Tue. Nov 5th, 2024

ଚାଷୀଙ୍କ ପାଇଁ ବିଜୁ କୃଷକ ଜନତା ଦଳର ସମାବେଶ : ୮ରେ ବିଜେଡିର ସଂସଦ ଆଗରେ ଧାରଣା

By amfnews Jan 4, 2019 #Featured
138 Views

ଭୁବନେଶ୍ବର : ଚାଷୀଙ୍କ ହକ ପାଇଁ ଖୋଦ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିବାକୁ ବିଜେଡି ଆସନ୍ତା ୮ ତାରିଖରେ ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଦେବା ସହ ସଂସଦ ଆଗରେ ବିକ୍ଷୋଭ କରିବ ବୋଲି ଘୋଷଣା କରିଛି। ବିଜୁ କୃଷକ ଜନତା ଦଳ ପକ୍ଷରୁ ଆୟୋଜିତ ଏହି ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗଦେବା ସହ ବିଜେଡିର ବିଧାୟକ,ମନ୍ତ୍ରୀ ଓ ସାଂସଦ ଯୋଗଦେବେ।

ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇ ବିଜୁ କୃଷକ ଜନତା ଦଳ ମହାସଚିବ ତଥା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ସମେତ ଉପକୂଳ ଜିଲ୍ଲାରୁ ପାଖାପାଖି ୧ ହଜାର ଚାଷୀ ଓ ଚାଷୀ ପ୍ରତିନିଧି ଏହି ସମାବେଶରେ ଯୋଗଦେବେ । ଏଥିପାଇଁ ଏକ ସ୍ବତନ୍ତ୍ର ଟ୍ରେନର ୪ଟି ବଗି ସଂରକ୍ଷଣ କରାଯାଇଛି । ଏହି ସମାେବଶରେ ସବୁ ଜିଲ୍ଲାର ବିଜେଡି ସଭାପତି,ବିଜୁ ମହିଳା,ଯୁବ,ଛାତ୍ର ଆଜି ଛାମୁଆ ସଂଗଠନର ସଭାପତିଙ୍କ ସହ କର୍ମକର୍ତ୍ତା,ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ବି େଯାଗଦେବେ।

ଏଥିପାଇଁ ଆସନ୍ତା ୫ ତାରିଖ ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ନେତା,ମନ୍ତ୍ରୀ ଓ ଚାଷୀ । ଦିଲ୍ଲୀ ଯିବା ପୂର୍ବରୁ ସେହିଦିନ ସନ୍ଧ୍ୟା ୫ଟାରେ ବିଧାନସଭା ସ୍ଥିତ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ମୁଖ୍ୟମନ୍ତ୍ରୀଙ୍କ ସମେତ ନେତା ଓ ମନ୍ତ୍ରୀ। ସେହିଦିନ ଭୁବନେଶ୍ବର ରେଳ ଷ୍ଟେସନରେ ରାତି ୮ଟାରେ ଟ୍ରେନ ଛାଡ଼ିବା ପୂର୍ବରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବାକୁ ଷ୍ଟେସନ ଯିବେ ନିଜେ ମୁଖ୍ୟମନ୍ତ୍ରୀ । ଏହି ଟ୍ରେନ୍ ଭୁବନେଶ୍ବରରୁ ବାହାରି ସମ୍ବଲପୁର,ଝାରସୁଗୁଡ଼ା ଦେଇ ୭ ତାରିଖ ଦିନ ଦିଲ୍ଲୀରେ ପହଞ୍ଚିବ । ୮ ତାରିଖ ଦିନ ଧାରଣା ଓ ବିକ୍ଷୋଭ ପରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ବିଜେଡି ଜଣାଇଛି। ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ,ରାଜ୍ୟ ସମ୍ପାଦକ ବିଜୟ ନାୟକ ଓ ବିଜୁ କୃଷକ ଜନତା ଦଳ ସାଧାରଣ ସମ୍ପାଦକ କିଶୋର ମେହେର ଉପସ୍ଥିତ ଥିଲେ ।

୨୦୧୩ରେ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବିରେ ବିଜେଡି ଦିଲ୍ଲୀର ଜନ୍ତରମନ୍ତରରେ ଧାରଣା ଓ ବିକ୍ଷୋଭ କରିଥିଲା ।

By amfnews

Related Post