Sun. Mar 8th, 2026

ଚନ୍ଦ୍ରଭାଗା ବୁଲିଲେ ଆଇଏଏସ ବାବୁ, ଆଜି ନେବେ ମୋଟିଭେସନାଲ ମନ୍ତ୍ର

258 Views

କୋଣାର୍କ  :  ୨ ଦିନିଆ ଆଇଏଏସ ଅଫିସର ସମ୍ମିଳନୀ ଗତକାଲି ଲୋକସେବା ଭବନସ୍ଥିତ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିବା ବେଳେ ଦ୍ୱିତୀୟ ଦିନ ବୈଠକ ଆଜି କୋଣାର୍କରେ ଅନୁଷ୍ଠିତ ହେଉଛି। ଏଥିନିମନ୍ତେ ବରିଷ୍ଠ ଅଧିକାରୀମାନେ ରାତାରାତି ୪ଟି ଶୀତତାପ ନିୟନ୍ତ୍ରିତ ବସ୍ ଓ ଅନ୍ୟାନ୍ୟ ଗାଡ଼ିରେ କୋଣାର୍କ ଇକୋ ରିଟ୍ରିଟ୍‌ରେ ପହଞ୍ଚି ଯାଇଥିଲେ।

ଆଜି ସକାଳୁ ସକାଳୁ ବରିଷ୍ଠ ଅଧିକାରୀମାନେ ଇକୋ ରିଟ୍ରିଟ୍‌ଠାରୁ ସମୁଦ୍ର କୂଳେ କୂଳେ ପ୍ରାୟ ୨ କି.ମି ପର୍ଯ୍ୟନ୍ତ ପ୍ରାତଃ ଭ୍ରମଣ କରିଥିଲେ। ଏହାପରେ ସମୁଦ୍ର କୂଳରେ କିଛି ସମୟ ଅତିବାହିତ କରି ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ଉଠାଇଥିଲେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଉନ୍ନୟନ କମିଶନ ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହ ଏବଂ ଏସ୍‌ପି ସକାଳୁ ପ୍ରାତଃ ଭ୍ରମଣ ଲାଗି ଏକାଠି ହୋଇଥିଲେ ।

ଏହି ଅବସରରେ ଚନ୍ଦ୍ରଭାଗା ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେବା ସହ ଚନ୍ଦ୍ରଭାଗା ବେଳାଭୂମିକୁ ଅଧିକ ସ୍ୱଚ୍ଛ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ମୁଖ୍ୟ ଶାସନ ସଚିବ ପୁରୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

ଆଜି ଦ୍ୱିତୀୟ ଦିନରେ ବରିଷ୍ଠ ଆଇଏଏସ୍‌ ଅଧିକାରୀମାନଙ୍କୁ ଦିଆଯିବ ପ୍ରେରଣାଦାୟୀ ଭାଷଣ। ଏ ସମ୍ପର୍କରେ  ବାଙ୍ଗାଲୋରରୁ ଆସିଥିବ ମୋଟିଭେସନାଲ ଗୁରୁ ସ୍ୱାମୀ ରାମନାଥନ ଜ୍ଞାନ ଦେବେ।

ସୂଚନାଯୋଗ୍ୟ,ଗତକାଲି ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ଲୋକଙ୍କ ସେବା କରିବାର ଗୁରୁମନ୍ତ୍ର ଦେଇଥିଲେ। ଲୋକଙ୍କ ପ୍ରତି ଥିବା ଦାୟିତ୍ୱ, କର୍ତ୍ତବ୍ୟବୋଧ ସମ୍ପର୍କରେ ଅଫିସରଙ୍କୁ ସଚେତନ କରାଇଥିଲେ। ଏଥିନିମନ୍ତେ ସମସ୍ତଙ୍କୁ ସଙ୍କଳ୍ପପାଠ ମଧ୍ୟ କରାଇଥିଲେ। କିନ୍ତୁ ଏଭଳି ସଂକଳ୍ପ ନେବାର ୫ଘଣ୍ଟା ନ ପୁରୁଣୁ ବୈଠକରେ ସାମିଲ ଥିବା ଅଫିସରମାନେ ଏହାକୁ ଉଡ଼ାଇ ଦେବା ସହ ସରକାରୀ ଅର୍ଥର କିଭଳି ଦୁରୂପଯୋଗ ସୃଷ୍ଟି କରାଯାଇପାରେ, ତା’ର ଉଦାହରଣ ସୃଷ୍ଟି କରିଛନ୍ତି।

ଯଦି ଲୋକଙ୍କ ଅର୍ଥରେ ସେମାନେ ଦରମା ନେଉଛନ୍ତି ଓ ଲୋକମାନେ ସେମାନଙ୍କର ପ୍ରଭୁ ତା’ହେଲେ ସାଧାରଣ ଲୋକଙ୍କ ଟିକସ ଅର୍ଥକୁ ହାତଗଣତି ଆଇଏଏସ ଅଫିସରମାନଙ୍କ ମନୋରଞ୍ଜନରେ କାହିଁକି ଖର୍ଚ୍ଚ କରାଯାଉଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

By amfnews

Related Post