Tue. Nov 26th, 2024

ଚଳନ୍ତା ଟ୍ରେନ୍‌ରେ ପତ୍ନୀର ମୁଣ୍ଡଗଣ୍ଡି ଅଲଗା କରିଥିଲା ସ୍ବାମୀ

By amfnews Jan 25, 2019
84 Views

ପୁରୀ, ଜାନୁଆରୀ ୨୫ : ଆଜିକୁ ୭ ମାସ ତଳେ ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ୍‌ର ପାଇଖାନା ଭିତରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାର ପର୍ଦ୍ଦାଫାସ୍‌ କରିଛି ପୁରୀ ଜିଆର୍‌ପି ପୁଲିସ। ହତ୍ୟାକାରୀ ଆଉ କେହି ନୁହେଁ, ଖୋଦ୍‌ ମହିଳାଙ୍କ ସ୍ବାମୀ ବୋଲି ପୁଲିସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛି। ହତ୍ୟାର ଶିକାର ହୋଇଥିବା ମହିଳା ଜଣକ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ତିର୍ଚିପୁର ଖଣ୍ଡିପାଲ ଗ୍ରାମର କରୁଣାକର ମଲ୍ଲିକଙ୍କ ଝିଅ ଗୀତାଞ୍ଜଳି ମଲ୍ଲିକ (୩୫)। ହତ୍ୟାକାଣ୍ଡ ପଛରେ ପରକୀୟା ପ୍ରୀତି ମୁଖ୍ୟ କାରଣ ବୋଲି ଜିଆରପି ଥାନା ଏସ୍ଆଇ ସନ୍ତୋଷ ବାହିନୀପତି ସୂଚନା ଦେଇଛନ୍ତି। ହତ୍ୟାକାରୀ ସ୍ବାମୀ କପିଳ ଓରଫ ବାମନ ଚରଣ ମଲ୍ଲିକ (୩୭)ର ଘର ଯାଜପୁର ଜିଲ୍ଲା ମଙ୍ଗଳପୁରରେ ହୋଇଥିବା ବେଳେ ପୁଲିସ ତାକୁ ସେଠାରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ଗତବର୍ଷ ଜୁନ ୨୦ରେ ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନର ପାଇଖାନା ଭିତରୁ ଗୀତାଞ୍ଜଳିଙ୍କ ମୁଣ୍ଡବିହୀନ ଶବ ମିଳିଥିବା ବେଳେ କଟାମୁଣ୍ଡଟି ଡେଲାଙ୍ଗ ଷ୍ଟେସନ ନିକଟ ବେରବୋଇ ରେଳଧାରଣାରୁ ମିଳିଥିଲା।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୩ ମସିହା ଜୁଲାଇ ୧୩ ତାରିଖରେ କପିଳ ସହିତ ଗୀତାଞ୍ଜଳିଙ୍କର ବିବାହ ହୋଇଥିଲା। କପିଳ ମହାରାଷ୍ଟ୍ରର ପୁନେରେ ଶ୍ରମିକ କାମ କରୁଥିବା ବେଳେ ପତ୍ନୀ ଗୀତାଞ୍ଜଳି ଗାଁରେ ରହୁଥିଲେ। କୌଣସି କାରଣକୁ ନେଇ ଗୀତାଞ୍ଜଳିଙ୍କୁ ନିଜ କର୍ମସ୍ଥଳୀକୁ ନେବା ପାଇଁ କପିଳ ଆଗ୍ରହ କରୁନଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବାରୁ ଗୀତାଞ୍ଜଳିଙ୍କ ଭାଇମାନେ ଭଉଣୀକୁ ପୁନେ ନେଇଯିବା ପାଇଁ କପିଳଙ୍କୁ ବାଧ୍ୟ କରିଥିଲେ। ଫଳରେ ଗତ ବର୍ଷ ଜୁନ୍ ମାସ ୧୯ ତାରିଖରେ ପତ୍ନୀ ଗୀତାଞ୍ଜଳିଙ୍କୁ ଗାଁରୁ ନେଇ କପିଳ ବାହାରିଥିଲା। ମାତ୍ର ପାରିବାରିକ ଜୀବନକୁ ନେଇ କ୍ଷୁବ୍ଧ ଥିବା କପିଳ ପତ୍ନୀଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଚାହିଁ ଥିଲା। ଯିବା ପୂର୍ବରୁ କପିଳ ଏକ ଛୁରି କିଣି ବ୍ୟାଗରେ ରଖିଥିଲା।

ପୁନେ ଯିବା ପୂର୍ବରୁ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବା ବୋଲି ଗୀତାଞ୍ଜଳିଙ୍କୁ କହି କପିଳ ଚତୁରତାର ସହିତ ତାଙ୍କୁ ପୁରୀକୁ ଆଣିଥିଲା। ଜୁନ୍ ୧୯ ତାରିଖ ଦିନ ସେମାନେ ମହାପ୍ରଭୁଙ୍କ ଦର୍ଶନ କରି ରାତିରେ ପୁରୀ-ଗୁଣୁପୁର ପାସେଞ୍ଜର ଖାଲି ଟ୍ରେନ୍‌ରେ ବସି ଖୋର୍ଦ୍ଧାକୁ ବାହାରିଥିଲେ। ପୁରୀ ଷ୍ଟେସନରୁ ଟ୍ରେନ୍ ଛାଡ଼ିବା ପରେ ଗୀତାଞ୍ଜଳି ପରିସ୍ରା ଯିବା ପାଇଁ ପାଇଖାନାକୁ ଯାଇଥିଲେ। ଏହି ସମୟ ହିଁ ଗୀତାଞ୍ଜଳିଙ୍କୁ ହତ୍ୟା କରିବାର ପ୍ରକୃଷ୍ଟ ସମୟ ଭାବି କପିଳ ଛୁରି ନେଇ ପାଇଖାନାକୁ ଯାଇଥିଲା। ସେଠାରେ ଦୈହିକ ସମ୍ପର୍କ ରଖିବା ପାଇଁ ନିବେଦନ କରି କପିଳ କୌଶଳ କ୍ରମେ ଗୀତାଞ୍ଜଳିଙ୍କ ବେକକୁ ଧାରୁଆ ଛୁରିରେ କାଟି ଦେଇଥିଲା। କେହି ଯେପରି କଟାମୁଣ୍ଡକୁ ଦେଖି ଚିହ୍ନି ନପାରିବେ ସେଥିପାଇଁ ସେ ଛୁରିରେ ତାଙ୍କ ମୁହଁକୁ କ୍ଷତବିକ୍ଷତ କରି ଦେଇଥିଲା। ପରେ ଚଳନ୍ତା ଟ୍ରେନ୍‌ରୁ ଗୀତାଞ୍ଜଳିଙ୍କ କଟା ମୁଣ୍ଡକୁ ବାହାରକୁ ପକାଇ କପିଳ ଖୋର୍ଦ୍ଧା ଷ୍ଟେସନରେ ଓହ୍ଲାଇଥିଲା ଏବଂ ସେଠାରୁ ଅନ୍ୟ ଏକ ଟ୍ରେନ ଧରି ଭୁବନେଶ୍ବର ଓ ସେଠାରୁ ସିଧା ପୁନେକୁ ଚାଲିଯାଇଥିଲା। ଏହା ପରେ ସେ ଆଉ ଗାଁକୁ ଫେରିନଥିଲା କି ଗୀତାଞ୍ଜଳିଙ୍କ ସମ୍ପର୍କରେ ପରିବାର ସଦସ୍ୟ କିମ୍ବା ଶ୍ବଶୁର ଘର ଲୋକେ କେହି ଫୋନ କଲେ ବାଆଁରେଇ ଟାଳି ଦେଉଥିଲା।

ଚଳିତ ମାସ ୧୯ ତାରିଖରେ କପିଳ ଗାଁକୁ ଫେରିବା ପରେ ସମସ୍ତେ ଗୀତାଞ୍ଜଳିଙ୍କୁ ଖୋଜିଥିଲେ। ମାତ୍ର ଖର୍ଚ୍ଚ ବଞ୍ଚାଇବା ପାଇଁ ଗୀତାଞ୍ଜଳିକୁ ଗାଁକୁ ଆଣିନଥିବା କପିଳ କହିଥିଲା। କିନ୍ତୁ କପିଳଙ୍କର ଏହି କଥାକୁ ଶ୍ବଶୁର ଘର ଲୋକେ ବିଶ୍ବାସ କରିନଥିଲେ। ଗୀତାଞ୍ଜଳିଙ୍କ ଭାଇ ସୁରଥ ଓ ଶ୍ବଶୁର କରୁଣାକର ଜ୍ବାଇଁର ହାବଭାବରେ ସନ୍ଦେହ ପ୍ରକାଶ କରି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ। ଘଟଣା ସଂପର୍କରେ ପୁଲିସ ଗୁଡେଇ ତୁଡେଇ ଜେରା କରିବା ପରେ ସବୁ ସତ ମାନି ଯାଇଥିଲା କପିଳ। ଗୀତାଞ୍ଜଳିଙ୍କୁ ପୁରୀରୁ ଖୋର୍ଦ୍ଧାକୁ ନେବା ବାଟରେ ଚଳନ୍ତା ଟ୍ରେନରେ ହତ୍ୟା କରିଥିବା ସ୍ବୀକାର କରିଥିଲା। ପରେ ମଙ୍ଗଳପୁର ଥାନା ପୁଲିସ ପୁରୀ ଜିଆରପି ଥାନା ସହିତ ଯୋଗାଯୋଗ କରିବା ପରେ ସମସ୍ତ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ପୁରୀ ଜିଆର୍‌ପି ପୁଲିସ ଗୀତାଞ୍ଜଳିଙ୍କର ଶାଢ଼ୀ, ଅଳଙ୍କାର, ଚପଲ ଆଦି ଦେଖାଇବା ପରେ ତାଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ। ଏହି ଘଟଣାରେ ଆଜି ଜିଆରପି ଥାନା ପୁଲିସ କପିଳକୁ କେସ୍ ନଂ ୬୫/୧୮ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି। ସାମ୍ବାଦିକ ସମ୍ମିଳନୀରେ ଏସ୍ଆଇ ଫକୀର ମୋହନ ସରାଫ ଏବଂ ଆରପିଏଫ୍ ଓସି ଗଗନ ବିହାରୀ ଦାଶ ଉପସ୍ଥିତ ଥିଲେ।

ପ୍ରେମ ଜାଲରେ ଫସିଥିଲା କପିଳ
ପତ୍ନୀହନ୍ତା କପିଳ ଅନ୍ୟ ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲା। ଏ ସମ୍ପର୍କରେ କପିଳଙ୍କ ଗାଁରେ ସମସ୍ତେ ଜାଣନ୍ତି। ଏପରିକି ଏହି ସମ୍ପର୍କକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ଭଦ୍ରଲୋକମାନେ ଏହାର ସମାଧାନ କରିଥିଲେ। କିନ୍ତୁ ଏହି ପ୍ରେମ ସମ୍ପର୍କ ଯୋଗୁ ଉଭୟ କପିଳ ଓ ଗୀତାଞ୍ଜଳି ମଧ୍ୟରେ ସୁସମ୍ପର୍କ ନ ଥିଲା। ପ୍ରେମିକାକୁ ଜୀବନସାଥୀ କରିବା ପାଇଁ କପିଳ ନିଜ ପତ୍ନୀ ଗୀତାଞ୍ଜଳିକୁ ରାସ୍ତାରୁ ହଟାଇଥିଲା ବୋଲି ପୁଲିସ କହିଛି।
ପ୍ରେମିକାକୁ ଜେରା କରାଯିବ
କପିଳର ପ୍ରେମିକାକୁ ପୁଲିସ ଜେରା କରିବ। ପୁଲିସ କହିଛି ଯେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଜରିଗାଁର ଜଣେ ଯୁବତୀକୁ କପିଳ ପ୍ରେମ କରୁଥିଲା। ତେଣୁ ଉଭୟଙ୍କ ମଧ୍ୟରେ ସମ୍ପର୍କ କେତେଦୂର ନିବିଡ଼ ଥିଲା, ସେ ନେଇ ପୁଲିସ ତଦନ୍ତ କରିବ। ପୁଲିସ ଏବେ କପିଳର ଏହି ପ୍ରେମିକାକୁ ଜେରା କରିବ ବୋଲି କହିଛି।
ଦୁଇଦିନିଆ ରିମାଣ୍ଡରେ କପିଳ
ଗୀତାଞ୍ଜଳି ହତ୍ୟାକାଣ୍ଡ ପଛର କାରଣକୁ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି। ଏଥି ପାଇଁ କୋର୍ଟରୁ ଦୁଇଦିନିଆ ରିମାଣ୍ଡ ଅନୁମତି ମିଳିଛି। ଏମିତି କେଉଁ କାରଣ ରହିଛି ଯେ କପିଳ ତା’ର ପତ୍ନୀକୁ ଏପରି ନୃଶଂସ ଭାବେ ହତ୍ୟା କରିବ, ସେ ପ୍ରଶ୍ନ ଏବେ ସାଧାରଣରେ ଉଠିଛି। ରିମାଣ୍ଡରେ କପିଳକୁ ଜେରା କରିବା ଲାଗି ପୁଲିସ ପ୍ରସ୍ତୁତି ଚଳାଇଛି।
୪ ଶହ ଟଙ୍କାରେ କିଣିଥିଲା ଛୁରି
ପାରିବାରିକ ଅସନ୍ତୋଷ ଏବଂ ଗୀତାଞ୍ଜଳିଙ୍କୁ ପୁଣେକୁ ନେଇଯିବା ପାଇଁ ଶାଳକମାନଙ୍କର ଚାପ ସହିତ ଧମକକୁ କପିଳ ସହଜରେ ଗ୍ରହଣ କରି ନଥିଲା। ତେଣୁ ଗୀତାଞ୍ଜଳିଙ୍କୁ ପୁଣେକୁ ନେବା ପୂର୍ବରୁ ହିଁ ହତ୍ୟା କରିବା ପାଇଁ ମନସ୍ଥ କରିଥିଲା କପିଳ। ପୁଣେକୁ ବାହାରିବା ପୂର୍ବରୁ କପିଳ ୪ ଶହ ଟଙ୍କାରେ ଏକ ଛୁରି କିଣିଥିଲା। ଛୁରିଟିକୁ ଯେଉଁ ପଲିଥିନରେ ରଖିଥିଲା ସେହି ପଲିଥିନ୍‌ରେ ଗୀତାଞ୍ଜଳିଙ୍କ ମୁଣ୍ଡକୁ ପୂରାଇ ଚଳନ୍ତା ଟ୍ରେନରୁ ଫିଙ୍ଗି ଦେଇଥିଲା।

By amfnews

Related Post