Wed. Dec 25th, 2024

ଚାଷୀ ଆନ୍ଦୋଳନ: ଆଜି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ରାଷ୍ଟ୍ରପତି ଭବନ ଯାଏଁ କଂଗ୍ରେସର ପଦଯାତ୍ରା

By amfnews Dec 24, 2020 #Featured
131 Views

ନୂଆଦିଲ୍ଲୀ, ଡିସେମ୍ବର ୨୪ : ତିନିଟି କୃଷି ଆଇନକୁ ବିରୋଧ କରି ପ୍ରାୟ ଏକ ମାସ ହେବ ଚାଷୀମାନଙ୍କର ଆନ୍ଦୋଳନ ଜାରି ରହିଛି । ଦିନିକୁ ଦିନ ଏହା ଆହୁରି ତୀବ୍ର ରୂପ ନେଉଛି । ଆନ୍ଦୋଳନସ୍ଥଳରେ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସରକାର ଆନ୍ଦୋଳନ ଶେଷ କରିବାକୁ ଉଦ୍ୟମ କରୁଥିବା ବେଳେ ଚାଷୀମାନେ କିନ୍ତୁ ପୂର୍ବ ଭଳି ଅମଙ୍ଗ ରହିଛନ୍ତି ।  ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ରାଷ୍ଟ୍ରପତି ଭବନ ଯାଏଁ ପଦଯାତ୍ରା କରିବେ । 

ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୂର୍ବାହ୍ନ ୧୦ଟା ୪୫ରେ ବିଜୟ ଛକ ଠାରୁ ରାଷ୍ଟ୍ରପତି ଭବନ ଯାଏଁ ପଦଯାତ୍ରା କରିବେ । ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ପାର୍ଟିର ଅନ୍ୟ ସାଂସଦ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ । ଏହା ପରେ ରାହୁଲ ଏବଂ ଅନ୍ୟ ବରିଷ୍ଠ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ଏବଂ ତାଙ୍କୁ ୨ କୋଟି ଦସ୍ତଖତ ସମ୍ବଳିତ ଏକ ସ୍ମାରକ ପତ୍ର ଦେବେ । 

ଏହା ପୂର୍ବରୁ ଚାଷୀ ସଂଗଠନର ନେତାମାନେ ବୁଧବାର କହିଥିଲେ ଯେ, ପୁଣି ଥରେ ଆଲୋଚନା କରିବାକୁ ସରକାର ଆଗେଇ ଆସନ୍ତୁ । ଅନ୍ୟପଟରେ କୃଷିମନ୍ତ୍ରୀ କହିଛନ୍ତି, ସମସ୍ୟାର ସମାଧାନ ପର୍ଯ୍ୟନ୍ତ ପହଂଚିବାରେ ଆଲୋଚନା ହିଁ ହେଉଛି ଅନ୍ୟତମ ବଡ଼ ମାଧ୍ୟମ । ତିନି ଆଇନକୁ ନିଷ୍କ୍ରିୟ କରିବା ନେଇ ଚାଷୀମାନେ ଦାବି କରିଆସୁଛନ୍ତି । ଏହାକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ଏହା କେବେ ସରିବ, ତାହା ସ୍ପଷ୍ଟ ହୋଇପାରୁ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୬ଟି ରାଜ୍ୟର ଚାଷୀଙ୍କୁ ସମ୍ବୋଧନ କରିବେ । ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଭିଜ୍ଞତା ସଂପର୍କରେ ଚାଷୀଙ୍କୁ କହିବେ । 

By amfnews

Related Post