Fri. Mar 6th, 2026

ଚକଡ଼ା ପାଇଁ କୁକୁଡ଼ା:୫ ହଜାର ପରିବାରକୁ ମିଳିବ ଅଢ଼େଇ ଲକ୍ଷ ଚିଆଁ

291 Views

ସମ୍ବଲପୁର : ଗତ ବର୍ଷ ଚକଡ଼ା ପୋକ ଲାଗି ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବ୍ୟାପକ ଫସଲହାନୀ ହୋଇଥିଲା। ଚକଡ଼ା ବହୁ ଗରିବ ଚାଷୀଙ୍କ ଆର୍ଥିକ ମେରୁଦଣ୍ତ ଭାଙ୍ଗି ଦେଇଥିଲା। ବହୁ ପରିବାର ସ୍ବର୍ବସାନ୍ତ୍ବ ହୋଇଥିଲେ। ପୀଡ଼ିତ ଚାଷୀଙ୍କୁ କିଛି କିଛି ସରକାରୀ ସହାୟତା ମିଳିଥିଲେ ବି ତାହା ସେମାନଙ୍କ କ୍ଷତି ଭରଣା ପାଇଁ ଯଥେଷ୍ଟ ହୋଇ ନାହିଁ। ତେଣୁ ଚକଡ଼ା ପୀଡ଼ିତ ଚାଷୀଙ୍କୁ ଜୀବନଧାରଣରେ ସହାୟତା ପାଇଁ ସରକାରଙ୍କ ପକ୍ଷରୁ କୁକୁଡ଼ା ଚିଆଁ (ଚିକ୍‌ସ) ବଣ୍ଟନ ଆରମ୍ଭ ହୋଇଛି। ସମ୍ବଲପୁର ଜିଲ୍ଲାର ୯ଟି ବ୍ଲକ୍‌ର ୫୦୧୬ ପରିବାରକୁ କୁକୁଡ଼ା ଚିଆଁ ଦେବାକୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ବ୍ଲକ୍‌ର ୧୦୦୦ରୁ ଅଧିକ ପରିବାରଙ୍କୁ କୁକୁଡ଼ା ଚିଆଁ ବଣ୍ଟନ ସରିଛି। ପ୍ରତି ପରିବାରକୁ ପ୍ରଥମ ପର୍ଯ୍ୟାୟରେ ୨୫ଟି ଲେଖାଏଁ ୨୮ ଦିନିଆ କୁକୁଡ଼ା ଚିଆଁ ଦିଆଯାଉଛି। ଯେଉଁ ମାନେ ଚିଆଁ ଗୁଡ଼ିକର ଉପଯୁକ୍ତ ଲାଳନ ପାଳନ କରିବେ ଦ୍ବିତୀୟ ପର୍ଯ୍ୟାୟରେ ସେମାନଙ୍କୁ ଆଉ ୨୫ଟି ଲେଖାଏଁ ଚିଆଁ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ନବୀନ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଏହି ୨୮ ଦିନିଆ କୁକୁଡ଼ା ଚିଆଁ ଗୁଡ଼ିକର ବଞ୍ଚିବାର ଓ ବଢ଼ିବାର ଯଥେଷ୍ଟ ସମ୍ଭାବନା ଥିବା ସହ ସେମାନେ କମ୍‌ ଦିନରେ ପରିପକ୍ବ ହେବେ। ଭଦ୍ରକର ଏକ ଫାର୍ମ ଏହି କୁକୁଡ଼ା ଚିଆଁ ଗୁଡ଼ିକୁ ଯୋଗାଇ ଦେଉଛି। ଚାଷୀମାନଙ୍କୁ ଏହା ପ୍ରଦାନ କଲାବେଳେ କୁକୁଡ଼ା ପାଳନ ସ˚ପର୍କିତ ଆବଶ୍ୟକ ପରାମର୍ଶ ବି ଦିଆଯାଉଛି। ବୁଧବାର ଧନକଉଡ଼ା ବ୍ଲକର କଳାମାଟି, ବୈଜାମୁଣ୍ତା, ତାଲବ, ବନ୍ଧପାଲି, ଚାରପାଲି ଆଦି ପଞ୍ଚାୟତର ୧୬୦ ହିତାଧିକାରୀଙ୍କୁ ୪ ହଜାର କୁକୁଡ଼ା ଚିଆଁ ବଣ୍ଟନ କରା ଯାଇଥିଲା। ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଉପନିର୍ଦ୍ଦେଶକ ବିନୋଦ ଚନ୍ଦ୍ର ନାୟକ, ଏସ୍‌ଡିଭିଓ ଡା. କେସବ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଧନକଉଡ଼ା ଡା. ସରିତ ପାତ୍ର, ବୁର୍ଲା ଭିଏସ୍‌ ଡା. ଚନ୍ଦ୍ର ଶେଖର ପଣ୍ତାଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସ୍ଥାନୀୟ ପଞ୍ଚାୟତିରାଜ ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ଚାଷୀଙ୍କୁ ଏହି କୁକୁଡ଼ା ଚିଆଁ ବଣ୍ଟନ କରିଥିଲେ।

By amfnews

Related Post