Mon. Jan 13th, 2025

ଚନ୍ଦ୍ରପ୍ରଭା ସ୍ମୃତି ସମ୍ମାନ ୨୦୨୦

By amfnews Mar 15, 2020 #Featured
140 Views

ଭୁବନେଶ୍ୱର, ୧୫.୦୩.୨୦୨୦  :  ଖ୍ୟାତନାମା ଡାକ୍ତର, ସମାଜସେବୀ ଜଗନ୍ନାଥ ମହାପାତ୍ରଙ୍କୁ ସମ୍ମାନ ଜନକ ‘ଚନ୍ଦ୍ରପ୍ରଭା – ସ୍ମୃତି ସେବା ସମ୍ମାନ’ ପ୍ରଦାନ କରାଯାଇଛି । ବିଶିଷ୍ଟ ସମାଜସେବୀ, ସୁସାହିତ୍ୟିକା ତଥା ସଂସ୍କୃତିପ୍ରେମୀ ଅଧ୍ୟାପିକା ଚନ୍ଦ୍ରପ୍ରଭା ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସୋସିଏଡେଟ୍ ମିଡିଆ ଫାଉଣ୍ଡେସନ୍ ପକ୍ଷରୁ ‘ଚନ୍ଦ୍ରପ୍ରଭା ସ୍ମୃତି ସମ୍ମାନ’ ଶନିବାର ଭୁବନେଶ୍ୱର ସ୍ଥିତ ଦି ପ୍ରେସ୍ କ୍ଲବ୍ ଅଫ ଓଡିଶା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସେହିପରି ସାହିତ୍ୟ ସମ୍ମାନ ସୁସାହିତ୍ୟିକା ଓ ଚଳଚିତ୍ର ନିର୍ଦ୍ଧେଶିକା ବିୟତପ୍ରଜ୍ଞା ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ସଂସ୍କୃତି ସମ୍ମାନ ସୁପରିଚିତା ମଞ୍ଚ ଓ ଚଳଚିତ୍ର ଅଭିନେତ୍ରୀ ଭାସ୍ୱତି ବସୁ ଏବଂ ପ୍ରବାସୀ ଓଡିଆ ସମ୍ମାନ ନୁଆଦିଲ୍ଲୀ ଠାରେ ଅବସ୍ଥାପିତା ବିଶିଷ୍ଠ ସାମାଜିକ କର୍ମୀ ରୀତା ପାତ୍ରଙ୍କୁ ପ୍ରଦାନ କରାଯାଇଛି ।

ଏହି ସମ୍ମାନ ଉତ୍ସବରେ ଓଡିଶା ଉଚ୍ଚନ୍ୟାୟାଳୟ ଅବସରପ୍ରାସ୍ତ ବିଚାରପତି ଜଷ୍ଟିସ୍ ଏ. ସୂର୍ଯ୍ୟନାରାୟଣ ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ୍ ପାତ୍ର ଓ ବରିଷ୍ଠ ଆଇଏଏସ୍ ତଥା କବି ବିଷ୍ଣୁପଦ ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ନିଃସ୍ୱାର୍ଥପର ଭାବରେ ଅବହେଳିତ ଓ ନିଷ୍ପେସିତମାନଙ୍କ ସ୍ୱାର୍ଥ ରକ୍ଷାପାଇଁ ଚନ୍ଦ୍ରପ୍ରଭା ଛାତ୍ରୀ ଅବସ୍ଥାରୁ ନିଜକୁ ଉତ୍ସର୍ଗୀକୃତ କରିଥିଲେ । ଗତ ସୀମା ଆନ୍ଦୋଳନ ସମୟରେ ସେ ଓଡ଼ିଶାର ସ୍ୱାର୍ଥ ପାଇଁ ବିକ୍ଷୋଭ କରି କାରାବରଣ କରିଥିଲେ ଏବଂ ଆଚାର୍ଯ୍ୟ ହରିହର ଚନ୍ଦ୍ରପ୍ରଭାଙ୍କର ଦୁଃସାହାସିକ କାର୍ଯ୍ୟକୁ ପ୍ରସଂଶା କରିବା ସହ ତାଙ୍କୁ ନିଜ ହେପାଜତରେ କାରାମୁକ୍ତ କରାଇଥିଲେ । ଶିକ୍ଷା, ସଂସ୍କୃତି, ସେବା, ସାହିତ୍ୟ କ୍ଷେତ୍ରରେ ଚନ୍ଦ୍ରପ୍ରଭାଙ୍କ ଅବଦାନ ଅତୁଳନୀୟ ବୋଲି ମୁଖ୍ୟ ଅତିଥି ଶ୍ରୀ ନାଇଡ଼ୁ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ ।

ମଦରଟେରେସାଙ୍କ ଭଳି ଦୁଃଖିରଙ୍କିଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ସହ ଭାରତରତ୍ନ ଅରୁଣା ଆସଫଅଲ୍ଲୀଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଜାତୀୟ ମହିଳା ମହାସଂଘ ଭୁପେନ ହଜାରିକା, ଦିନା ପାଠକ, କୈଫି ଆଜମିଙ୍କ ଭଳି ସଂସ୍କୃତିପ୍ରେମୀମାନଙ୍କ ଦ୍ୱାରା ଗଠିତ ଭାରତୀୟ ଗଣନାଟ୍ୟ ସଂଘର ସର୍ବଭାରତୀୟ ପରିଚାଳନା ସଂସଦର ସଦସ୍ୟା ତଥା ରାଜ୍ୟ ଶାଖାର ସାଧାରଣ ସଂପାଦିକା ଭାବରେ ଶ୍ରୀମତି ପଟ୍ଟନାୟକଙ୍କ ସ୍ମରଣୀୟ ଉଦ୍ୟମ ପାଇଁ ସେ ସର୍ବଦା ଅବିସ୍ମରଣୀୟା ହୋଇ ରହିବେ ବୋଲି ଶ୍ରୀ ନାଇଡ଼ୁ ମତବ୍ୟକ୍ତ କରିଥିଲେ ।

ନିଜ ବା ନିଜ ପରିବାରର ବିଷେଶ ଆର୍ଥିକ ସ୍ୱଚ୍ଛଳତା ନଥାଇ ସରକାରୀ ବା ବେସରକାରୀ ଅନୁଷ୍ଠାନମାନଙ୍କୁ କୌଣସି ଅନୁଦାନ ନନେଇ ଚନ୍ଦ୍ରପ୍ରଭା ଯେଭଳି ଭାବରେ ସେବା ଓ ଆତିଥ୍ୟତା ପ୍ରଦାନ କରୁଥିଲେ ତାହା ସମସ୍ତଙ୍କୁ ମୁଗ୍ଧ କରୁଥିଲା । ସେଥିପାଇଁ ସେ ସବୁବର୍ଗର ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶେଷ ଭାବରେ ଆଦୃତା ହୋଇପାରିଥିଲେ ବୋଲି ବିଶିଷ୍ଠ କବି ଓ ଉଚ୍ଚପ୍ରଶାସନିକ ଅଧିକାରୀ ବିଷ୍ଣୁ ଚରଣ ସେଠୀ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ ।

ରାଜ୍ୟସଭା ସାଂସଦ ଡ଼. ସସ୍ମିତ ପାତ୍ର ଏହି ଉତ୍ସବରେ ଯୋଗଦେଇ ଚନ୍ଦ୍ରପ୍ରଭାଙ୍କ ଭଳି ଜଣେ ଆଦର୍ଶ ସମାଜସେବୀ ଅଧ୍ୟାପିକା , ସଂସ୍କୃତିପ୍ରେମୀ ଏବଂ ସେବା ପରାୟାଣା ମହିଳା ବିରଳ ବୋଲି ମତବ୍ୟକ୍ତ କରିବା ସହ ନୂତନପିଢ଼ିର ମହିଳାମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ପାରିଲେ ସମାଜ ଓ ଦେଶର ଯଥେଷ୍ଟ ଉନ୍ନତି ହୋଇପାରନ୍ତା ବୋଲି ମତବ୍ୟକ୍ତ କରିଥିଲେ ।

ଉତ୍ସବରେ ଆସୋସିଏଟେଡ ମିଡିଆ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ବରିଷ୍ଠ ସମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ କବି କେଦାର ମିଶ୍ର ଓ ପାର୍ଥ ପଟ୍ଟନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବହୁ ସାମ୍ବାଦିକ, ରାଜନୀତି ବ୍ୟକ୍ତି ବିଶେଷ, ପ୍ରଶାସକ, ସାହିତ୍ୟିକ, ସମାଜସେବୀ ଓ ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ ।

By amfnews

Related Post