Sat. Mar 7th, 2026

ଘରୋଇ ବଇଦ ଚିକିତ୍ସା କାଳ ହେଲା : ୬ ଘଣ୍ଟା ପେଟରେ ଲାଖି ରହିଲା ଢାଳ

247 Views

ଦାରିଙ୍ଗବାଡ଼ି : ଚିକିତ୍ସା ପାଇଁ ଗାଁ ବଇଦଙ୍କ ସହାୟତା ନେଇ ଜଣେ ୧୭ ବର୍ଷର ବାଳକକୁ ଏକ ଭୟଙ୍କର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଛି। ସମ୍ପୃକ୍ତ ବଇଦ ବାଳକର ପେଟରେ ଏକ ପିତ୍ତଳ ଢାଳ ଏମିତି ଲଗାଇ ଦେଇଥିଲେ ଯେ, ତାହା ସହଜରେ ଛାଡ଼ିନଥିଲା। ୬ ଘଣ୍ଟାରୁ ଅଧିକ ସମୟ ଲାଖି ରହିବା ପରେ ଯାଇ ସେ ପରିସ୍ଥିତିରୁ ମୁକୁଳିଥିଲେ।

ଏହି ବାଳକ ହେଲେ, ଗଜପତି ଜିଲ୍ଲା ମୋହନା ବ୍ଳକ କଟାମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାଡ଼ିଙ୍ଗ ଗ୍ରାମର ଦେବାନନ୍ଦ ବଳିଆରସିଂ(୧୭)। ଦେବାନନ୍ଦ କିଛିଦିନ ଧରି ପେଟ ଯନ୍ତ୍ରଣାରେ ଆଉଟୁପାଉଟୁ ହେଉଥିଲେ। ଜଣେ ବଇଦ ଏହି ଚିକିତ୍ସା କରାଇପାରିବେ ବୋଲି କେହି ଜଣେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବ୍ରାହ୍ମଣୀଗାଁରେ ବଇଦଙ୍କ ଘର। ଯୋଗକୁ ତାଙ୍କ ସମ୍ପର୍କୀୟଙ୍କ ଘର ବି ସେଇ ଗାଁ।

ଦେବାନନ୍ଦ ସେଠାରେ ପହଞ୍ଚିବା ପରେ ବଇଦ  ଏକ ପିତ୍ତଳ ଢାଳ ଦ୍ୱାରା ଚିକିତ୍ସା ଆରମ୍ଭ କରିଥିଲେ। ଢାଳରେ ଗୋବର ଜଡା,ତେଲ ଓ ସଳିତା ଭର୍ତ୍ତିକରି ନାଭି ପାଖରେ ରଖି ଚିକିତ୍ସା ଚଳାଇଲେ। ହେଲେ କିଛି ସମୟ ମଧ୍ୟରେ ଯନ୍ତ୍ରଣା ଉପଶମ ହେବା ପରିବର୍ତ୍ତେ ଢାଳଟି ବାଳକଙ୍କ ପେଟରେ ଲାଖିଯାଇଥିଲା। ସକାଳ ୬ରୁ ଅପରାହ୍ନ ପର୍ଯ୍ୟନ୍ତ ଏହା ପେଟରୁ ଛାଡି ନଥିଲା। ବାୟୁ ଚାପ ଯୋଗୁ କାଳେ ଢାଳଟି ଲାଖି ଯାଇଥିବ ଭାବି ପରିବାର ଲୋକେ ଢାଳଟିର ପଛ ଭାଗକୁ କାଟିଥିଲେ। ତଥାପି ଢାଳଟି ବାଳକର ପେଟରୁ ଛାଡିନଥିଲା।

ପରିସ୍ଥିତି ଏମିତି ହୋଇଥିଲା ଯେ ପରିବାର ଲୋକ ବାଧ୍ୟ ହୋଇ ତାଙ୍କୁ ଚିକିତ୍ସା ପାଇଁ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ। ସେଠାରେ ଡ ମଧ୍ୟ ଡାକ୍ତର ଢାଳ ବାହାର କରିପାରି ନଥିଲେ। ପରେ, ବ୍ରହ୍ମପୁର ବଡ଼ ମେଡିକାଲକୁ ଆଣିବା ବାଟରେ ଢାଳଟି ପେଟରୁ ଆପେ ବାହାରି ଯାଇଥିଲା। ବାଳକଟିକୁ ଏବେ ବ୍ରହ୍ମପୁର ବଡ଼ ମେଡିକଲରେ ଭର୍ତ୍ତି କରାଯାଇଛି।
ଅନ୍ଧବିଶ୍ବାସ ଯୋଗୁ ଜଣେ ବାଳକଙ୍କୁ କିଭଳି ଏକ ଜୀବନମରଣ ସହିତ ଯୁଝିବାକୁ ପଡ଼ିଲା, ଏହି ଘଟଣା ତାହାର ଏକ ଜ୍ବଳନ୍ତ ଉଦାହରଣ।

By amfnews

Related Post