Mon. Mar 31st, 2025

ଘନୀଭୂତ ହେଉଛି ଲଘୁଚାପ : ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ହେବ ମାଡ଼, ୧୫ରୁ ୧୭ ମଧ୍ୟରେ ବର୍ଷା

By amfnews Dec 11, 2018 #Featured
211 Views

ଭୁବନେଶ୍ବର , ଡିସେମ୍ବର ୧୧ : ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଆଜି ଅପରାହ୍ନରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବ। ପରବର୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇ ୧୪ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି।
ଆହୁରି କୁହାଯାଇଛି ଯେ ଗଭୀର ଅବପାତ ରୂପ ନେବା ପରେ ତାହା ବାତ୍ୟାରେ ପରିଣତ ହୋଇପାରେ। ସେନେଇ ଏବେ କିଛି କହିହେବ ନାହିଁ। ତଥାପି ଲଘୁଚାପ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ପରେ ତାହାର ପ୍ରଭାବ ସିଧାସଳଖ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବ। ବିଶେଷକରି ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟା ମାଡ଼ ହେବାର ସମ୍ଭାବନା ଅଧିକ। ଯଦି ଗତିପଥ ବଦଳାଇବ ତେବେ ଓଡ଼ିଶା ଆଡ଼କୁ ବି ଆସିପାରେ। ଲଘୁଚାପ ପ୍ରଭାବରେ ଆଜିଠାରୁ ଆଣ୍ଡାମାନ ନିକୋବରରେ ବର୍ଷା ଆରମ୍ଭ ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ୧୩ ତାରିଖଠାରୁ ତାମିଲନାଡ଼ୁ, ପଣ୍ଡିଚେରି, ଆନ୍ଧ୍ରପ୍ରଦେଶ, ରୟାଲସିମା, କର୍ଣ୍ଣାଟକ ଆଦି ରାଜ୍ୟରେ ବର୍ଷା ହେବ। ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ସମୁଦ୍ର ଉପକୂଳ ୧୨ ତାରିଖଠାରୁ ଅଶାନ୍ତ ରହିବ। ତେଣୁ ଉକ୍ତ ରାଜ୍ୟଗୁଡ଼ିକର ମତ୍ସଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ କିଭଳି ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୧୫ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଏହାପରେ କିଛି ବି ପରିବର୍ତନ ହୋଇପାରେ। ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା କିଛି ମାତ୍ରାରେ ହ୍ରାସ ପାଇବ ବୋଲି କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବ। ଉପକୂଳ ଅତିକ୍ରମ କରିବା ପରେ ଏହା ଓଡ଼ିଶା ଆଡ଼କୁ ଆସିପାରେ। ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିସହ ଖୋର୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ୧୫ ଓ ୧୬ ତାରିଖରେ ବର୍ଷା ହେବାର ଆଶଙ୍କା ରହିଛି। ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବି ୧୭ ତାରିଖ ବେଳକୁ ବର୍ଷା ହୋଇପାରେ। ବାତ୍ୟା କିମ୍ବା ପବନର ପ୍ରଭାବ ଓଡ଼ିଶା ଉପରେ ପଡ଼ି ନପାରେ। କିନ୍ତୁ ବର୍ଷା ହେବାର ବହୁତ ସମ୍ଭାବନା ରହିଛି। ୧୫ରୁ ୧୭ ତାରିଖ ମଧ୍ୟରେ ଓଡ଼ିଶାରେ ବର୍ଷା ହେବାକୁ ଥିଲେ ମଧ୍ୟ ହକି ବିଶ୍ବକପ୍‌କୁ ପ୍ରଭାବିତ କରିବନି। ୧୬ ତାରିଖରେ ଭୁବନେଶ୍ବରରେ ବର୍ଷା ହେବାର ନାହିଁ। ୧୭ ତାରିଖ ବେଳକୁ ହାଲକା ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି।

By amfnews

Related Post