିଥିଲେ । କିନ୍ତୁ ସରକାର ଏଥିରେ ଆଲୋଚନା ସଂପର୍କିତ ଏଜେଣ୍ଡା କହିନାହାନ୍ତି । 

By amfnews

Related Post