Fri. Dec 27th, 2024

ଗୋଟିଏ ମେସିନ୍‌କୁ ଜଣେ ଟେକ୍ନିସିଆନ, ଏସ୍‌ସିବିରେ ଇଇଜି ପାଇଁ ୪ମାସ ଅପେକ୍ଷା

By amfnews Nov 8, 2019 #Featured
99 Views

କଟକ : ମିତାରାଣୀ ମାଝୀ(୧୭)। କେନ୍ଦ୍ରାପଡା ଜିଲ୍ଲା ରାମଚନ୍ଦ୍ରପୁର ଗାଁର ରୋଗୀ। ଗତ ଅଗଷ୍ଟ ମାସରେ ଏସ୍‌ସିବି ନ୍ୟୁରୋଲୋଜି ବିଭାଗରେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ତୁରନ୍ତ ଇଇଜି କରିବାକୁ ପରାମର୍ଶ ଦେଇଥିଲେ। ପରାମର୍ଶ କାଗଜ ଧରି କାଉଣ୍ଟରରେ ଦେବା ପରେ ସେପଟୁ ଚିଠା ଉପରେ ଲେଖାଗଲା, ଡିସେମ୍ବର ୭ତାରିଖରେ ତାଙ୍କର ଇଇଜି ପରୀକ୍ଷଣ ପାଳି ପଡିବ। ଅର୍ଥାତ୍‌ ଇଇଜି ପାଇଁ ୪ମାସ ଅପେକ୍ଷା କରିବାକୁ ପଡ଼ିବ। ସ୍ବାସ୍ଥ୍ୟାବସ୍ଥା ଦିନକୁଦିନ ଗୁରୁତର ହେଉଥିବା ବେଳେ ସେବେଠାରୁ ଚିଠାଧରି ବୁଲୁଛନ୍ତି ମିତାରାଣୀଙ୍କ ପରିବାର। ରିପୋର୍ଟ ନ ମିଳିଲେ ଓ ତାକୁ ନ ଦେଖିଲେ ଡାକ୍ତର ଔଷଧ ଲେଖୁ ନାହାନ୍ତି। ଏହା କେବଳ ମିତାରାଣୀଙ୍କ ଅବସ୍ଥା ନୁହେଁ, ଇଇଜି ପରାମର୍ଶ ମିଳୁଥିବା ସମସ୍ତ ରୋଗୀଙ୍କ ଅବସ୍ଥା। ଏକ ହଜାରରୁ ୧୫ଶହ ଟଙ୍କା ଖର୍ଚ୍ଚ ହେଉଥିବା ଏହି ପରୀକ୍ଷଣ ପାଇଁ ରୋଗୀଙ୍କୁ ୪ମାସ ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ ଅନ୍ୟ ବ୍ୟୟବହୁଳ ପରୀକ୍ଷା ପାଇଁ ଅପେକ୍ଷା କରିଥିବା ରୋଗୀମାନଙ୍କ ଅବସ୍ଥା କ’ଣ ହେଉଥିବା ତାହା ସହଜେ ଅନୁମେୟ।

ସୂଚନା ଅନୁସାରେ, ସ୍ବାସ୍ଥ୍ୟ ବିଭାଗରେ ମାଗଣା ଯୋଜନା ପରଠାରୁ ଏସ୍‌ସିବିରେ ବଢ଼ି ଚାଲିଛି ରୋଗୀଙ୍କ ଭିଡ। ହେଲେ, ସରକାର ଯୋଜନା କରିଦେଲେ ସିନା, ଭିତ୍ତିଭୂମିର ବିକାଶ କଲେନି। ଯାହା ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ରୋଗୀ। ଡାକ୍ତର ରୋଗୀଙ୍କୁ ଦେଖିବା ପରେ ପରୀକ୍ଷଣ ପାଇଁ ଲେଖୁଛନ୍ତି, ହେଲେ ପରୀକ୍ଷଣ ଠିକ୍‌ ସମୟରେ ହୋଇ ପାରୁନି। ସେପଟେ, ବା‌ହାରର ପରୀକ୍ଷଣ ରିପୋର୍ଟ‌୍ ଉପରେ ଡାକ୍ତର ପରାମର୍ଶ ଦେଉ ନାହାନ୍ତି। ରିପୋର୍ଟ ନ ମିଳିଲେ ପରାମର୍ଶ ଲେଖନ୍ତେ ବା କେମିତି! ଫଳରେ ଏସ୍‌ସିବିରେ ରୋଗୀଙ୍କ ଦୁଃଖ ବଢିଯାଉଛି।

ଏସ୍‌ସିବିରେ ଇଇଜି ପାଇଁ ମାତ୍ର ଗୋଟିଏ ମେସିନ୍‌କୁ ଜଣେ ଟେକ୍ନିସିଆନ ଅଛନ୍ତି। ଫଳରେ ପରୀକ୍ଷଣ ପାଇଁ ରୋଗୀଙ୍କ ଲମ୍ବା ଲାଇନ୍‌ ଲାଗୁଛି। କେବଳ ଇଇଜି ନୁହେଁ, ନିଦାନରେ ରକ୍ତ ପରୀକ୍ଷଣ ପାଇଁ ହେଉ ଅବା ଅଲଟ୍ରାସାଉଣ୍ଡ, ଇସିଜି; ସବୁଠି ଲୋକଙ୍କ ଭିଡ। ଲମ୍ବା ଲାଇନ୍‌ରେ ପରୀକ୍ଷଣ ପାଇଁ ଛିଡା ହୋଇ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ରୋଗରେ ପଡ଼ୁଛନ୍ତି।

By amfnews

Related Post