Tue. Mar 10th, 2026

ଘରୋଇ କୋଚିଂ ସେଣ୍ଟରର ଶୋଷଣକୁ ନେଇ କେନ୍ଦ୍ରର ଉଦ୍‌ବେଗ : ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

150 Views

ଭୁବନେଶ୍ବର : ରାଜ୍ୟରେ ଘରୋଇ କୋଚିଂ ସଂସ୍ଥା ଗୁଡ଼ିକ ଛତୁଫୁଟିଲା ଭଳି ବଢ଼ିବାରେ ଲାଗିଛି। ଏଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ କୌଣସି ଆଇନ ବା ନୀତିଗତ ବ୍ୟବସ୍ଥା ନାହିଁ। ଏହାକୁ ନେଇ କେନ୍ଦ୍ର ସରକାର ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଘରୋଇ କୋଚିଂ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରିତ କରିବା ଲାଗି ଏକ ଆଇନ କିମ୍ବା ନୀତି ପ୍ରଣୟନ କରିବାକୁ କେନ୍ଦ୍ର ସରକାର ଏହି ପରି‌ପ୍ରେକ୍ଷୀରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ଅନେକ ଘରୋଇ କୋଚିଂ ସେଣ୍ଟର ରହିଛି, ଯେଉଁଗୁଡ଼ିକ ଛାତ୍ରଛାତ୍ରୀଙ୍କଠାରୁ ମାତ୍ରାଧିକ ଫି ଆଦାୟ କରୁଛନ୍ତି। ଏପରିକି ପାଠ ପଢ଼ା ଜନିତ ଅଯଥା ଚାପ ଛାତ୍ରଛାତ୍ରୀଙ୍କ ଉପରେ ସୃଷ୍ଟି ହେଉଛି। ଅଧିକାଂଶ କୋଚିଂ ସେଣ୍ଟର କୌଣସି ନିୟମ ଦ୍ବାରା ପରିଚାଳିତ ହେଉନାହାନ୍ତି।

କିଛିଦିନ ପୂର୍ବେ ଗୁଜରାଟର‌ ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିବା ଦ୍ବାରା ଅନେକ ଛାତ୍ରଛାତ୍ରୀଙ୍କ ମୂଲ୍ୟବାନ ଜୀବନ ଚାଲି ଯାଇଛି। ଜାତୀୟ ସ୍ତରରେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି। ଏହି ଘଟଣା ପରେ କେନ୍ଦ୍ର ସରକାରଙ୍କ ଚେତା ପଶିଛି।

ଦେଶରେ ବହୁ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ପରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଜଷ୍ଟିସ ରୁପନୱାଲ କମିସନ ଗଠନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ହୋଇପାରିବ ସେଥିପାଇଁ ଏକ ବିକାଶ ବ୍ୟବସ୍ଥା କରିବାକୁ କମିସନ ପକ୍ଷରୁ ବିଶ୍ବବିଦ୍ୟାଳୟ ଗୁଡ଼ିକୁ କୁହାଯାଇଛି। ଏତଦବ୍ୟତୀତ ଅଶୋକ ମିଶ୍ର କମିଟି ସମେତ ଅନେକ କମିଟି ମଧ୍ୟ ରିପୋର୍ଟ ଦେଇଛି। ଛାତ୍ରଛାତ୍ରୀମାନଙ୍କୁ ଜେ‌ଇଇ ପାଇଁ ପ୍ରସ୍ତୁତ କରିବା ଏବଂ ସେମାନଙ୍କୁ ଘରୋଇ କୋଚିଂ ସେଣ୍ଟରରୁ ଦୂରେଇ ରଖିବା ଲାଗି ମକ୍ ଜେଇଇ ବ୍ୟବସ୍ଥା ସ୍ଥାପନ କରିବାକୁ ଆଇଆଇଟିଗୁଡ଼ିକୁ କମିଟି ପକ୍ଷରୁ ପରାମର୍ଶ ଦିଆଯାଇଛି।

ଯୁକ୍ତ ଦୁଇ ଶିକ୍ଷା ରାଜ୍ୟ ସରକାରଙ୍କ ଅଧୀନରେ ଆସୁଥିବାରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ଘରୋଇ କୋଚିଂ ସେଣ୍ଟର ଗୁଡ଼ିକୁ ନିୟନ୍ତ୍ରଣ କରିବାକୁ କୁହାଯାଇଛି। ମାନବ ସମ୍ବଳ ବିକାଶ ବିଭାଗର ଅତିରିକ୍ତ ସଚିବ ଏସ. ଏସ. ସାନ୍ଧୁ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ବାର୍ଥ ଏବଂ ସାମଗ୍ରିକ ବିକାଶକୁ ଦୃଷ୍ଟିରେ ଏହା କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି।

By amfnews

Related Post