Tue. May 13th, 2025

ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ଶୀଘ୍ର ମିଳିବ ପେନ୍‌ସନ୍‌

By amfnews Aug 18, 2018 #Featured
200 Views

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଗ୍ରାମ୍ୟ ବ୍ୟାଙ୍କରେ କାମ କରି ଅବସର ଗ୍ରହଣ କରିଥିବା ୩୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଖୁବ୍‌ଶୀଘ୍ର ପେନ୍‌୍‌ସନ୍‌ ମିଳିବ। ପେନ୍‌ସନ୍‌ ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ନାବାର୍ଡକୁ କୁହାଯାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀଙ୍କ ଭଳି ପେନ୍‌ସନ୍‌ ଦାବି କରି ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀମାନେ ଲମ୍ବା ଆଇନ ଲଢ଼େଇ ଲଢ଼ିବା ପରେ ଚଳିତ ବର୍ଷ ଏପ୍ରିଲ୍‌ରେ ସୁପ୍ରିମକୋର୍ଟରେ ବିଜୟ ହାସଲ କରିଥିଲେ। ଏହି ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ନାବାର୍ଡକୁ ସରକାର କହିଛନ୍ତି।

ଏ ସଂକ୍ରାନ୍ତରେ ସବୁ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆର୍‌ଆର୍‌ବି)ର ଅଧ୍ୟକ୍ଷ ଓ ସେମାନଙ୍କ ପ୍ରାୟୋଜକ ବ୍ୟାଙ୍କର ସିଇଓଙ୍କୁ ସରକାରଙ୍କ ତରଫରୁ ଚିଠି ଲେଖାଯାଇଛି। ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ୍‌୍‌କୁ ତିନି ମାସ ଭିତରେ ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ଏ ସଂକ୍ରାନ୍ତରେ ଆର୍ଥିକ ସେବା ମନ୍ତ୍ରଣାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଚଳିତ ବର୍ଷ ଏପ୍ରିଲ୍‌ ମାସରୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ପାଇଁ ପେନ୍‌ସନ୍‌ ଲାଗୁ କରାଯିବ। ଯେଉଁ କର୍ମଚାରୀମାନେ ୧୯୮୭ ସେପ୍ଟେମ୍ବର ୧ ସୁଦ୍ଧା ଗ୍ରାମ୍ୟ ବ୍ୟାଙ୍କରେ ଯୋଗ ଦେଇଥିଲେ ସେମାନେ ପେନ୍‌ସନ୍‌ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ କୌଣସି ପେନ୍‌ସନ୍‌ ପାଣ୍ଠି ସୃଷ୍ଟି କରାଯାଇନାହିଁ। ସେହି ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକ ନିଜ କାର୍ଯ୍ୟକାରୀ ପୁଞ୍ଜିରୁ ହିଁ ପେନ୍‌ସନ୍‌ ବାବଦ ଖର୍ଚ ବହନ କରିବେ।

By amfnews

Related Post